ଗୋଟିଏ ରାତିରେ ୫ଟି ଦୋକାନରୁ ଚୋରି; ପୁଲିସ୍‍ର ତନାଘନା, ବ୍ୟବସାୟୀଙ୍କ ମଧ୍ୟରେ ଆତଙ୍କ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକର ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ବ୍ରାହ୍ମଣୀଗାଁ ବଜାରରୁ ଗୋଟିଏ ରାତିରେ ୫ଟି ଦୋକାନରୁ ଚୋରି ହୋଇଛି । ଏନେଇ ପୁଲିସ୍‍ ତନାଘନା ଚଳାଇଥିବା ବେଳେ ଅଞ୍ଚଳବାସୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି ।ଅଭିଯୋଗ ଅନୁଯାୟୀ, କେହି ଦୁର୍ବୃତ୍ତ ବିଳମ୍ବିତ ରାତ୍ରିରେ ବ୍ରାହ୍ମଣୀଗାଁ ବଜାର ସ୍ଥିତ ସତ୍ୟନାରାୟଣ ଜୁଏଲେରୀ ଦୋକାନର ତାଲାଭାଙ୍ଗି ପ୍ରାୟ ଅଧା କେଜି ରୁପା ଅଳଙ୍କାର ଲୁଟି ନେଇଥିବା ବେଳେ ନନ୍ଦିନି ନାଗରୀକ ସେବାକେନ୍ଦ୍ରରୁ ଗୋଟିଏ ମୋବାଇଲ ସହ ୩୦ ହଜାର ଟଙ୍କା, ପପୁନା କାର୍ଯୀଙ୍କ ଇଲେକ୍ଟ୍ରୋନିକ୍ସ ଦୋକାନରୁ ଗୋଟିଏ ମୋବାଇଲ ଚୋରି କରିନେଇଥିବା ବେଳେ ହାଟପଦା ନିକଟରେ ଥିବା ଶିବରାମ ସାହୁଙ୍କ ରସ ପିତଳ ଦୋକାନ ଏବଂ ଗଦାଧର ନାୟକଙ୍କ ଘରେ କେହି ନ ଥିବା ବେଳେ ତାଙ୍କ ଘରର ତାଲା ଭାଙ୍ଗି ଦେଇଥିବା ଜଣାପଡିଛି। ହେଲେ ଗଦାଧର ଏବଂ ଶିବରାମଙ୍କ କୌଣସି ଜିନିଷ ଚୋରି ହୋଇଥିବା ଜଣାପଡିନାହିଁ । ଏନେଇ ସକାଳୁ ଲବନାଥ ଦିଗାଳ, ପପୁନା କାର୍ଯୀ ଓ ଅରବିନ୍ଦ ସାହୁ ବ୍ରାହ୍ମଣୀଗାଁ ଥାନା ଲିଖିତ ଅଭିଯୋଗ କରିଥିବା ବେଳେ ଥାନା ଅଧିକାରୀ ରଂଜିତ କୁମାର ମୁନୀ ଓ ଏସ୍‍.ଆଇ ସଂଗ୍ରାମ କେଶରୀ ଜେନା ଘଟଣା ସ୍ଥଳରେ ପହଞ୍ଚି ସାଇନ୍‍ଟିଫିକ ଦଳର ଅତିରିକ୍ତ ଅଧିକାରୀ ସୁଧାଂଶୁ ଶେଖର ପଣ୍ଡା ଓ ଡଗ୍‍ ମାଷ୍ଟର ରାଜକୁମାର ବେହେରା, ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳେଇଥିବା ଜଣାପଡିଛି। ଏନେଇ ଥାନାରେ କେଶନଂ ୮୪/୨୦ ରେ ଏକମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ଥାନାଅଧିକାରୀ ଶ୍ରୀ ମୁନୀ ସୂଚନା ଦେଇଛନ୍ତି । ସନ୍ଧାନୀ କୁକୁର ଯାଇ ବଟ୍ଟପଲ୍ଲୀ ସାହିର ଗୋଟିଏ ଗୃହରେ ଯାଇ ଅଟକି ଥିବା ବେଳେ ଜୁଆଡି ମାନଙ୍କ ମଧ୍ୟରୁ କେହି ଦୁର୍ବୃତ୍ତ ଏପ୍ରକାର କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି । ଏଣୁ ଜୁଆଖେଳ ଓ ମଦ ନିବାରଣ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ଦୋଷିକୁ ଚିହ୍ନଟ କରିବା ସହ ରାତ୍ରି କାଳିନ ପାଟ୍ରୋଲିଂକୁ କଡାକଡ଼ି  କରିବାକୁ ଜନସାଧାରଣ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ