ଭୋଟ ଚୋରି ଅଭିଯୋଗରେ କଂଗ୍ରେସର ବିକ୍ଷୋଭ
ଛତ୍ରପୁର, (ଓ୍ବାଇଏନଏସ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ କଥିତ ‘ଭୋଟ ଚୋରି’ ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପୂର୍ବ) ପକ୍ଷରୁ ଛତ୍ରପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ କରିବା ସହ ମୁଖ୍ୟ ନିର୍ବାଚନ କମିସନରଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ବିକ୍ଷୋଭକାରୀମାନେ ମୁଖ୍ୟ ନିର୍ବାଚନ କମିସନରଙ୍କ ବରଖାସ୍ତ ଓ ଗିରଫ ଦାବି କରି ନାରାବାଜି କରିଥିଲେ। ଏଥିସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ଛତ୍ରପୁର ଅପର ବସଷ୍ଟାଣ୍ଡ ନିକଟରୁ କଂଗ୍ରେସ ନେତା ଓ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଦଳୀୟ ନେତାମାନେ ନିର୍ବାଚନ ପ୍ରକ୍ରିୟା ଓ ମୁଖ୍ୟ ନିର୍ବାଚନ କମିସନରଙ୍କ କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହି ବିକ୍ଷୋଭରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପୂର୍ବ) ଜିଲ୍ଲା ଉପସଭାପତି (ସଂଗଠନ) ଅଶୋକ କୁମାର ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ା, ପୂର୍ବତନ ବିଧାୟକ ତଥା ପିସିସି ସାଧାରଣ ସମ୍ପାଦକ ତ୍ରିନାଥ ବେହେରା, ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ଚିକିଟି ବିଧାୟକ ପ୍ରାର୍ଥୀ ରବୀନ୍ଦ୍ରନାଥ ଦ୍ୟାନ ସାମନ୍ତରାୟ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଉପସଭାପତି ବୃନ୍ଦାବନ ଖଟେଇ, ସମବାୟ ସେଲ୍ ସଭାପତି ଅମୀୟ କୁମାର ପଟ୍ଟନାୟକ, ମହିଳା ନେତ୍ରୀ ସୁବାସିନୀ ପଟ୍ଟନାୟକ ଓ ସୁଜ୍ଞାନୀ ପଟ୍ଟନାୟକଙ୍କ ସମେତ ସମସ୍ତ ବ୍ଲକ ସଭାପତି ଏବଂ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ। ସେହିପରି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ) ପକ୍ଷରୁ ମଧ୍ୟ ସମାନ ଦାବି ନେଇ ଜିଲ୍ଲା ସଭାପତି ଦଣ୍ଡପାଣି ପାତ୍ରଙ୍କ ନେତୃତ୍ୱରେ ବିକ୍ଷୋଭ କରାଯାଇଥିଲା। ଏଥିରେ ମହିଳା ସଭାପତି ସୁରଭି ବିଷୋୟୀ, ବରିଷ୍ଠ କଂଗ୍ରେସ ନେତା ମନମୋହନ ସାହୁ, ଜିଲ୍ଲା ଉପସଭାପତି ସୁନାରାମ ସାବତ, ଚିନ୍ମୟୀ ପ୍ରଧାନ, ପୁରୁଷୋତ୍ତମପୁର ବ୍ଲକ୍ କଂଗ୍ରେସ ସଭାପତି ପ୍ରଦୀପ କୁମାର ମହାରଣା, କବିସୂର୍ଯ୍ୟନଗର ବ୍ଲକ୍ କଂଗ୍ରେସ ସଭାପତି ବିଶ୍ୱନାଥ ଭୂୟାଁ, ଶେରଗଡ଼ ବ୍ଲକ୍ କଂଗ୍ରେସ ସଭାପତି ସୁଶାନ୍ତ କୁମାର ବିଷୋୟୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗଦେଇଥିଲେ।


