ଯୋଡା ବ୍ଲକରେ ୫୭ ଟି ଅଭିଯୋଗ ଶୁଣିଲେ ଜିଲାପାଳ
ଯୋଡ଼ା – କେନ୍ଦୁଝର ଜିଲା ଯୋଡା ବ୍ଲକ ସଭାଗୃହଠାରେ କେନ୍ଦୁଝର ଜିଲାପାଳଙ୍କ ଦ୍ୱାରା ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଅଭିଯୋଗ ଶୁଣାଣିରେ କେନ୍ଦୁଝର ଏସପି, ମିତ୍ରଭାନୁ ମହାପତ୍ର, ସିଡିଏମଓ ଅଶୋକ କୁମାର ଦାସ, ଚମ୍ପୁଆ ଉପଜିଲାପାଳ ପାରୁଲ ପଟାଓରୀ, ଯୋଡା ବ୍ଲକ ଅଧ୍ୟକ୍ଷା ଶୁକୁମାରୀ ଦେହୁରୀ, ଯୋଡା ବ୍ଲକ ବିଡିଓ କ୍ଷୀରୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସମୁଦାୟ ବିଭିନ୍ନ ୫୭ ଟି ସମସ୍ୟା ଅଭିଯୋଗ ହୋଇଥିଲା । ମୁଖ୍ୟ ଅଭିଯୋଗ ଗୁଡିକ ମଧ୍ୟରେ ଜୁରୁଡି ଗ୍ରାମ ପନଚାୟତ ସମିତିସଭ୍ୟା ଓ ଗ୍ରାମବାସୀମାନେ ଯୋଡା-ବାମେବାରୀ ରାଜ୍ୟ ରାଜପଥନଂ ୨ ରାସ୍ତା ଖଣି ଅଂଚଳର ମୁଖ୍ୟ ରାସ୍ତା ହୋଇଥିବାରୁ ଏଠାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଖଣିଜ ବୋଝେଇ ଟ୍ରକ ଓ ଡମ୍ପର ଚଳାଚଳ କରୁଛି । ରାସ୍ତା ମରାମତି ଓ ଏହାର ପ୍ରଶସ୍ତିକରଣ କରାଯାଉନଥିବାରୁ ପ୍ରତିଦିନ ଲୋକେ ଟ୍ରାଫିକ ସମସ୍ୟାର ସମୁଖୀନ ହେଉଛନ୍ତି । ଏପରିକି ରାସ୍ତାର ସ୍ଥାନେ ସ୍ଥାନେ ବଡ ବଡ ଖାଲ ସୃଷ୍ଟି ହୋଇଥିବାରୁ ବାଇକ ଆରୋହୀ, ଛୋଟଯାନବାହାନ , ଯାତ୍ରୀବାହୀ ବସ୍ , ସ୍କୁଲ ବସ୍ , ଆମ୍ବୁଲାନ୍ସ ଚଳାଚଳରେ ବାଧା ସୃଷ୍ଟି ହେଉଛି । ପ୍ରତିଦିନ ରାସ୍ତା ଜାମରେ ଲୋକେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ଡିଏମଏଫ ପାଣ୍ଠି ବ୍ୟୟରେ ନିର୍ମାଣ କରୁଥିବା ଠିକାସଂସ୍ଥା ପକ୍ଷରୁ ନିର୍ମାଣ କାର୍ଯ୍ୟ ମନ୍ଥର ହେଉଥିବାରୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଛି । ଏଣୁ ଜିଲା ପ୍ରଶାସନ ପକ୍ଷରୁ ଏଦିଗରେ ଦୃଷ୍ଟି ଦେବା ପାଇଁ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ । ଜିଲାପାଳ ୧ ସପ୍ତାହ ମଧ୍ୟରେ ଉକ୍ତ ରାସ୍ତାର ପ୍ରଥମେ ମରାମତି କାର୍ଯ୍ୟ କରାଯିବ ବୋଲି ଜିଲାପାଳ ପ୍ରକାଶ କରିଥିଲେ । ଏହାସହିତ ଆସନ୍ତା ମାର୍ଚ୍ଚ ମାସ ଶେଷରୁ ଏସେଲ ଖଣିର ଲିଜ୍ ଅବଧି ଶେଷ ହୋଉଥିବାରୁ ଜୁରୁଡି ଏସେଲ ମାଇନିଂ ଦ୍ୱାରା ପରିଚାଳିତ ହେଉଥିବା ଡିଏଭି ସ୍କୁଲ କୁ ବନ୍ଦ ନକରି ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ନେଇ ସ୍କୁଲ କୁ ଚାଲୁ ରଖିବା ପାଇଁ ଅଭିଯୋଗ କରିବାରୁ ଜିଲାପାଳ କମ୍ପାନୀ କର୍ତୁପକ୍ଷ ଓ ଡିଏଭି ସ୍କୁଲ କର୍ତୁପକ୍ଷଙ୍କ ସହିତ ପ୍ରଶାସନ ପକ୍ଷରୁ ଆଲୋଚନା କରି ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅଧିକାଂଶ ଖଣି ବନ୍ଦ ହେବା ପରେ ଭୂୟାଁରୋଇଡା ଗ୍ରାମ ପନଚାୟରୁ କିଛି ଯୁବକ ଦାଦନ ଖଟିବା ପାଇଁ ହାଇଦ୍ରାବାଦ କୁ ଯାଇ ତାଙ୍କର ପାରିଶ୍ରମିକ ନପାଇ ନିର୍ଯାତିତ ହୋଇ କାର୍ଯ୍ୟ କରୁଥିବା ସଂପୃକ୍ତ କମ୍ପାନୀ ବିରୋଧରେ ଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ । ଏହା ବ୍ୟତିତ ବିଲେଇପଦା ଟାଟାସ୍ପଞ୍ଜ କାରଖାନାରେ ଜମିହରାଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନରେ ଟାଟାସ୍ପଞ୍ଜ କମ୍ପାନୀ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ କମ୍ପାନୀ ବିରୋଧରେ ଆଦିବାସୀ ସଂଗଠନ ହୋ ସେୟାଁ ମାସ୍କାଲ ଆକାଳା ପକ୍ଷରୁ ଅଭିଯୋଗ କରାଯିବା ପରେ ଜିଲାପାଳ ଏହି ଘଟଣା ସମ୍ପର୍କରେ କୋର୍ଟକୁ ଯିବା ପାଇଁ କହିଥିବା ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି । କଣ୍ଡରା ଗ୍ରାମ ପନଚାୟତରେ ସୋଲାର ବୋରେଓଲ କରି ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବା ପାଇଁ ଯୋଡା ବ୍ଲକ ପୂର୍ବତନ ଚେୟାରମ୍ୟାନ୍ ଗିରିଧାରୀ ନାଏକ ଅଭିଯୋଗ କରିଥିଲେ । ଗୁଆଲି ସରପନଚ ପଦ୍ମାବତୀ ନାଏକ ଗୁଆଲି ପକ୍କା ରାସ୍ତା ନିର୍ମାଣ ପାଇଁ ଅଭିଯୋଗ କରିଥିଲେ । ଧୋବାକୁଚୁଡାଠାରେ ସୋଲାର ଲାଇଟ୍ ବ୍ୟବସ୍ଥା କରିବା , ବାଲାଗୋଡାଠାରେ ଜବରଦଖଲ ଜମି , ଝାଡଗାଁ ଠାରେ ବାଇପାସ ରୋଡ , ଗୋବର୍ଦ୍ଧନପୁରଠାରେ ଜେଏସଡବ୍ଲୁ ପକ୍ଷରୁ ସିଏସଆର କାର୍ଯ୍ୟ କରିବା , ଲୋଇଡାପଦାଠାରେ ଟୋଲଗେଟ୍ ହସ୍ତାନ୍ତର , ଲହଣ୍ଡାଠାରେ ଅସମ୍ପୂର୍ଣ୍ଣ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା, ଭୂୟାଁରୋଇଡାଠାରେ ଆଲୋକ ବ୍ୟବସ୍ଥା , ବିଚାକୁଣ୍ଡି କେଥ ହଟିଂ ଠାରେ ପୋଲ ନିର୍ମାଣ କରିବା ପ୍ରଭୃତି ଅଭିଯୋଗ ହୋଇଥିଲା । ଦୁର୍ଘଟଣାର ଶିକାର ହୋଇ ଶାରିରୀକ ବିକଳାଙ୍ଗ ହୋଇଥିବା ରଣଦୀପ୍ ସାମନ୍ତ ଙ୍କୁ ଚିକିତ୍ସା ନିମନ୍ତେ ରେଡକ୍ରସ ପକ୍ଷରୁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ଜିଲାପାଳ ପ୍ରଦାନ କରିଥିଲେ । ଶଙ୍କରପୁର ଗ୍ରାମରେ ଗ୍ରାମଦେବୀ ମେଢର ଦୂରାବସ୍ଥା ଓ କାନପୁର ବୃହତ ନଦୀବନ୍ଧ ଯୋଜନାରେ କ୍ଷତିଗ୍ରସ୍ଥ ଲୋକଙ୍କର ବିଭିନ୍ନ ସମସ୍ୟା ନେଇ ଚମକପୁର ଗ୍ରାମପନଚାୟତର ପୂର୍ବତନ ସରପନଚ ପ୍ରଭାକର ନାଏକ ଜିଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ । ଏହା ସହିତ ବିଭିନ୍ନ ଗ୍ରାମରୁ ଆସିଥିବା ଲୋକମାନେ ବାର୍ଦ୍ଧକ୍ୟ ଭତା, ରାସନକାର୍ଡ, ବିଧବା ଭତା, ପ୍ରଧାନମନ୍ତ୍ରୀ ଆବାସ ଗୃହ, ବିଜୁ ପକ୍କା ଘର ପ୍ରଦାନ ପାଇଁ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ । ଅପରାହ୍ନରେ ଯୋଡା ପୌରପାଳିକା ସଭାଗୃହଠାରେ ରାଜ୍ୟରାଜପଥ ନଂ ୨ ବାମେବାରୀ-ଯୋଡା ରାସ୍ତାକୁ ଯୁଦ୍ଧକାଳୀନ ଭିତିରେ ୧ ସପ୍ତାହ ମଧ୍ୟରେ ମରାମତି କରାଯିବା ପାଇଁ ଖଣି ଲିଜ୍ଧାରୀ ପ୍ରତିନିଧି ଙ୍କ ସହିତ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ ଏକ ଆଲୋଚନା ବୈଠକ କରିଥିଲେ ।


