ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଅଧ୍ୟକ୍ଷତା କରି ଜନସାଧାରଣ ଙ୍କ ଅଭିଯୋଗକୁ ପ୍ରାଧାନ୍ୟ ଦେବା ସହିତ ଉପଖଣ୍ଡ ଅଧୀନରେ ବାକି ରହିଥିବା ସମସ୍ତ କାର୍ଯ୍ୟ ଗୁଡିକୁ ନିର୍ଧାରିତ ସମୟରେ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତିି । ଫଇସଲା ନ ହୋଇ ପଡି ରହିଥିବା ପ୍ରତ୍ୟେକ ତହସିଲ ଅଧୀନର ମ୍ୟୁଟେସନ୍ ମାମଲା ଗୁଡିକ ତୁରନ୍ତ ଫଇସଲା କରାଯିବ । ସେହିପରି ତହସିଲଦାର ମାନେ ବର୍ଷକୁ ଦୁଇଥର ଲେଖାଁଏ ରାଜସ୍ୱ ନିରୀକ୍ଷକ ସର୍କିଲକୁ ଗସ୍ତ କରି ସମସ୍ତ ବିଷୟକୁ ତଦାରଖ କରିବେ । ରାଜସ୍ୱ ନିରୀକ୍ଷକମାନେ ପ୍ରତି ସପ୍ତାହର କାର୍ଯ୍ୟକଳାପର ରିପୋର୍ଟକୁ ତହସିଲକୁ ଜଣାଇବେ । ଛାତ୍ରଛାତ୍ରୀଙ୍କ ବିଭିନ୍ନ ଜୁରୁରୀ କ୍ଷେତ୍ରରେ ଆବେଦନ କରୁଥିବା ପ୍ରମାଣ ପତ୍ର ଗୁଡିକୁ ତୁରନ୍ତ ପ୍ରଦାନ କରାଯିବା କ୍ଷେତ୍ରରେ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଏହାସହ ଗଂଜାମ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଜିଲ୍ଲାରେ ଆସନ୍ତା ୨୯ତାରିଖରେ ହେବାକୁ ଯାଉଥିବା ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଉପରେ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ଉପସ୍ଥିତ ଥିବା ଛତ୍ରପୁର ଉପଣ୍ଡସ୍ତରୀୟ ସମସ୍ତ ତହସିଲଦାରଓ ଅତିରିକ୍ତ ତହସିଲଦାର ମାନଙ୍କୁ ସୂଚନା ଦେବାସହ ଏହା କିପରୀ ସଠିକ୍ ଭାବେ କାର୍ଯ୍ୟକାରୀ ହେବ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ । ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲଣକୁ ରୋକିବା ସହ ନିୟମିତ ଚଢାଉ ଜାରି ରଖିବାକୁ ତହସିଲଦାରମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଘରବାରି ପଟ୍ଟା ପ୍ରଦାନ ବେଳେ କିସମ ପରିବର୍ତ୍ତନ ବେଳେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ହେବ । କୃଷି ଓ ଅଣକୃଷି ଜମିକୁ ଚିହ୍ନଟ କରାଯିବ । ଗ୍ରାମକଣ୍ଠକ ପଟ୍ଟା ପାଇଁ ଆବେଦନ ମାମଲା, ବସୁନ୍ଧରା ଯୋଜନାରେ ବାସହୀନ ହିତାଧିକାରୀଙ୍କ ଯାଞ୍ଚ କରି ତୁରନ୍ତ ପଟ୍ଟା ପ୍ରଦାନ କରାଯିବ । ଓଏଲଆର୍ ୮(ଏ) ମାମଲା ଗୁଡିକୁ ଏକମାସ ମଧ୍ୟରେ ଫଇସଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ମଞ୍ଜୁର ହୋଇଥିବା ଖଲ୍ଲିକୋଟ, ପୁରୁଷୋତ୍ତମପୁର ଏବଂ ବେଗୁନିଆପଡା ବ୍ଲକର ହିତାଧିକାରୀଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରିବାକୁ କୁହାଯାଇଛି । ଚଳିତ ଆର୍ଥିକ ବର୍ଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ରାଜସ୍ୱ ଆଦାୟ ପ୍ରତି ଗୁରୁତ୍ୱ ଦେବାକୁ ତହସିଲଦାର ମାନଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା, ରାଜସ୍ୱ ସହକାରୀ ଅଖିଳ କୁମାର ସାବତଙ୍କ ସମେତ ଉପଖଣ୍ଡର ସମସ୍ତ ତହସିଲଦାର ଉପସ୍ଥିତ ଥିଲେ ।