ପୁନେ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ତରଫରୁ ଦୁର୍ଗମ ଅଞ୍ଚଳରେ କରୋନା ସଚେତନତା

ଗାଙ୍ଗପୁର, (ଶିବରାମ ଚୌଧୁରୀ):ମହାରାଷ୍ଟ୍ର ପୁନେ ସ୍ଥିତ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ତରଫରୁ ଆଜି ଭଞ୍ଜନଗର ବ୍ଲକ୍ ଅନ୍ତର୍ଗତ ଗୁଡ଼ିଆମ୍ବା ଗ୍ରାମ ଠାରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବା ଗ୍ରାମବାସୀ ମାସ୍କ, ସାନିଟାଇଜର ଏବଂ ହୋମୀଓପାଥୀକ ଔଷଧ ଆର୍ସେନୀକ -୩୦ ବଣ୍ଟନ କରାଯାଇଥିଲା I ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହରରେ ଜନ୍ମ ଗ୍ରହଣ କରିଥିବା ସୌମ୍ୟ ରଞ୍ଜନ ମହାପାତ୍ର ମହାରାଷ୍ଟ୍ରର ପୁନେ ଠାରେ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ନାମକ ଏକ ପ୍ରବାସୀ ଓଡ଼ିଆ ସ୍ଵେଚ୍ଛାସେବୀ ସଂଗଠନ ଗଠନ କରି ଓଡ଼ିଶା ତଥା ଘୁମୁସର ମାଟିର ସାହିତ୍ୟ, ଲୋକ କଳାକୁ ପ୍ରଚାର ପ୍ରସାର କରିବା ସହ ଦୁଃଖୀ ଦରିଦ୍ରଙ୍କ ସେବା ଜାରି ରଖିଛନ୍ତି I ମହାମାରୀ କରୋନା କଟକଣା ସମୟରେ ପୁନେରେ ଥିବା ପ୍ରବାସୀ ଓଡ଼ିଆଙ୍କ ଥଇଥାନ ସହ ସେମାନଙ୍କୁ ସୁରକ୍ଷିତ ଭାବେ ନିଜ ଭିଟାମାଟିକୁ ପଠାଇବା, ପୁନେର ବିଭିନ୍ନ ବସ୍ତି ଅଞ୍ଚଳକୁ ଯାଇ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା, କୋଭିଡ କିଟ୍ ଯୋଗାଇବା ସହ ଲୋକଙ୍କୁ କରୋନା ସମ୍ପର୍କିତ ସଚେତନତା ମଧ୍ୟ କରାଉଥିଲେ I ସଂଗଠନ ଅଧ୍ୟକ୍ଷ ଶ୍ରୀ ମହାପାତ୍ର ନିଜ ଭିଟାମାଟି ବେଲଗୁଣ୍ଠାକୁ ଫେରିବା ପରେ ମଧ୍ୟ ନିଜ ଅଞ୍ଚଳ ଲୋକଙ୍କ ସ୍ଵାର୍ଥ ପାଇଁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି I ଆଜି ଶ୍ରୀ ମହାପାତ୍ରଙ୍କ ସହ ଓଡିଶା ରାଜ୍ୟ ସଂଯୋଜକ ତ୍ରିନାଥ ବେହେରା, ସଂଗଠନ ସଦସ୍ୟ ତଥା ଶିକ୍ଷକ ସୁଦାମ ଦଳବରା ,ଶିଶିର କୁମାର ସ୍ଵାଇଁ ପ୍ରମୁଖ ଭଞ୍ଜନଗର ବ୍ଲକ୍ ଜିଲୁଣ୍ଡି ପଞ୍ଚାୟତର ଦୁର୍ଗମ ଅଞ୍ଚଳ ତଥା ହରିଜନ ଆଦିବାସୀ ଅଧ୍ୟୁଷିତ ଗୁଡ଼ିଆମ୍ବା ଗ୍ରାମକୁ ଯାଇ ସେଠାରେ ଲୋକମାନଙ୍କୁ କରୋନା ବିଷୟରେ ସଚେତନ କରିବା ସହ କିପରି ସ୍ଵଳ୍ପ ଖର୍ଚ୍ଚରେ କରୋନା ଠାରୁ ଦୂରେଇ ରହି ପାରିବା ସେ ସମ୍ପର୍କରେ ଲୋଜଙ୍କୁ ବୁଝାଇଥିଲେ I ଏହା ସହ ଲୋକଙ୍କୁ ମାସ୍କ ଏବଂ ଆର୍ସେନିକ -୩୦ ନାମକ ହୋମିଓପାଥୀକ ଔଷଧ ବଣ୍ଟନ କରି ଏହାର ବ୍ୟବହାର ଏବଂ ଉପଯୋଗିତା ସମ୍ପର୍କରେ ବୁଝାଇଥିଲେ I ସପୂର୍ଣ୍ଣ କାର୍ଯ୍ୟକ୍ରମରେ ଗୁଡ଼ିଆମ୍ବା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅବିନାଶ ପଣ୍ଡା ଏବଂ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାଘବ ନାୟକ ସହଯୋଗ କରିଥିଲେ I ରାଜ୍ୟ ସଂଯୋଜକ ଶ୍ରୀ ବେହେରା ଧନ୍ୟବାଦ ଜ୍ଞାପନ କରିବା ସହ ଆଗାମୀ ଦିନରେ ଅଞ୍ଚଳରେ ଏହି ଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରକାଶ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ