ଯାଜପୁରରେ ବନ୍ୟା ସ୍ଥିତି: ମୃତକଙ୍କ ପରିବାରକୁ ରେଡକ୍ରସ୍‌ ସହାୟତା

ଯାଜପୁର (ପ୍ରଦୀପ କୁମାର ମଲ୍ଲିକ): ଯାଜପୁର ଜିଲ୍ଲାରେ ବୈତରଣୀ, କାଣୀ ଓ ବ୍ରାହ୍ମଣୀ ନଦୀରେ ସୃଷ୍ଟି ହୋଇଥିବା ଘାଇ ଯୋଗୁଁ ବ୍ୟାପକ ବନ୍ୟା ପରିସ୍ଥିତି ଉପୁଜିଛି। ଦଶରଥପୁର ବ୍ଲକ୍‌ର ତରପଦା ପଞ୍ଚାୟତ ଅନ୍ତର୍ଗତ ପାଟଣା ଗ୍ରାମ ନିକଟରେ ଏବଂ ବିଞ୍ଝାରପୁର ବ୍ଲକ୍‌ର ଜରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନଉବାଙ୍କ ଗ୍ରାମ ନିକଟରେ ନଦୀବନ୍ଧରେ ଦୁଇଟି ପୃଥକ ଘାଇ ସୃଷ୍ଟି ହେବାରୁ ବନ୍ୟାଜଳ ବ୍ୟାପକ ଅଞ୍ଚଳକୁ ପ୍ଲାବିତ କରିଛି।ସରକାରୀ ରିପୋର୍ଟ ଅନୁଯାୟୀ, ଜିଲ୍ଲାର ୧୦ଟି ବ୍ଲକ୍‌ର ୧୨୩ଟି ଗ୍ରାମପଞ୍ଚାୟତ ଓ ୪୦୫ଟି ଗାଁର ମୋଟ ୪,୩୪,୬୩୨ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ସେଥିମଧ୍ୟରୁ ୯୯,୭୫୭ ଜଣ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ବନ୍ୟା ଯୋଗୁଁ ୧୯,୧୧୨ ହେକ୍ଟର ଚାଷଜମି ଏବଂ ୧,୫୮,୭୭୭ଟି ପଶୁସମ୍ପଦ ପ୍ରଭାବିତ ହୋଇଛି।ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର, ରିଲିଫ୍‌ ଓ ସ୍ୱାସ୍ଥ୍ୟସେବା କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରାନ୍ୱିତ କରାଯାଇଛି। ଆଜି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଦଶରଥପୁର ବ୍ଲକ୍‌ କାର୍ଯ୍ୟାଳୟରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ବରିଷ୍ଠ ଅଧିକାରୀମାନେ ପ୍ରଭାବିତ ଅଞ୍ଚଳରେ ଉପସ୍ଥିତ ରହି ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟର ନିରନ୍ତର ତଦାରଖ କରୁଛନ୍ତି।ବରୀ ବ୍ଲକ୍‌ ଅନ୍ତର୍ଗତ ଚିନ୍ତସାହି ଗ୍ରାମର ୬୫ ବର୍ଷୀୟ ହୃଷୀକେଶ ମଲ୍ଲିକ, ପିତା–ଭାଜି ମଲ୍ଲିକଙ୍କ ମୃତ୍ୟୁ ଘଟଣାରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ) ଶ୍ରୀ ଶିବାନନ୍ଦ ସ୍ବାଇଁ ସ୍ପଟ୍‌ ଇନ୍‌କ୍ବାରୀ କରିଛନ୍ତି। ସେ ମୃତକଙ୍କ ଘରକୁ ଯାଇ ଘଟଣାର ତଦନ୍ତ କରିବା ସହ ବରୀ ବିଡିଓ ଓ ତହସିଲଦାରଙ୍କ ଉପସ୍ଥିତିରେ ଜିଲ୍ଲା ରେଡକ୍ରସ୍‌ ପାଣ୍ଠିରୁ ମୃତକଙ୍କ ପତ୍ନୀଙ୍କୁ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।ପଶୁସମ୍ପଦର ସୁରକ୍ଷା ପାଇଁ ପ୍ରଭାବିତ ଅଞ୍ଚଳରେ ୧୨ଟି ଭେଟେରିନାରୀ ଟିମ୍‌ ମୁତୟନ କରାଯାଇଛି। ବଡ଼ଚଣା ବ୍ଲକ୍‌ର ବିଭିନ୍ନ ଗ୍ରାମରେ ସଂକ୍ରାମକ ରୋଗରୁ ପଶୁସମ୍ପଦକୁ ସୁରକ୍ଷିତ ରଖିବା ପାଇଁ ୧,୨୩୪ଟି ପଶୁଙ୍କୁ ଟିକାକରଣ କରାଯାଇଛି। ଯାଜପୁର ଜିଲ୍ଲାର ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିପନ୍ନ ପ୍ରାଣୀପାଳକମାନଙ୍କୁ ଗୋ-ଖାଦ୍ୟ ବଣ୍ଟନ କରାଯାଇଛି। ଜିଲ୍ଲାରେ ମୋଟ ୩୪୪.୪୯ ମେଟ୍ରିକ୍‌ ଟନ୍‌ ଗୋ-ଖାଦ୍ୟର ଆବଶ୍ୟକତା ନେଇ ଏସ୍‌ଆର୍‌ସିଙ୍କୁ ଅନୁରୋଧ କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାରେ ୩ଟି ODRAF, ୨ଟି NDRF, ୧୨ଟି ଅଗ୍ନିଶମ ବାହିନୀ ଓ ୧୨ଟି ପୋଲିସ ଟିମ୍‌ ସହ ୧୪ଟି ଡଙ୍ଗା ନିୟୋଜିତ ଅଛି। ବର୍ତ୍ତମାନ ସୁଦ୍ଧା ୧,୩୧,୪୯୪ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ୩୬୮ଟି ଆଶ୍ରୟସ୍ଥଳୀରେ ରଖାଯାଇଛି।ବନ୍ୟା ପ୍ରଭାବିତଙ୍କ ପାଇଁ ୩୬୩ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର ମାଧ୍ୟମରେ ୧,୩୧,୩୪୨ ଜଣଙ୍କୁ ଆହାର ଯୋଗାଇ ଦିଆଯାଉଛି। ଏହାଛଡ଼ା ୧,୦୬୬ କ୍ୱିଣ୍ଟାଲ ଚୁଡ଼ା, ୧୦୫.୧ କ୍ୱିଣ୍ଟାଲ ଗୁଡ଼ ଏବଂ ୭୫୪ ରୋଲ୍‌ ପଲିଥିନ୍‌ ବଣ୍ଟନ କରାଯାଇଛି।ସ୍ୱାସ୍ଥ୍ୟସେବାକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ୧୨ଟି ମେଡିକାଲ ଟିମ୍‌ ମାଧ୍ୟମରେ ଏପର୍ଯ୍ୟନ୍ତ ୭,୨୦୦ ଜଣଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବା ବେଳେ ୧୮ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପାନୀୟ ଜଳ ଉତ୍ସର ବିଶୋଧନ, ସ୍ୱାସ୍ଥ୍ୟସେବା ଏବଂ ଜଳବନ୍ଦୀ ଅଞ୍ଚଳରେ ଆବଶ୍ୟକ ସହାୟତା ଯୋଗାଣ କାର୍ଯ୍ୟ ଜାରି ରହିଛି।ଏଥିସହିତ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ରାସ୍ତାଘାଟର ମରାମତି ଏବଂ ଗମନାଗମନ ବ୍ୟବସ୍ଥାକୁ ଶୀଘ୍ର ସ୍ୱାଭାବିକ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ବନ୍ୟା ପ୍ରଭାବିତ ଲୋକଙ୍କ ସୁରକ୍ଷା, ରିଲିଫ୍‌, ସ୍ୱାସ୍ଥ୍ୟସେବା ଓ ପଶୁସମ୍ପଦର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ