ଆସିକାରେ ମହାପୁରୁଷ ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅସମ୍ମାନ: ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମହଲରେ ତୀବ୍ର ଅସନ୍ତୋଷ

ଆସିକା (ୱାଇଏନ୍‍ଏସ୍‍) : ଆସିକା ସହରର କେନ୍ଦ୍ରସ୍ଥଳରେ ଖମ୍ବେଶ୍ୱରୀ ପାଟଣା ଅଞ୍ଚଳରେ ଦୀର୍ଘ ଦିନ ଧରି ବନ୍ଦ ହୋଇରହିଥିବା ଗୁଡିଆ ସ୍କୁଲର ପ୍ରବେଶ ପଥ ନିକଟରେ ମହାପୁରୁଷ ମହାତ୍ମାଗାନ୍ଧୀ ଏବଂ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଅଲୋଡା ହୋଇ ଅବହେଳିତ ଅବସ୍ଥାରେ ଚଟାଣ ନିକଟରେ ପଡିରହିଥିଲେ ମଧ୍ୟ ସେଗୁଡିକୁ ସୁରକ୍ଷିତ ଭାବେ ରଖିବା ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବା ଘଟଣାକୁ ନେଇ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଏ ସଂପର୍କରେ ମିଳିଥିବା ସୂଚନା ଅନୁଯାୟୀ ଆସିକା ଅଞ୍ଚଳର ହାଟପଦା ଛକ ନିକଟରେ ୧୯୦୩ ମସିହାରେ ଜଣାଶୁଣା ସମାଜସେବୀ ଟି.ଭି.କୋଣ୍ଟଳା ରାଓ ଏବଂ ତାଙ୍କ ଧର୍ମପତ୍ନୀ ଟି.ଭି.ସୁନ୍ଦରାମ୍ମାଙ୍କ ଅକ୍ଳାନ୍ତ ପ୍ରଚେଷ୍ଟାରେ ଏକ ପାର୍କ ପ୍ରତିଷ୍ଠା କରାଯାଇଥିଲା । ପାର୍କ ପରିସରରେ ମହାପୁରୁଷ ମହାତ୍ମାଗାନ୍ଧୀ ଏବଂ ସ୍ୱାଧୀନତୀ ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ପାର୍କର ରକ୍ଷଣାବେକ୍ଷଣ ଓ ତଦାରଖ ଦାୟିତ୍ୱ ଆସିକା ପୌର ପରିଷଦ ଅଧୀନକୁ ଯାଇଥିଲା । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ଗତ ପାର୍କର ନବୀକରଣ କାର୍ଯ୍ୟକୁ ସଂପନ୍ନ କରାଯାଇ ୨୦୨୧ ମସିହା ଅଗଷ୍ଟ ମାସ ୩୧ ତାରିଖରେ ଲୋକାର୍ପଣ କରାଯାଇଥିଲା । କରୋନେସନ୍‍ ପାର୍କର ନବୀକରଣ କରାଯିବା ସମୟରେ ବର୍ଷ ବର୍ଷ ଧରି ପାର୍କ ମଧ୍ୟରେ ଶୋଭାବର୍ଦ୍ଧନ କରୁଥିବା ମହାପୁରୁଷ ମହାତ୍ମାଗାନ୍ଧୀ ଏବଂ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର କରାଯାଇଥିଲା । ଦୀର୍ଘ ଦିନ ଧରି ସହରର କେନ୍ଦ୍ରସ୍ଥଳରେ ଖମ୍ବେଶ୍ୱରୀ ପାଟଣା ଅଞ୍ଚଳର ବନ୍ଦ ହୋଇପଡିରହିଥିବା ଏକ ଶିକ୍ଷାନୁଷ୍ଠାନର ପ୍ରବେଶପଥ ନିକଟରେ ମହାପୁରୁଷ ମହାତ୍ମାଗାନ୍ଧୀ ଏବଂ ମହାନ୍‍ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଅଲୋଡା ହୋଇ ପଡିରହିଥିଲେ ମଧ୍ୟ ସେଗୁଡିକୁ ସୁରକ୍ଷିତ ଭାବେ ରଖିବା ଦିଗରେ ପଦକ୍ଷେପ ନିଆନଯିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଭାରତକୁ ସ୍ୱାଧୀନତା ଆଣିବା କ୍ଷେତ୍ରରେ ଯେଉଁ କିଛି ସଂଗ୍ରାମୀମାନଙ୍କ ଅବଦାନ ଅତୁଳନୀୟ ଥିଲା ସେମାନଙ୍କ ମଧ୍ୟରୁ ମହାମାନବ ଜାତିର ପିତା ମହାତ୍ମାଗାନ୍ଧୀ ଏବଂ ମହାନ୍‍ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ନାମ ଅନ୍ୟତମ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ସମୟରେ ପାଳିତ ହେଉଥିବା ସଭା ସମିତି ଗୁଡିକରେ ଧୋବଧାଉଳିଆ ଖୋଳ ପକାଇ କେତେକ ରାଜନେତା ମହାପୁରୁଷ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରୁଥିଲା ବେଳେ ଦୀର୍ଘ ଦିନ ଧରି ଅବହେଳିତ ଅବସ୍ଥାରେ ଅଲୋଡା ହୋଇପଡିରହିଥିବା ମହାପୁରୁଷ ମହାତ୍ମାଗାନ୍ଧୀ ଏବଂ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିର ଦୂରାବସ୍ଥା ପ୍ରତି ଧ୍ୟାନ ନଦେବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଏହା ଦାୟିତ୍ୱରେ ଥିବା ଅଧିକାରୀଙ୍କ ନକରାତ୍ମକ ଚିନ୍ତାଧାରାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଅଞ୍ଚଳର କେଉଁ ଅଧିକାରୀଙ୍କ ଇଛାଶକ୍ତିର ଅଭାବ ଏବଂ ଉଦାସୀନ ମନୋବୃତ୍ତି ଯୋଗୁଁ ଖମ୍ବେଶ୍ୱରୀପାଟଣାରେ ବନ୍ଦ ହୋଇପଡିରହିଥିବା ଗୁଡିଆ ସ୍କୁଲର ପ୍ରବେଶ ପଥ ନିକଟରେ ମହାପୁରୁଷ ମହାତ୍ମାଗାନ୍ଧୀ ଏବଂ ମହାନ୍‍ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଅଲୋଡା ହୋଇପଡିରହିଛି ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶିକ୍ଷାବିତ୍‍ ପ୍ରସନ୍ନ କୁମାର ତ୍ରିପାଠୀ, ଆସିକା ପୌର ପରିଷଦର କାଉନସିଲର ନିଗମାନନ୍ଦ ରାଉତ, ଯୁବ ବିଜେଡି ନେତା ଜିତେନ୍ଦ୍ର କୁମାର ମହାରଣା, ପୂର୍ବତନ କାଉନସିଲର କୈଳାଶ ଚନ୍ଦ୍ର ପ୍ରଧାନ, ସମାଜସେବୀ ଶିବପ୍ରସାଦ ଶତପଥୀ ପ୍ରମୁଖ ଦୃଢ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ