ଶ୍ରୀ ଶ୍ରୀ ପଞ୍ଚମୁଖୀ ହନୁମାନ ମନ୍ଦିର ଉନ୍ନତିକରଣ କାର୍ଯ୍ୟରେ ଅନିୟମିତତା : ଜୋର୍ ଧରିଲା ତଦନ୍ତ ଦାବୀ
ଆସିକା (ୱାଇଏନ୍ଏସ୍) : ଆସିକା ପୌର ପରିଷଦ ଅଧିନସ୍ଥ ୭ ନମ୍ବର ୱାର୍ଡର ଲାଲାଗୋର୍ଜି ଛକ ନିକଟରେ କେଉଁ ଆବାହମାନ କାଳରୁ ପୂଜା ପାଇଆସୁଥିବା ସଂକଟମୋଚନ ଶ୍ରୀ ଶ୍ରୀ ପଞ୍ଚମୁଖୀ ହନୁମାନ ମନ୍ଦିରର ଉନ୍ନତିକରଣ କାର୍ଯ୍ୟରେ ନାନା ପ୍ରକାର ଅନିୟମିତତା ପନ୍ଥା ଅବଲମ୍ବନ କରାଯାଇ ସଠିକ୍ ଭାବେ କାର୍ଯ୍ୟ କରାନଯାଇ ସରକାରୀ ଅନୁଦାନ ଅର୍ଥ ବାଟମାରଣା କରାଯାଇଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚନା ଓ ପର୍ଯ୍ୟାଲୋଚନା ଜୋର୍ ଧରିଥିଲା ବେଳେ ଜିଲ୍ଲା ପ୍ରଶାସନ ତଥା ଆସିକା ବ୍ଳକ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବା ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି । ଏ ସଂପର୍କରେ ମିଳିଥିବା ସୂଚନା ଅନୁଯାୟୀ ଲାଲାଗୋର୍ଜି ଛକ ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ପାଇଁ ସିଏମ୍ସି ଅନୁଦାନରେ ୨ ଲକ୍ଷ ଟଙ୍କା ମଂଜୁର ହୋଇଥିଲା । ତେବେ ସରକାରୀ ଅନୁଦାନ ବିନିଯୋଗ କ୍ଷେତ୍ରରେ ନାନା ପ୍ରକାର ଅନିୟମିତତା ପନ୍ଥା ଅବଲମ୍ବନ କରାଯାଇ ସଠିକ୍ ଭାବେ କାର୍ଯ୍ୟ କରାଯାଇନଥିବା ଚର୍ଚ୍ଚା ଜୋର୍ ଧରିଛି । ଘଟଣାର ଏକ ନିରପେକ୍ଷ ତଦନ୍ତ ପାଇଁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିଲା ବେଳେ ଏ ସଂକ୍ରାନ୍ତରେ ଆସିକା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ନିଶ୍ଚିତ ଭାବେ ଘଟଣା ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସିଏମ୍ସି ଅନୁଦାନରେ ପ୍ରାୟ ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହୋଇଥିବା ପଞ୍ଚମୁଖୀ ହନୁମାନ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ଏକ ନିରପେକ୍ଷ ତଦନ୍ତ କଲେ ବହୁ ଗୁମର କଥା ପଦାରେ ପଡିବ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି ।


