ବ୍ୟାଙ୍କ ସର୍ଭିସ୍‌ ଚାର୍ଜ ବଢ଼ାଇବେନି, ନିଷ୍ପତ୍ତି ପ୍ରତ୍ୟାହାର କରିବ ବ୍ୟାଙ୍କ ଅଫ୍‌ ବରୋଦା

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍‌ ବରୋଦା ଚଳିତ ନଭେମ୍ବର ୧ରୁ ମାଗଣା ଜମା ଓ ଉଠାଣ ସଂଖ୍ୟା ହ୍ରାସ କରିଥିଲା। ଏକ ନିର୍ଦ୍ଦି‌ଷ୍ଟ ସଂଖ୍ୟା ଠାରୁ ଅଧିକ ଥର ସେବା ହାସଲ କରୁଥିବା ଗ୍ରାହକଙ୍କ ଠାରୁ ମୋଟା ଅଙ୍କର ସର୍ଭିସ୍‌ ଚାର୍ଜ ଆଦାୟ କରିବ ବୋଲି ନିଷ୍ପତ୍ତି ନେଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଗ୍ରାହକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅନ୍ୟ ବ୍ୟାଙ୍କଗୁଡ଼ିକ ମଧ୍ୟ ସେଭଳି କଠୋର ପଦକ୍ଷେପ ଗ୍ରହଣ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଥିଲା। କୌଣସି ବ୍ୟାଙ୍କ ନିକଟ ଭବିଷ୍ୟତରେ ସର୍ଭିସ୍ ଚାର୍ଜ ବଢ଼ାଇବେ ନାହିଁ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆଜି କୁହାଯାଇଛି ଯେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଅଫ୍‌ ବରୋଦା ଏହାର ନିଷ୍ପତ୍ତିକୁ ପ୍ରତ୍ୟାହାର କରିବ। ଅନ୍ୟ କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ନିକଟ ଅତୀତରେ ସର୍ଭିସ ଚାର୍ଜ ବୃଦ୍ଧି କରିନାହାନ୍ତି। ରିଜର୍ଭ ବ୍ୟାଙ୍କର ନିର୍ଦେଶାବଳି ଅନୁସାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହଙ୍କ ସମେତ ଦେଶର ସମସ୍ତ ବ୍ୟାଙ୍କ ନିଜର ସେବା ଯୋଗାଣ ପାଇଁ ଦେୟ ଧାର୍ଯ୍ୟ କରି ପାରୁଛନ୍ତି । ତେବେ ଏହି ଦେୟ ବା ସର୍ଭିସ ଚାର୍ଜ ଲାଗୁ କରିବା ବେଳେ ତାହା ନ୍ୟାୟୋଚିତ, ସ୍ୱଚ୍ଛ, ପାତରଅନ୍ତର ବିହୀନ ଏବଂ ଯୁକ୍ତି ସଂଗତ ହେବା ଉଚିତ ବୋଲି ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶାବଳିରେ ସ୍ପଷ୍ଟ କରାଯାଇଛି । ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହ ଜଣାଇଛନ୍ତି ଯେ ନିକଟ ଭବିଷ୍ୟତରେ ବ୍ୟାଙ୍କର ସର୍ଭିସ ଚାର୍ଜ ବଢାଇବାର କୌଣସି ପ୍ରସ୍ତାବ ନାହିଁ। କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ସେମାନେ ଗ୍ରହଣ କରିଛନ୍ତି। ଜନଧନ ଖାତା ସମେତ ବେସିକ ସେଭିଂସ ବ୍ୟାଙ୍କ ଡିପୋଜିଟ (ବିଏସ୍‌ବିଡି)- ଖାତାରେ ସର୍ଭିସ ଚାର୍ଜ ଲାଗୁ କରାଯିବାର ବ୍ୟବସ୍ଥା ନାହିଁ। ଦେଶରେ ୬୦.୦୪ କୋଟି ବିଏସ୍‌ବିଡି ଆକାଉଣ୍ଟ ରହିଥିବା ବେଳେ ସେଥି ମଧ୍ୟରୁ ୪୧.୧୩ କୋଟି ହେଉଛି ଜନ ଧନ ଖାତା। ଜନଧନ ଆକାଉଣ୍ଟ ଖୋଲିଥିବା ଲୋକମାନେ ଗରିବ ଏବଂ ସେମାନେ ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳର ଅଧିବାସୀ। ତେଣୁ ଏହି ବର୍ଗର କୌଣସି ଜମା ଖାତାଧାରୀଙ୍କଠାରୁ ସର୍ଭିସ ଚାର୍ଜ ନେବାର ବ୍ୟବସ୍ଥା ନାହିଁ । ଏମାନଙ୍କୁ ମାଗଣା ବ୍ୟାଙ୍କ ସେବା ଯୋଗାଇ ଦେବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ରହିଛି ବୋଲି ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ନିୟମିତ ସେଭିଙ୍ଗସ୍‌ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ, କ୍ୟାଶ କ୍ରେଡିଟ ଆକାଉଣ୍ଟ ଓ ଓଭରଡ୍ରାଫ୍ଟ ଆକାଉଣ୍ଟ ଆଦି କ୍ଷେତ୍ରରେ ସର୍ଭିସ ଚାର୍ଜ ବୃଦ୍ଧି କରାଯାଇନାହିଁ ବୋଲି ମଧ୍ୟ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ