ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମୀକ୍ଷା ବୈଠକ
ଛତ୍ରପୁର,(ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ସମୀକ୍ଷା ବୈଠକରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ବିଦ୍ୟାଳୟ, ଅଙ୍ଗନଓ୍ବାଡି କେନ୍ଦ୍ର, ଆଶ୍ରମ ବିଦ୍ୟାଳୟ, ମୋ ଉପକାରୀ ବଗିଚା ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, (ଏ.ପି.ଓ. ) ସହକାରୀ ପଞ୍ଚାୟତ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ଯନ୍ତ୍ରୀ ମାନଙ୍କୁ ନେଇ ଉକ୍ତ ସମୀକ୍ଷା ବୈଠକରେ ଆସନ୍ତା କାଲି ଠାରୁ ୧୦୦ ଦିନିଆ ଅଭିଯାନ ଆରମ୍ଭ କରି ସମସ୍ତ ବିଦ୍ୟାଳୟ, ଅଙ୍ଗନଓ୍ବାଡି କେନ୍ଦ୍ର, ଆଶ୍ରମ ବିଦ୍ୟାଳୟ ଗୁଡିକରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା, ଶୌଚାଳୟ ଏବଂ ହାତଧୂଆ ବ୍ୟବସ୍ଥା ଗୁଡିକର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ବିଦ୍ୟାଳୟ, ଅଙ୍ଗନଓ୍ବାଡି କେନ୍ଦ୍ର ଏବଂ ଆଶ୍ରମ ବିଦ୍ୟାଳୟ ଗୁଡିକରେ ବିଦ୍ୟୁତ୍ ସଂଯୋଗ ନାହିଁ ତୁରନ୍ତ ବିଦ୍ୟୁତ୍ ସଂଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍ଥାୟୀ ଜଳ ଉତ୍ସ ଥିବା ଶିକ୍ଷାନୁଷ୍ଠାନ ଗୁଡିକରେ ଓଭରହେଡ୍ ଟାଙ୍କି ନିର୍ମାଣ କିମ୍ବା ସିଣ୍ଟେକ୍ସ ଟାଙ୍କି ବସାଇ ମୋଟର ଯୋଗେ ଜଳ ଯୋଗାଇବାକୁ କହିଥିଲେ । ସ୍ଥାୟୀ ଜଳ ଉତ୍ସ ନଥିବା ସ୍ଥାନରେ ଜଳ ଜୀବନ ମିଶନ୍ ବା ଡି. ଡବ୍ଲ୍ୟୁ.ଏସ୍.ଏମ୍. ଜରିଆରେ ସ୍ଥାୟୀ ଜଳ ଉତ୍ସ କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ଗୁଡିକରେ ପ୍ରତି ୨୫ ଜଣ ପିଲା ହାତ ଧୋଇବା ପାଇଁ ଗୋଟିଏ ଲେଖାଏଁ ବେସିନ୍ ବସାଇବାକୁ ଏବଂ ପ୍ରତି ଅଙ୍ଗନଓ୍ବାଡି କେନ୍ଦ୍ରରେ ଗୋଟିଏ ବା ଦୁଇଟି ହାତଧୂଆ ବେସିନ୍ ବସାଇବା ପାଇଁ କହିଥିଲେ । ପ୍ରାୟ ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ରେ ମୋ କାରୀ ବଗିଚା ସୃଷ୍ଟି କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ । ପ୍ରତି ପଞ୍ଚାୟତ ସମିତି, ରୋଜଗାର ମେଳା କରି ହିତାଧିକାରୀ ମାନଙ୍କୁ ସଚେତନ କରିବା କୁ ପରାମର୍ଶ ଦେଇଥିଲେ । ଚଳିତ ବର୍ଷ ୩୧ ତାରିଖ ସୁଦ୍ଧା ୨,୧୨,୬୮,୦୩୦ ଟି ଶ୍ରମ ଦିବସ ବା ରୋଜଗାର ଦିବସ ସୃଷ୍ଟି କରାଯିବା ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ୧,୦୮,୬୭,୦୪୧ ଟି ଶ୍ରମ ଦିବସ ବା ରୋଜଗାର ଦିବସ ସୃଷ୍ଟି କରାଯିବା ସହ ୩,୧୧,୮୨୭ ଟି ଅଗ୍ରଗତି କରିଛି । ନଭେମ୍ବର ମାସ ପ୍ରଥମ ସପ୍ତାହ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜବ୍ କାର୍ଡ ଉପରେ ମଧ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଗୁରୁତ୍ବ ଆରୋପ କରିଥିଲେ । ଅକ୍ଟୋବର ୩୧ ତାରିଖ ସୁଦ୍ଧା ୫,୬୯,୮୪୪ ଟି ଜବ୍ କାର୍ଡ ପଞ୍ଜିକୃତ ହୋଇଥିବେ ବେଳେ ୫,୫୮,୩୨୫ ଟି ଜବ୍ କାର୍ଡ ପ୍ରଦାନ କରାଯାଇଛି ଏବଂ ୩,୩୬,୮୪୦ ଟି ଜବ୍ କାର୍ଡକୁ ସଚଳ କରାଯାଇଥିବା ବେଳେ ୩୭,୭୦୮ ଟି ନୂତନ ଜବ୍ କାର୍ଡ ପ୍ରଦାନ କରାଯାଇଛି । ମୋ ଉପକାରୀ ବଗିଚା, ପଶୁ ଖାଦ୍ୟ ଚାଷ, ଗୃହ ପାଳିତ ପକ୍ଷୀଙ୍କ ନିମନ୍ତେ ଆଶ୍ରୟ ସ୍ଥଳର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ଗ୍ରାମ ବିଶ୍ରାମ ଗୃହ ପାଇଁ ତୁରନ୍ତ ସ୍ଥାନ ନିରୂପଣ କରି ଜଣାଇବା ପାଇଁ ନିର୍ଦେଶ ଦେଇଥିଲେ । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅଚଳ ହୋଇଥିବା ପାସ୍ ବୁକ୍ ଗୁଡିକୁ ତୁରନ୍ତ ସଚଳ କରି ହିତାଧିକାରୀମାନଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ବୈଠକରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଓ.ଏସ୍.ଡି. କୃଷ୍ଣଚନ୍ଦ୍ର ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ ଏବଂ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଗଣ ଉପସ୍ଥିତ ଥିଲେ . ।