ମାର୍କେଟ କମ୍ପ୍ଲେକ୍ସ ଜାଗାରୁ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାର ସର୍ବ ବୃହତ ଜନବହୁଳ ସହର ହିଞ୍ଜିଳିକାଟୁ କୁ ପୌରପରିଷଦ ଭାବେ ମାନ୍ୟତା ପ୍ରଦାନ କରାଯାଇଛି । ବିଶେଷତଃ ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନର ଅଂଶ ବିଶେଷ ଏହି ସହରର ଉନ୍ନତି ଦିଗରେ ତାଙ୍କ ଅବଦାନ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କରୋନା ମହାମାରୀ ଓ ଅନ୍ୟାନ୍ୟ କାରଣରୁ ସହରର ବହୁ ଉନ୍ନୟନ ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇ ଅଧପନ୍ତରିଆ ଭାବେ ଅଟକି ରହିଛି । ତନ୍ମଧ୍ୟରେ ସହରର ପ୍ରମୁଖ କେନ୍ଦ୍ର ସ୍ଥଳରେ ପ୍ରସ୍ତାବିତ ଥିବା ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ବିଳମ୍ବିତ ହୋଇ ଚାଲିଥିଲା । ସମ୍ପୃକ୍ତ ସ୍ଥାନରୁ ଉଚ୍ଛେଦ ନେଇ ବ୍ୟବସାୟୀ ଓ ପୌର ପରିଷଦ ମଧ୍ୟରେ ଆଲୋଚନା ହୋଇଥିଲା ଏବଂ ଦଶହରା ପର୍ବ ପରେ ହଟାଇବା ନେଇ ସହମତି ପାଇଥିଲା । ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ପୌର ପରିଷଦ ପକ୍ଷରୁ ମାର୍କେଟ କମ୍ପ୍ଲେକ୍ସର ନିରୁପିତ ଅଞ୍ଚଳରେ ଗୁରୁବାର ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଉଚ୍ଛେଦ ପ୍ରକ୍ରିୟା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ଦେଇ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼.ମନୋରଞ୍ଜନ ସାହୁଙ୍କ ସମେତ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର, ସହକାରୀ ଯନ୍ତ୍ରୀ ଇଂ ଉମା ଚରଣ ପାଢ଼ୀ ଓ ଠିକାଦାର ସରୋଜ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଶାସନକୁ ସହଯୋଗ କରି ବ୍ୟବସାୟୀ ମାନେ ନିଜ ନିଜ ଦଖଲରେ ଥିବା ସ୍ଥାନକୁ ଖାଲି କରି ଦେଇଥିଲେ । ଉକ୍ତ ସ୍ଥାନରେ ୧.୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ୧୮ ଶହ ବର୍ଗ ଫୁଟ ପରିମିତ ଜାଗାରେ ଏକ ଉନ୍ନତ ମାନର ମାର୍କେଟ କମ୍ପ୍ଲେକ୍ସ ନିର୍ମିତ ହେବା ଲକ୍ଷ୍ୟ ରହିଛି ବୋଲି ଡ଼.ସାହୁ ସୂଚନା ଦେଇଛନ୍ତି । ଉଚ୍ଛେଦ ପ୍ରକ୍ରିୟା ବେଳେ କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ମିଶ୍ର, ବିବେକାନନ୍ଦ ମହାପାତ୍ରଙ୍କ ସମେତ ପୁଲିସ ଓ ପୌର କର୍ମଚାରୀ ମାନେ ଉପସ୍ଥିତ ଥିଲେ।ମୋଟା ମୋଟି ଉପରେ ଶାନ୍ତିପୂର୍ଣ ଭାବେ ଉଛେଦ ପ୍ରକ୍ରିୟା ଚାଲିଥିଲା ବୋଲି ଥାନା ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।


