ଯୋଡା ସହରରେ ବୁଲା କୁକୁରଙ୍କ ଆତଙ୍କ

ଯୋଡା, (ସମୀର କୁମାର ଦାସ) : କେନ୍ଦୁଝର ଜିଲ୍ଲା ଯୋଡା ସହରରେ ବୁଲା କୁକୁର ଆତଙ୍କରେ ସହର ବାସୀ ଆତଙ୍କିତ ହୋଇପଡିଛନ୍ତି । ଦୀର୍ଘ ମାସ ଧରି ସହରର ବିଭିନ୍ନ ୱାର୍ଡର ଗଳି କନ୍ଦିରେ ବୁଲାକୁକୁରଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧି ଏବଂ ଏମାନଙ୍କର ହିଂସ୍ର ଆକ୍ରମଣ ହେତୁ ବହୁ ଲୋକ କୁକୁର କାମୁଡାରେ ଶିକାର ହେଲେଣି । ଯୋଡା ମାର୍କେଟ ରେ ଥିବା ଏମ୍‌ଡି ସାଫିକ୍ ଅହମ୍ମଦ, ଏମ୍‌ଡି ମାଜ୍‌ହାର ଖାନ୍‌ଙ୍କୁ କୁକୁର କାମୁଡିବାରୁ ଗୁରୁତର ହୋଇ ଡାକ୍ତରଖାନା ରେ ଭର୍ତି ହୋଇଥିଲେ । ସନ୍ଧ୍ୟା ହେଲେ ସହରବାସୀ ଘରୁ ବାହାରକୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି । ବିଶେଷ କରି ଛୋଟ ଛୋଟ ସ୍କୁଲ ପିଲାମାନେ ଏହି ବୁଲା କୁକୁରଙ୍କ ଆକ୍ରମଣର ଶିକାର ହେବା ସହିତ ଟିଉସନ୍ ବନ୍ଦ ହେବା ଯୋଗୁଁ ସେମାନଙ୍କର ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଭୟରେ ରାତ୍ରିବେଳେ ଲୋକମାନେ ବାଇକ୍ ଯୋଗେ ମଧ୍ୟ ଯିବା ଆସିବା ପାଇଁ ମଧ୍ୟ ଭୟ କରୁଛନ୍ତି । ରଂଜିତ କାରୁଆ ନାମକ ଜଣେ ଯୁବକ ବାଇକ୍‌ରେ ବିଳମ୍ବିତ ସନ୍ଧ୍ୟାରେ ଫେରୁଥିବା ବେଳେ କୁକୁର ପଲ ତାଙ୍କୁ ଗୋଡାଇ ଥିଲେ, ହେଲେ ସେ ଦୃତ ଗତିରେ ପଳାଇ ଆସିବାରୁ ବର୍ତି ଯାଇଥିଲେ । ଏହି ପରି ଦୈନନ୍ଦିନ ଘଟଣା ଘଟୁଥିଲେ ହେଁ ପୌରପାଳିକା ପକ୍ଷରୁ ଏ ଦିଗରେ ଦୃଷ୍ଟି ଦିଆଯାଉନଥିବା ସହର ବାସୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଯୋଡା ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କୁ ପଚାରିବାରୁ ସେ ପୌରପାଳିକାର ପଶୁ ଡାକ୍ତରଖାନା ସହିତ ପରାମର୍ଶ କରି ଖୁବ୍ ଶୀଘ୍ର ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ