ମୁମ୍ବାଇକୁ ହରାଇ ପ୍ଲେ ଅଫ୍‌ରେ ହାଇଦ୍ରାବାଦ

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ର ଶେଷ ଲିଗ୍‌ ମ୍ୟାଚ୍‌ରେ ମଙ୍ଗଳବାର ପଏଣ୍ଟ ତାଲିକାର ଶୀର୍ଷରେ ଥିବା ମୁମ୍ବାଇ ଇଣ୍ଡିଆନ୍‌ସକୁ ୧୦ ୱିକେଟରେ ପରାସ୍ତ କରି ସନ୍‌ରାଇଜର୍ସ ହାଇଦ୍ରାବାଦ ଚତୁର୍ଥ ଦଳ ଭାବେ ପ୍ଲେ-ଅଫ୍‌ରେ ପ୍ରବେଶ କରିଛି। ପୂର୍ବରୁ ମୁମ୍ବାଇ, ଦିଲ୍ଲୀ ଓ ବାଙ୍ଗାଲୋର ଏହି ପର୍ଯ୍ୟାୟରେ ପହଞ୍ଚିଯାଇଥିଲା ବେଳେ ଚତୁର୍ଥ ସ୍ଥାନ ପାଇଁ ଆଶାୟୀ କୋଲ୍‌କାତା ନାଇଟ୍‌ ରାଇଡର୍ସ (-୦.୨୧୪)କୁ ମଙ୍ଗଳବାର ହାଇଦ୍ରାବାଦ (୦.୬୦୮) ଉନ୍ନତ ନେଟ୍‌ ରନ୍‌ ରେଟ୍‌ରେ ପଛରେ ପକାଇ ଦେଇଥିଲା। ଉଭୟ ହାଇଦ୍ରାବାଦ ଓ କୋଲ୍‌କାତା ସମାନ ୧୪ ପଏଣ୍ଟ୍‌ ପାଇଥିଲେ ମଧ୍ୟ ଏନଆର୍‌ଆର୍‌ ଉଭୟ ଦଳର ଭାଗ୍ୟରେ ବଡ଼ ଫରକ ପକାଇଥିଲା। ଉନ୍ନତ ରନ୍‌ ରେଟ୍‌ ଭିତ୍ତିରେ ଡେଭିଡ୍‌ ୱାର୍ନରଙ୍କ ଦଳ ମଧ୍ୟ ତୃତୀୟ ସ୍ଥାନରେ ଲିଗ୍‌ ଅଭିଯାନ ଶେଷ କରିଛି। ବିରାଟ କୋହଲିଙ୍କ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଚତୁର୍ଥକୁ ଖସିଯାଇଛି। ଏଥି ସହିତ ପ୍ଲେ-ଅଫ୍‌ ସୂଚୀ ମଧ୍ୟ ଚୂଡାନ୍ତ ରୂପ ନେଇଛି। ମୁମ୍ବାଇ ଓ ଦିଲ୍ଲୀ ପ୍ରଥମ ଦୁଇଟି ସ୍ଥାନରେ ରହିଥିବା‌ରୁ ଗୁରୁବାର ପ୍ଲେ-ଅଫ୍‌ରେ ପ୍ରଥମ କ୍ବାଲିଫାୟର ଖେଳିବେ। ଶୁକ୍ରବାର ବାଙ୍ଗାଲୋର ଓ ହାଇଦ୍ରାବାଦ ମଧ୍ୟରେ ଏଲିମିନେଟର୍‌ ଖେଳାଯିବ। ସୋମବାର ବାଙ୍ଗାଲୋରକୁ ପରାସ୍ତ କରି ଦିଲ୍ଲୀ ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ପହଞ୍ଚି ଯାଇଥିଲା । ମଙ୍ଗଳବାର ଶେଷ ଲିଗ୍‌ ମ୍ୟାଚ୍‌ରେ ଟସ୍‌ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ କରିଥିଲା। ଦଳର ବୋଲରମାନେ ମୁମ୍ବାଇ ପାଳିକୁ ୧୪୯/୮ରେ ସୀମିତ ରଖିଥିଲେ। ତେବେ ତିନି ପ୍ରମୁଖ ତାରକା ଟ୍ରେଣ୍ଟ୍‌ ବୋଲ୍‌ଟ, ଯଶ୍‌ପ୍ରୀତ୍‌ ବୁମ୍‌ରା ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ହାଇଦ୍ରାବାଦ କୌଣସି ୱିକେଟ୍‌ ନହରାଇ ପୂରା ସହଜ ବିଜୟ ହାସଲ କରିଥିଲା। ଡେଭିଡ୍‌ ୱାର୍ନର (୮୫*, ୫୮ ବଲ) ଏବଂ ରିଦ୍ଧିମାନ ସାହା (୫୮*, ୪୫ ବଲ) ନିଜ ନିଜର ଅର୍ଧଶତକ ପୂରଣ କରି ୧୭.୧ ଓଭରରେ ଦଳକୁ ୧୦ ୱିକେଟ୍‌ରେ ବିଜୟ ଭେଟି ଦେଇଥିଲେ। ଯୋଗ୍ୟତା ଅର୍ଜନ କରିବା ବାଟରେ ହାଇଦ୍ରାବାଦ ମଧ୍ୟ ଅନ୍ୟ ୩ ଯୋଗ୍ୟ ଦଳକୁ ହରାଇ ହ୍ୟାଟ୍ରିକ କରିବାର ଅପୂର୍ବ ସଂଯୋଗ ପାଇଛି। ଚମତ୍କାର ବୋଲିଂ ପାଇଁ ସାହବାଜ ନଦୀମଙ୍କୁ କିନ୍ତୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା । ପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ସନ୍ଦୀପ ଶର୍ମା ଏବଂ ସାହବାଜ୍‌ ନଦୀମ, ଜାସନ୍‌ ହୋଲ୍‌ଡରଙ୍କ ମାରାତ୍ମକ ବୋଲିଂର ସାମ୍‌ନା କରିନପାରି ନିର୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୪୯ ରନ୍‌ କରିଥିଲା। ଆହତ ଯୋଗୁଁ ଲଗାତାର ୫ଟି ମ୍ୟାଚ୍‌ରୁ ବଞ୍ଚିତ ହୋଇଥିବା ମୁମ୍ବାଇ ଅଧିନାୟକ ‌ରୋହିତ ଶର୍ମା ଏହି ମ୍ୟାଚ୍‌କୁ ଫେରିଥିଲେ ମଧ୍ୟ‌ ମାତ୍ର ୪ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କୁ ସନ୍ଦୀପ ଶର୍ମା ଆଉଟ୍‌ କରି ମୁମ୍ବାଇକୁ ପ୍ରାରମ୍ଭିକ ଝଟ୍‌କା ଦେଇଥିଲେ। କ୍ବିଣ୍ଟନ ଡି’କକ୍‌ ୨୫ (୧୩ ବଲ୍‌) ସନ୍ଦୀପଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ୪.୪ ଓଭରରେ ମୁମ୍ବାଇ ୩୯/୨ରେ ସଂଘର୍ଷ କରିଥିଲା। ସୂର୍ଯ୍ୟକୁମାର ଯାଦବ ୩୬ (୨୯ ବଲ୍‌) ଓ ଈଶାନ କିଷନ ୩୩ (୩୦ ବଲ୍‌) ତୃତୀୟ ୱିକେଟ୍‌ରେ ୪୨ ରନ୍‌ ଯୋଡ଼ି ସ୍ଥିତି ସୁଧାରି ‌ନେଇଥିଲେ। ହେଲେ ଲଗାତାର ୱିକେଟ୍‌ ହରାଇ ମୁମ୍ବାଇ ବଡ଼ ସ୍କୋର୍‌ କରିବାରେ ବିଫଳ ହୋଇଥିଲା। ତେବେ ଶେଷ ସମୟରେ କିରଣ ପୋଲାର୍ଡଙ୍କ ବିସ୍ଫୋରକ ୪୧ (୨୫ ବଲ୍‌) ରନ୍‌ ବଳରେ ହାଇଦ୍ରାବାଦ ସମ୍ମୁଖରେ ମୁମ୍ବାଇ ୧୫୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ସନ୍ଦୀପ ଶର୍ମା (୩/୩୪), ଜାସନ ହୋଲ୍‌ଡର (୨/୨୫) ଓ ସାହବାଜ ନଦୀମ (୨/୧୯) ହାଇଦ୍ରାବାଦ ପାଇଁ ସଫଳ ବୋଲର ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ