ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଶପଥ ପାଠ
ବାଲେଶ୍ୱର,(ଓ୍ବାଇଏନ୍ଏସ୍): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶପଥପାଠ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଅକ୍ଟୋବର ୨୭ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଥିବା ବେଳେ ଆଜି ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଘଟିକାରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀଙ୍କ ସମେତ ଏନଡିଆରଏଫ ଯବାନମାନେ ଏଥିରେ ଯୋଗ ଦେଇ ଜୀବନର ସବୁ କ୍ଷେତ୍ରରେ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖିବା ସହିତ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ପ୍ରତ୍ୟେକ ସ୍ତରରୁ ଉଦ୍ୟମ ଜାରି ରଖିବା ନିମନ୍ତେ ଶପଥ ପାଠ କରିଥିଲେ । ଶପଥ ପାଠର ମହତ୍ୱକୁ ବୁଝିବା ଏବଂ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରି ଏକ ସୁସ୍ଥ ସମାଜ ଗଠନ କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ଏହି ଅବସରର ଆହ୍ୱାନ ଦେଇଥିଲେ । ଆମେ ସମସ୍ତେ ଏଥିପାଇଁ ଐକ୍ୟବଦ୍ଧ ଭାବେ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । କୋଭିଡ୍ ନିୟମାବଳୀର ଅନୁପାଳନ ପୂର୍ବକ ଆଜିର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପିଡି, ଡିଆରଡିଏ ଶ୍ରୀ ରବୀନ୍ଦ୍ର କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଶପଥପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ସୂଚନା ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ ଏହାର ସଂଯୋଜନା କରିଥିଲେ । ଅନୁରୂପ ଭାବେ ବାଲେଶ୍ୱର ଭିଜିଲାନ୍ସ ମଣ୍ଡଳ କାର୍ଯ୍ୟାଳୟରେ ମଧ୍ୟ ଆଜି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭିଜିଲାନ୍ସ ଏସ.ପି. ଶ୍ରୀ ସନ୍ତୋଷ କୁମାର ମିଶ୍ର ମଣ୍ଡଳ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ ।