ସାମାନ୍ୟ ବର୍ଷାରେ ବିନାୟକ ବଜାରରେ କୃତ୍ରିିମ ବନ୍ୟା
ଆସିକା (ୱାଇଏନ୍ଏସ୍) : ଆସିକା ସହରର ସଦାସର୍ବଦା ବ୍ୟସ୍ତବହୁଳ ଓ ଜନଗହଳିପୂର୍ଣ୍ଣ ବିନାୟକ ବଜାର ମୁଖ୍ୟରାସ୍ତାର ପାଶ୍ୱର୍ର ଜଳ ନିଷ୍କାସନ ପଥ କେତେକ ସ୍ଥାନରେ ଅବରୋଧ ଯୋଗୁଁ ଶୁକ୍ରବାର ଅପରାହ୍ନରେ ସାମାନ୍ୟ ବର୍ଷାରେ କିଛି ସମୟ ଲାଗି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଅସରାଏ ବର୍ଷାରେ ବର୍ଷାଜଳ ଦୀର୍ଘ ସମୟ ଧରି ନିଷ୍କାସନ ହୋଇନପାରି ବିନାୟକବଜାରର ମୁଖ୍ୟ ରାସ୍ତାରେ ଲଉଡି ମାରୁଥିବା ଯୋଗୁଁ ସାଧାରଣ ଜନତାଙ୍କ ଯାତାୟତ କ୍ଷେତ୍ରରେ ନାହିଁନଥିବା ସମସ୍ୟା ସୃଷ୍ଟି ହୋଇଥିଲା । ଆସିକା ସହରର ବିନାୟକ ବଜାର ମୁଖ୍ୟରାସ୍ତା ଏକ ବ୍ୟସ୍ତବହୁଳ ତଥା ପ୍ରମୁଖ ରାସ୍ତା ରୂପେ ପରିଚିତ ରହିଛି । ଉକ୍ତ ରାସ୍ତା ଉପରେ ଦୈନିକ ଶହ ଶହ ଜନତା ଯାତାୟତ କରୁଥିବା ବେଳେ ସଂଖ୍ୟାଧିକ ଗାଡିମୋଟର ଚଳାଚଳ କରିଥାଏ । ତେବେ ଉକ୍ତ ବ୍ୟସ୍ତବହୁଳ ବିନାୟକ ବଜାର ମୁଖ୍ୟରାସ୍ତାରେ ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା ଯୋଗୁଁ ଶୁକ୍ରବାର ଅପରାହ୍ନରେ ହୋଇଥିବା ସାମାନ୍ୟ ବର୍ଷାରେ ଉଦ୍ବୃତ୍ତ ବର୍ଷାଜଳ ସଠିକ୍ ସମୟରେ ନିଷ୍କାସିତ ହୋଇନପାରି ଘଣ୍ଟାଘଣ୍ଟା ଧରି ମୁଖ୍ୟରାସ୍ତାରେ ଲଉଡି ମାରିଥିବା ବେଳେ ସାଧାରଣ ଜନତାଙ୍କ ଯାତାୟତରେ ନାହିଁ ନଥିବା ସମସ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସହରର ବ୍ୟସ୍ତବହୁଳ ବିନାୟକ ବଜାର ଅଞ୍ଚଳରେ ଲାଗି ରହିଥିବା ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥାକୁ ସୁଧାରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।


