ରାତି ପାହିଲେ ଚାରାରୋପଣ ଚିନ୍ତା : ପ୍ରକୃତିର ନୀରବ ସାଧକ ପ୍ରଧାନଶିକ୍ଷକ ତାରାପ୍ରସାଦ

ଆସିକା(ୱାଇଏନ୍‍ଏସ୍‍) : ନିଷ୍ଠା ଓ ଆଗ୍ରହ ଥିଲେ ସବୁକିଛି ସମ୍ଭବ । ଏହାର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ଆସିକା ବ୍ଳକ ଅଧୀନସ୍ଥ ଗଙ୍ଗାପୁର ଗ୍ରାମ ପଞ୍ଚାୟତର ଗଙ୍ଗାପୁର ଶାସନ ଗ୍ରାମର ଜଣାଶୁଣା ପରିବେଶପ୍ରେମୀ ତଥା ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ର । ପେଷାରେ ତାରାପ୍ରସାଦ ଜଣେ କର୍ତ୍ତବ୍ୟନିଷ୍ଟ ପ୍ରଧାନଶିକ୍ଷକ ହୋଇଥିଲେ ବି ନିଶା ତାଙ୍କର ଚାରାରୋପଣ । ପରିବେଶର ସୁରକ୍ଷା ଲାଗି ରାତି ପାହିଲେ ତାଙ୍କୁ ଘାରୁଛି ଚାରାରୋପଣ ଚିନ୍ତା । ସାଂପ୍ରତିକ ପରିସ୍ଥିତିରେ ବୃଦ୍ଧି ପାଉଥିବା ଉତ୍ତାପକୁ ନିୟନ୍ତ୍ରଣ କରିବା ପାଇଁ ଗଛ ହିଁ ଏକମାତ୍ର ବିକଳ୍ପ ବ୍ୟବସ୍ଥା ଏହା ସମସ୍ତେ ଅବଗତ । ପରିବେଶର ସୁରକ୍ଷା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଭିନ୍ନ ସ୍ଥାନରେ ଚାରା ରୋପଣ କରାଯାଉଛି । କିନ୍ତୁ ଅଧିକାଂଶ ସମୟରେ ରକ୍ଷଣା ବେକ୍ଷଣ ଓ ତଦାରଖ ଅଭାବରୁ ଚାରା ଗୁଡିକ ବୃକ୍ଷରେ ପରିଣତ ହୋଇପାରୁ ନାହିଁ । ପ୍ରକୃତିର ନୀରବ ସାଧକ ତଥା ପ୍ରକୃତି ସେବକ ବୃକ୍ଷପ୍ରେମୀ ଓ ପରିବେଶପ୍ରେମୀ ତାରାପ୍ରସାଦ ମିଶ୍ର ବିଗତ କିଛିବର୍ଷ ହେଲା ଏକାକୀ ନିଜସ୍ୱ ଉଦ୍ୟମରେ ନିଜ ଶିକ୍ଷାନୁଷ୍ଠାନ ଆରମ୍ଭ କରି ବିଭିନ୍ନ ଦେବାଳୟ ଓ ରାସ୍ତା ପାଶ୍ୱର୍ରେ ବିଭିନ୍ନ କିସମର ଚାରା ରୋପଣ କରୁଥିବା ଦେଖିବାକୁ ମିଳୁଛି । ପେଷାରେ ଜଣେ ପ୍ରଧାନଶିକ୍ଷକ ହୋଇଥିଲେ ବି ପରିବେଶବିତ୍‍ ତାରାପ୍ରସାଦ ମିଶ୍ରଙ୍କ ଚାରାରୋପଣ କାର୍ଯ୍ୟକ୍ରମ ନିଆରା । ଦୀର୍ଘ ବର୍ଷ ଧରି ପରିବେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରକୃତିର ନୀରବ ସାଧକ ତଥା ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ର ରାତି ପାହିଲା ମାତ୍ରେ ନିଜ କର୍ମମୟ ବିଦ୍ୟାଳୟକୁ ଯିବା ପୂର୍ବରୁୁ ସମୟ ଦେଖି କେଉଁଠି ଟିକେ ଫାଙ୍କା ଜାଗା ମିଳିଲେ ବିଭିନ୍ନ କିସମର ଔଷଧୀୟ ବୃକ୍ଷ ଯଥା ଅଶୋକ, ବେଲ, ଅଁଳା, ପିପଳୀ, ରୁଦ୍ରାକ୍ଷ, ଦ୍ରାକ୍ଷା, ଷ୍ଟେଭିଆ, ତେଜପତ୍ର, ଡାଲ୍‌ଚିନି, ଲବଙ୍ଗ, ରକ୍ତଚନ୍ଦନ, ଶ୍ୱେତଚନ୍ଦନ ଭଳି ବହୁ ମୂଲ୍ୟବାନ ଚାରା ସାଙ୍ଗକୁ ଜାମୁକୋଳି, ଧଳାମନ୍ଦାର, ପିଜୁଳି, ଆମ୍ବ, ପଣସ, ଗୁଆ ଭଳି ଚାରା ରୋପଣ କରୁଥିବା ଦେଖିବାକୁ ମିଳୁଛି । ଖରା ବର୍ଷାକୁୁ ତିଳେ ମାତ୍ର ଖାତିର ନକରି ପରିବେଶର ସୁରକ୍ଷା ଲାଗି ରାତି ପାହିଲା ମାତ୍ରେ ପରିବେଶବିତ୍ ତଥା ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ର ହାତରେ ଶାବଳ କିମ୍ବା ଗୋଡଖୋଳା ଓ ପାଣି ବାଲ୍‌ତି ଟିଏ ଧରି ଚାରା ରୋପଣ କାର୍ଯ୍ୟରେ ଆଗ୍ରହର ସହ ଆଗେଇ ଆସୁଥିବା ପରିଲକ୍ଷିତ ହେଉଛି । ଗତ ୨୦୧୬ ମସିହାରୁ ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ର ପରିବେଶର ସୁରକ୍ଷା ଲାଗି ଚାରାରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା ବେଳେ ଦୀର୍ଘ ୧୦ ବର୍ଷ ମଧ୍ୟରେ ପ୍ରାୟ ୭ ହଜାରରୁ ଉର୍ଦ୍ଧ୍ୱ ଔଷଧୀୟ ଓ ଛାୟାପ୍ରଦାନକାରୀ ଚାରାରୋପଣ କରିବା ସାଙ୍ଗକୁ ସେଗୁଡିକ କିପରି ବଞ୍ଚିବ ସେଥିପାଇଁ ପ୍ରୟାସ ଜାରି ରଖିଥିବା ଜଣାପଡିଛି । ଆଗାମୀ ପିଢୀ ଯେପରି ତାପ ଓ ପ୍ରଦୂଷଣମୁକ୍ତ ହୋଇପାରିବେ ସେ ଲକ୍ଷ୍ୟ ନେଇ ପରିବେଶବିତ୍ ତଥା ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ର ଜାରି ରଖିଥିବା ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିଲା ବେଳେ ତାଙ୍କର ଏହି ନିଆରା ମହତ୍‍ କାର୍ଯ୍ୟ ଅନ୍ୟ ପରିବେଶବିତ୍ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ସହ ଏକ ପ୍ରେରଣାର ଉତ୍ସ ପାଲଟିଛନ୍ତି ବୋଲି ସଚେନତ ନାଗରିକଙ୍କ ମହଲରେ ମତ ପ୍ରକାଶ ପାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ