ଭାରତ ୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ ହେବ

ନୂଆଦିଲ୍ଲୀ: କରୋନା ମହାମାରୀ ଦେଶର ଅର୍ଥନୀତିକୁ ଧ୍ଵସ୍ଥବିଧ୍ଵସ୍ଥ କରିଦେଇଛି । ଅର୍ଥନୈତିକ ଅଭିବୃଦ୍ଧି ନିମ୍ନମୁଖୀ ହେବା ସହିତ କରୋନା ମୁକାବିଲା ପାଇଁ ସରକାରଙ୍କୁ ଆର୍ଥିକ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାସତ୍ତ୍ବେ ଭାରତୀୟ ଅର୍ଥନୀତି ଆସନ୍ତା ୨୦୨୪ ମସିହା ସୁଦ୍ଧା ୫ ଟ୍ରିଲିୟନ ଡଲାର ବା ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।ପ୍ରଧାନମନ୍ତ୍ରୀ କହିଛନ୍ତି, ଧାର୍ଯ୍ୟ ତାରିଖର ଯଥେଷ୍ଟ ପୂର୍ବରୁ ଲକ୍ଷ୍ୟ ହାସଲ କରିବାରେ ତାଙ୍କ ସରକାରଙ୍କର ରେକର୍ଡ ରହିଛି। ତେଣୁ ଏହି ଲକ୍ଷ୍ୟକୁ ମଧ୍ୟ ସରକାର ହାସଲ କରିପାରିବେ। ସେ କହିଛନ୍ତି ଯେଉଁମାନେ ନିରାଶାବାଦୀ ସେମାନେ ନିରାଶ ଓ ହତାଶର କଥା କହିଥାନ୍ତି। କିନ୍ତୁ ଆପଣମାନେ ଯଦି ଆଶାବାଦୀ ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତି ତାହେଲେ ପରିସ୍ଥିତିରେ କିଭଳି ଉନ୍ନତି ଅଣାଯାଇ ପାରିବ ସେ ନେଇ ନୂଆ ଚିନ୍ତାଧାରା ଓ ପରାମର୍ଶ ଶୁଣିବାକୁ ପାଇବେ ବୋଲି ମୋଦୀ କହିଛନ୍ତି । ଏବେ ଆମ ଦେଶ ଭବିଷ୍ୟତକୁ ନେଇ ଆଶାବାଦୀ ରହିଛି। ୫ ଲକ୍ଷ କୋଟି ଡଲାର ଲକ୍ଷ୍ୟ ହାସଲକୁ ନେଇ ମଧ୍ୟ ଆଶାବାଦୀ ରହିଛି ବୋଲି ମୋଦୀ ଏକ ସାକ୍ଷାତକାରରେ କହିଛନ୍ତି। ଦେଶରେ କରୋନା ଯୋଦ୍ଧାମାନେ ଯେଭଳି କାମ କରୁଛନ୍ତି ତାହାକୁ ଦେଖିବା ପରେ ସମଗ୍ର ଦେଶ ଗର୍ବ ଅନୁଭବ କରିବା ଉଚିତ। ଏଥିସହିତ ଅଧିକ କାର୍ଯ୍ୟ କରିବା ପାଇଁ ମଧ୍ୟ ଉଦ୍ୟମ କରିବା ଆବଶ୍ୟକ। କରୋନା ମହାମାରୀ ଯଦିଓ ଦେଶର ଯୋଜନାକୁ ଗଡ଼ବଡ଼ କରିଦେଇଛି ତଥାପି ସରକାର ଚଳିତବର୍ଷ ହୋଇଥିବା କ୍ଷତିକୁ ଭରଣା‌ କରିବା ପାଇଁ ଆସନ୍ତାବର୍ଷ ଅଧିକ ବେଗରେ କାର୍ଯ୍ୟ କରି‌େବ। କ୍ରୟ ଶକ୍ତି ସମତା (ପିପିପି) ମୂଲ୍ୟରେ ଭାରତ ବିଶ୍ବର ତୃତୀୟ ବୃହତ ଅର୍ଥନୀତି। ଆମେ ଡଲାର ମୂଲ୍ୟରେ ବିଶ୍ବର ତୃତୀୟ ବୃହତ ଅର୍ଥନୀତିରେ ପରିଣତ ହେବାକୁ ମଧ୍ୟ ଲକ୍ଷ୍ୟ ରଖିଛିୁ। ୫ ଲକ୍ଷ କୋଟି ଡଲାର ଲକ୍ଷ୍ୟ ଆମକୁ ଡଲାର ମୂଲ୍ୟରେ ବିଶ୍ବର ତୃତୀୟ ବୃହତ ଅର୍ଥନୀତିରେ ପରିଣତ ହେବାରେ ସହାୟକ ହେବ ବୋଲି ମୋଦୀ କହିଛନ୍ତି। ପୂର୍ବରୁ ସରକାର ହାସଲ କରିଥିବା ଲକ୍ଷ୍ୟ ସଂପର୍କରେ ଉଦାହରଣ ଦେଇ ମୋଦୀ କହିଛନ୍ତି, ଗ୍ରାମୀଣ ପରିମଳ, ଗ୍ରାମୀଣ ବିଦ୍ୟୁତୀକରଣ, ଉଜ୍ଜ୍ବଳା ସଂଯୋଗ ଆଦି ଯୋଜନାରେ ଧାର୍ଯ୍ୟ ଲକ୍ଷ୍ୟ ପୂର୍ବରୁ ସଫଳତା ମିଳିଛି। ‌ସରକାର ୫ ଲକ୍ଷ କୋଟି ଡଲାରର ଅର୍ଥନୀତି ଲକ୍ଷ୍ୟ ମଧ୍ୟ ଧାର୍ଯ୍ୟ ସମୟ ପୂର୍ବରୁ ହାସଲ କରିପାରିବେ ବୋଲି ଲୋକେ ଆଶାବାଦୀ ଥିବା ମୋଦୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ