ରାନୁ ମଣ୍ଡଳଙ୍କ ଉପରେ ତିଆରି ହେବ ବାୟୋପିକ୍
ମୁମ୍ବାଇ: ରାନୁ ମଣ୍ଡଳଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ରାନୁଙ୍କ ସଫଳତା ଧୀରେ ଧୀରେ ଆକାଶ ଛୁଇଁବାକୁ ଲାଗିଲାଣି । ନିଜ ସୁଲଳିତ କଣ୍ଠ ପାଇଁ ସେ ଆଜି ଘରେ ଘରେ ପରିଚିତ । ରେଳ ଷ୍ଟେସନରେ ଗୀତ ଗାଇ ଭିକ ମାଗୁଥିବା ଜଣେ ସାଧାରଣ ମହିଳା ଆଜି ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଯାଇଛନ୍ତି । ନିଜ ପ୍ରତିଭା ବଳରେ ସେ ଆଜି ବଲିଉଡର ପ୍ଲେବ୍ୟାକ୍ ସିଙ୍ଗର ହୋଇପାରିଛନ୍ତି । ଏବେ ପୁଣି ଖବର ମିଳିଛି ଯେ ଖୁବ୍ଶୀଘ୍ର ରାନୁଙ୍କୁ ନେଇ ଏକ ଫିଲ୍ମ ତିଆରି ହେବାକୁ ଯାଉଛି ।
ରାନୁଙ୍କ ଜୀବନ କାହାଣୀରେ ପ୍ରଭାବିତ ହୋଇ ଫିଲ୍ମ ନିର୍ମାତା ଋଷିକେଶ ମଣ୍ଡଳ ଏକ ବାୟୋପିକ୍ ତିଆରି କରିବାକୁ ଯାଜନା କରୁଛନ୍ତି । ଏହି ଫିଲ୍ମରେ ରାନୁଙ୍କ ଭୂମିକାରେ ଅଭିନୟ କରିବା ପାଇଁ ସାଉଥ୍ର ଲୋକପ୍ରିୟ ଅଭିନେତ୍ରୀ ସୁଦିପ୍ତା ଚକ୍ରବର୍ତ୍ତୀଙ୍କୁ ଅଫର୍ କରାଯାଇଛି । ଏ ସମ୍ପର୍କିତ ସୂଚନା ସୁଦିପ୍ତା ନିଜେ ଗଣମାଧ୍ୟମକୁ ଦେଇଛନ୍ତି । ସୁଦିପ୍ତା କହିଛନ୍ତି, “ମୋତେ ଫିଲ୍ମ ଅଫର୍ ମିଳିଛି, ହେଲେ ଏ ପର୍ଯ୍ୟନ୍ତ ମାତେ ଫିଲ୍ମର ସ୍କ୍ରିପ୍ଟ ମିଳିନାହିଁ । ତେଣୁ ସ୍କ୍ରିପ୍ଟ ମିଳିବା ପରେ ହିଁ ମୁଁ ଫିଲ୍ମ କରିବି କି ନାହିଁ ଚିନ୍ତା କରିବି ।’ ସୂଚନା ଅନୁଯାୟୀ, ସାମ୍ବାଦିକରୁ ନିର୍ଦ୍ଦେଶକ ପାଲଟିଥିବା ଋଷିକେଶ ମଣ୍ଡଳ ଏହି ବାୟୋପିକ୍ର ନାଁ ମଧ୍ୟ ବାଛି ସାରିଲେଣି । ଫିଲ୍ମଟିର ନାଁ ହେଉଛି “ପ୍ଲାଟଫର୍ମ ସିଙ୍ଗର୍ ରାନୁ ମଣ୍ଡଳ’ । ଫିଲ୍ମରେ ରାନୁଙ୍କର ରେଳ ଷ୍ଟେସନରୁ ବଲିଉଡ୍ ପର୍ଯ୍ୟନ୍ତ ଯାତ୍ରାର କାହାଣୀ ଦେଖିବାକୁ ମିଳିବ । ଋଷିକେଶ କହିଛନ୍ତି, “ରାନୁଙ୍କ ବାୟୋପିକ୍ ତିଆରି କରିବାର ଏବେ ହିଁ ସବୁଠୁ ଭଲ ସମୟ । କାରଣ ଏବେ ସମସ୍ତେ ତାଙ୍କ ବିଷୟରେ ଜାଣିବାକୁ ବେଶ୍ ଉତ୍ସୁକ ଅଛନ୍ତି । ରାନୁ ବଡ଼ କଷ୍ଟରେ ଜୀବନ କାଟିଛନ୍ତି । ହେଲେ ତାଙ୍କ ପ୍ରତିଭା ଯୋଗୁ ସେ ଆଜି ଜଣେ ସେଲିବ୍ରିଟି ହାଇଯାଇଛନ୍ତି । ଦେଶର ଅନେକ ମହିଳାଙ୍କ ପାଇଁ ସେ ଏକ ପ୍ରେରଣା । ଫିଲ୍ମରେ ସୋଶାଲ୍ ମିଡିଆର ପାୱାରକୁ ମଧ୍ୟ ଦର୍ଶାଯିବ, ଯାହା ରାସ୍ତାକଡ଼ରେ ଗାଉଥିବା ଜଣେ ମହିଳାଙ୍କୁ ରାତାରାତି ଷ୍ଟାର୍ ବନାଇଦେଲା ।’ ସୂଚନା ଅନୁଯାୟୀ, ଫିଲ୍ମରେ ରାନୁଙ୍କୁ ଗେଷ୍ଟ ଆପିୟରାନ୍ସ ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି । ହେଲେ ଏ ପର୍ଯ୍ୟନ୍ତ କିଛି ଫାଇନାଲ୍ ହୋଇନାହିଁ । ଫିଲ୍ମକୁ ନେଇ ଋଷିକେଶ କହିଛନ୍ତି ଯେ ଯଦି ସୁଦିପ୍ତା ଫିଲ୍ମ ପାଇଁ ରାଜି ହୋଇଯାଆନ୍ତି ତେବେ ଖୁବ୍ଶୀଘ୍ର ବାକି ଷ୍ଟାରକାଷ୍ଟ ମଧ୍ୟ ଫାଇନାଲ୍ ହୋଇଯିବ ଏବଂ ଫିଲ୍ମର ଶୁଟିଂ ଅକ୍ଟୋବର ଶେଷ ସୁଦ୍ଧା ଆରମ୍ଭ ହୋଇଯିବ । ଫିଲ୍ମର କିଛି ଶୁଟିଂ ରାନୁଙ୍କ ହୋମ୍ଟାଉନ୍ ପଶ୍ଚିମବଙ୍ଗର ରାନାଘାଟ୍ ଓ ଆଉ କିଛି ମୁମ୍ବାଇରେ ହେବ । ଫିଲ୍ମଟିକୁ ଶୁଭାଜିତ୍ ମଣ୍ଡଳ ପ୍ରଯୋଜନା କରିବେ, ଯାହାକି ୨୦୨୦ ଫେବ୍ରୁଆରୀ ମାସରେ ରିଲିଜ୍ ହେବ । ଏହି କ୍ରମରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ, ରାନୁ ଜୀବନୀକୁ ନେଇ ସିନେମା ନିର୍ମାଣ ହେବାକୁ ଯାଉଛି । ସିନେ-ନିର୍ମାତା ହୃଷିକେଶ ମଣ୍ଡଳ ରାନୁଙ୍କ ବାୟୋପିକ୍ ପ୍ରସ୍ତୁତ କରିବା ପାଇଁ ଯୋଜନା କରୁଛନ୍ତି । ସାମ୍ବାଦିକରୁ ସିନେ-ନିର୍ମାତା ହୋଇଥିବା ହୃଷୀକେଶ ମଣ୍ଡଳ ଏହି ସିନେମାର ନିର୍ଦ୍ଦେଶନା ଦେବେ । ସିନେମାରେ ରାନୁ ମଣ୍ଡଳଙ୍କ ପଶ୍ଚିମବଙ୍ଗ ରାଣାଘାଟ ରେଲୱେ ଷ୍ଟେସନ୍ରୁ ନେଇ ବଲିଉଡ ସିନେମା ପର୍ଯ୍ୟନ୍ତ ପୂରା ଯାତ୍ରାର କାହାଣୀକୁ ଦର୍ଶକ ଦେଖିବାକୁ ପାଇବେ । ରାନୁ ମଣ୍ଡଳଙ୍କ ଉପରେ ନିର୍ମାଣ ହେବାକୁ ଯାଉଥିବା ବାୟୋପିକ୍ରେ ଜାତୀୟ ପୁରସ୍କାରରେ ସମ୍ମାନିତ ଅଭିନେତ୍ରୀ ସୁଦୀପ୍ତା ଚକ୍ରବର୍ତ୍ତୀ ରାନୁଙ୍କ ଭୂମିକାରେ ଅଭିନୟ କରିପାରନ୍ତି । କିନ୍ତୁ ଏଯାବତ୍ ସେ ଏହି ଅଫର୍ ପାଇଁ କିଛି ସ୍ପଷ୍ଟ ସୂଚନା ଦେଇନାହାନ୍ତି । ଯଦି ରାନୁଙ୍କ ଭୂମିକାକୁ କେହି ଜୀବନ୍ତ ଭାବେ ପରଦାରେ ତୋଳି ଧରି ରଖିପାରନ୍ତି ସିଏ ସୁଦୀପ୍ତା ଚକ୍ରବର୍ତ୍ତୀ ବୋଲି ଆଲୋଚନା ହେଉଛି ।


