ଗଞ୍ଜାମ ଜିଲ୍ଲାପାଳଙ୍କ ଦିଗପହଣ୍ଡି ଗସ୍ତ
ଦିଗପହଣ୍ଡି,(ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ ଗୁରୁବାର ଦିଗପହଣ୍ଡି ଗସ୍ତ କରି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବାସହ ସରକାରୀ ଯୋଜନା ଗୁଡ଼ିକୁ ତ୍ଵରାନିତ୍ଵ କରିବାକୁ ସ୍ଥାନୀୟ ତହସିଲଦାର ଅଦ୍ଵୈତ କୁମାର ସ୍ୱାଇଁ ଏବଂ ବିଡ଼ିଓ ହଳଧର ଶବରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ପୂର୍ବାହ୍ନରେ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ମନରେଗା କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ପରେ ସେ ନିମଖଣ୍ଡି ପେଣ୍ଠ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିବା ପରେ ବାଇଗଣବାଡି ପଲ୍ଲୀ ଗ୍ରାମରେ ଉଦ୍ୟାନ ବିଭାଗ ପକ୍ଷରୁ ବିଭିନ୍ନ ଚାଷୀଙ୍କ ଜମିରେ କରାଯାଇଥିବା ଆମ୍ବ ବଗିଚା ପରିଦର୍ଶନ କରିଥିଲେ । ପରେ ଜିଲ୍ଲାପାଳ ଗଡ଼ ସାମନ୍ତରା ପୁର ଗ୍ରାମ ନିକଟ କୃପାମୟପୁର ରେ ରହୁଥିବା ଗଜପତି ଜିଲା ସୁବୁବା ଗାଁ ର ୧୫ ବିସ୍ଥାପିତ ପରିବାର ସଦସ୍ୟଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ବିସ୍ଥାପନ ଓ ପୁନର୍ବାସ କଲୋନୀର ରାସ୍ତା,ଡ୍ରେନ, ମନ୍ଦିର, ପାନୀୟଜଳ ପ୍ରକଳ୍ପ ଓ ବାସଗୃହ ନିର୍ମାଣ କାର୍ଯ୍ୟ ସମେତ ଅନ୍ୟାନ୍ୟ ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ପରେ ବିସ୍ଥାପିତ ପରିବାରଙ୍କୁ ତୁରନ୍ତ ଘରବାରି ପଟ୍ଟା ଓ ଚାଷ ଜମି ପଟ୍ଟା ସମେତ ରାସନ କାର୍ଡ ପ୍ରଦାନ କରିବାକୁ ଉପସ୍ଥିତ ତହସିଲଦାର ଓ ବିଡ଼ିଓ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଛେଳିଗଡ ପ୍ରକଳ୍ପର ସ୍ଵତନ୍ତ୍ର ଭୂ- ଅର୍ଜନ ଅଧିକାରୀ ରାଜେନ୍ଦ୍ର ରଣଜିତ୍, ଛେଳିଗଡ ଡ଼୍ୟାମ ହେଡ ୱାସ ଡିଭିଜନ କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀ ଇଂ. ନଗେନ୍ଦ୍ର ନାଥ ମହାରଣା, ସହକାରୀ ଯନ୍ତ୍ରୀ ଇଂ.ଦେବାଶିଷ ନାୟକ, ଇଂ.ଜୟନ୍ତ ନାୟକ,ଦିଗପହଣ୍ଡି ବ୍ଳକ ସହକାରୀ ଯନ୍ତ୍ରୀ ଇଂ. ଗଙ୍ଗାଧର ଲେଙ୍କା, ଉଦ୍ୟାନ ବିଭାଗ ଓଭରସିୟର ସିମାଞ୍ଚଳ ଜେନା, ଖମାରି ଗାଁ ପଞ୍ଚାୟତ ସରପଞ୍ଚ କେ. ସନ୍ତୋଷ ପାତ୍ର, ନିମଖଣ୍ଡି ପେଣ୍ଠ ପଞ୍ଚାୟତ ସରପଞ୍ଚ ବିଭୂତି ଭୂଷଣ ମହାପାତ୍ର, ସାମାଜିକ କର୍ମୀ ଲଳିତ ମୋହନ ମହାପାତ୍ର ପ୍ରମୁଖ ଜିଲାପାଳଙ୍କ ଗସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏଥି ପୂର୍ବରୁ ଜିଲ୍ଲାପାଳ ନିମଖଣ୍ଡି ପେଣ୍ଠ ପଞ୍ଚାୟତ କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣ କାର୍ଯ୍ୟ, ଭ୍ରମର ପୁର ପଲ୍ଲୀ ଗ୍ରାମର ଆଦର୍ଶ ପୋଖରୀ ନିର୍ମାଣ କାର୍ଯ୍ୟ ସମେତ ଚାଷୀ କେ. ନରସିଂହ ପାତ୍ରଙ୍କ ବଗିଚାରେ କରାଯାଇଥିବା ଛତୁ ଚାଷ,ଗାଈ ଗୁହାଳ,ଜଳସେଚନ ନିମନ୍ତେ ନିର୍ମିତ ନୂତନ କୂଅ ବୁଲି ଦେଖିବା ପରେ ବାଇଗଣବାଡି ପଲ୍ଲୀ ଗ୍ରାମର ଉଦ୍ୟାନ ବିଭାଗ ପକ୍ଷରୁ ବିଭିନ୍ନ ଚାଷୀ ଙ୍କ ଜମିରେ କରାଯାଇଥିବା କାଜୁ ଓ ଆମ୍ବ ଚାଷ କ୍ଷେତ ପରିଦର୍ଶନ କରିଥିଲେ ।