ମିଳିତ ଶ୍ରମିକ ଶ୍ରେଣୀର ଆହ୍ୱାନରେ ଦେଶବ୍ୟାପି ହରତାଳ ପରିପ୍ରେକ୍ଷୀରେ ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ସାଧାରଣ ପରିଷଦର ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ମିଳିତ ଶ୍ରମିକ ଶ୍ରେଣୀର ଆହ୍ୱାନରେ ଦେଶବ୍ୟାପି ହରତାଳ ପରିପ୍ରେକ୍ଷୀରେ ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ସାଧାରଣ ପରିଷଦର ଏକ ବୈଠକ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ସଭାପତି ବାବାଜୀ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସି.ପି.ଆଇ.ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ ନେତା ରତ୍ନାକର ଦାସ, ଗରଦପୁରର ପାଚିକା ସଙ୍ଘ ନେତା ଗଜେନ୍ଦ୍ର ନାୟକ, କେନ୍ଦ୍ରାପଡାର ଅଙ୍ଗନୱାଡି ସଙ୍ଘ ନେତା ରଜନୀଗନ୍ଧା ପଲାଇ ଓ ଆଶାସଙ୍ଘର ନେତା ସଶ୍ମିତା ବାରିକ ପ୍ରମୁଖ ଯୋଗଦେଇ ମୋଦୀ ସରକାରଙ୍କ ଶ୍ରମିକ,କୃଷକ ଓ ଜନବିରୋଧୀ ନୀତି ବିରୋଧରେ ଆସନ୍ତା ନଭେମ୍ବର ୨୬ତାରିଖରେ ଦେଶବ୍ୟାପି ଧର୍ମଘଟକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । ସମଗ୍ର ଦେଶର ଟ୍ରେଡ ୟୁନିଅନ ସମୁହ ଓ ସ୍ୱାଧୀନ ଫେଡେରେସନମାନେ ମିଳିତ ଭାବେ ସମସ୍ତ ଶ୍ରମିକ ଶ୍ରେଣୀକୁ ଆହ୍ୱାନ ଜଣାଇ ଆସନ୍ତା ୨୬ତାରିଖରେ ଦେଶବ୍ୟାପି ଧର୍ମଘଟକୁ ସଫଳ କରିବାକୁ ନିବେଦନ କରିଛନ୍ତି । ବିଜେପି ପରିଚାଳିତ କେନ୍ଦ୍ରର ମୋଦି ସରକାର ଓ ବିଜେପି ରାଜ୍ୟ ସରକାରମାନେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସମ୍ବିଧାନ ଉପରେ ଆକ୍ରମଣ ଆରମ୍ଭ କରିଥିବା ଅଭିଯୋଗ କରାଯାଇଛି । ଦେଶର କୋଟି କୋଟି ଶ୍ରମିକଙ୍କ ଆନ୍ଦୋଳନର ଅର୍ଜିତ ଆଇନଗତ ଅଧିକାରକୁ ଲୋପକରି ଶ୍ରମିକମାନଙ୍କୁ କ୍ରୀତଦାସ ରେ ପରିଣତ କରିବାକୁ ଉଦ୍ୟମ ହେଉଛି । ୪୪ଟି ଶ୍ରମ ଆଇନକୁ ବାତିଲ କରାଯାଇ ୪ଟି ଶ୍ରମକୋଡରେ ପରିଣତ କରିବା ଯୋଗୁଁ ଦେଶରେ ୯୦ଶତାଂଶ ଶ୍ରମିକ ଆଇନଗତ ସୁଯୋଗ ଓ ଅଧିକାରରୁ ବଂଚିତ ହେବେ । ଦେଶୀ ବିଦେଶୀ ପୁଞ୍ଜିପତିଙ୍କ ମୁନାଫା ବଢାଇବା ସହିତ ଶ୍ରମିକମାନଙ୍କ ଅଧିକାରକୁ ଲୋପକରିବା ହେଉଛି ଏହି ଲେବରକାର୍ଡର ଲକ୍ଷ୍ୟ । ଦେଶବାସୀଙ୍କ ଟିକସ ଅର୍ଥରେ ଗଢିଉଠିଥିବା ସମସ୍ତ ରାଷ୍ଟ୍ରୀୟ ଉଦ୍ୟୋଗ, ବ୍ୟାଙ୍କ, ବୀମା, ରେଳବାଇ, ପ୍ରତିରକ୍ଷା ଉତ୍ପାଦନ, କୋଇଲା, ଖଣି, ବିଦ୍ୟୁତ, ତୈଳ, ପୋତାଶ୍ରୟ ଆଦିକୁ ଘରୋଇ ଶିଳ୍ପପତିମାନଙ୍କୁ ବିକ୍ରୀ କରାଯାଉଛି । ବିଗତ ୬୦ବର୍ଷ ଧରି ଗଢି ଉଠିଥିବା ରାଷ୍ଟ୍ରୀୟ ଉଦ୍ୟୋଗର ବିଲୋପ ପାଇଁ ଜଘନ୍ୟ ପରିକଳ୍ପନା କରୁଛି ମୋଦି ସରକାର । ଲୋକଙ୍କ ସମ୍ପତିକୁ ହାତଗଣତି କର୍ପୋରେଟମାନଙ୍କ ହାତରେ ଟେକିଦେବା ପାଇଁ ବିଜେପି ସରକାର ଚକ୍ରାନ୍ତ ଚଳାଇ ରଖିଛନ୍ତି ଓ ଶ୍ରମିକମାନଙ୍କୁ ଛଟେଇ କରିବା ଲାଗି ମାଲିକମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି । ଦେଶର କୃଷକ ସମ୍ପ୍ରଦାୟ ଉପରେ ଭୟାବହ ଆକ୍ରମଣ ଆରମ୍ଭ ହୋଇଛି । ଚାଷୀ ଫସଲର ଦରକୁ ସରକାରୀ ଭାବରେ ସ୍ଥିର କରାନଯାଇ ବଡ ବଡ ବ୍ୟବସାୟୀଙ୍କ ହାତରେ ଅର୍ପଣ କରିଦେଇଛି କେନ୍ଦ୍ର ସରକାର । କୃଷି ପ୍ରସଙ୍ଗଟି ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କ କ୍ଷମତାସୀନ ନହେବା ସତ୍ୱେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷି ଆଇନ ପ୍ରଣୟନ ବେଳେ ରାଜ୍ୟ ସରକାରମାନଙ୍କ ସହ ପରାମର୍ଶ କରାଯାଇନାହିଁ । କଂଟ୍ରାକ୍ଟ ଫାର୍ମ ବ୍ୟବସ୍ଥା ପ୍ରଚଳନ କରି ଚାଷୀଙ୍କ ଜମିକୁ ଫାର୍ମ ମାଲିକମାନଙ୍କୁ ହସ୍ତାନ୍ତର ପାଇଁ ଚକ୍ରାନ୍ତ କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ-୧୯୫୫କୁ ରଦ୍ଦ କରିଦେବା ଫଳରେ ଖାଦ୍ୟ ସାମଗ୍ରୀ ମହଜୁଦକାରୀମାନେ ଖାଦ୍ୟ ସାମଗ୍ରୀକୁ ମନଇଛା ଦରରେ ବିକ୍ରୀ କରୁଛନ୍ତି । ଏହିସବୁ ଜନବିରୋଧୀ କାର୍ଯ୍ୟ ବିରୋଧରେ ଆସନ୍ତା ୨୬ତାରିଖରେ ଦେଶବ୍ୟାପି ଧର୍ମଘଟକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି । ଏହି ବୈଠକରେ ଆଶାକର୍ମୀ, ପାଚିକା ସଙ୍ଘ, ଏ.ଆଇ.ଟି,ୟୁ.ସି.ର କର୍ମକର୍ତ୍ତା ଓ ଶ୍ରୀ ଶ୍ରୀ ବଳଦେବଜୀଉ ଅସ୍ଥାୟୀ ମେଳା ଉଠାଦୋକାନୀ ସଙ୍ଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।