ଖଣି କମ୍ପାନୀ ମାନଙ୍କୁ ଦାବିପତ୍ର ଦେଲେ ଅଂଚଳବାସୀ
ଯୋଡ଼ା(ଯୁଗାଦ୍ଦନ୍ୟୁଜ) କେନ୍ଦୁଝର ଜିଲା ବାମେବାରୀ- ଯୋଡା ରାଜ୍ୟ ରାଜପଥ ନଂ ୨ର ନିର୍ମାଣ ଓ ମରାମତି କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ଉଁଚ୍ଚବାଲିସ୍ଥିତ ବାବା ଧବଳେଶ୍ୱର କମିଟି ପକ୍ଷରୁ ବିଭିନ୍ନ ଖଣି କମ୍ପାନୀ ଗୁଡିକୁ ଦାବିପତ୍ର ପ୍ରଦାନ କରାଯାଇଛି । ଯୋଡା ବ୍ଲକ ପଳସା ଗ୍ରାମପନଚାୟତ ଅନ୍ତର୍ଗତ ବାବା ଧବଳେଶ୍ୱର କମିଟିର ସଦସ୍ୟସଦସ୍ୟାବୃନ୍ଦ, ସମସ୍ତ ଗାଡିମାଲିକ, ଉକ୍ତ ଅଂଚଳର ଛାତ୍ରୀଛାତ୍ର , ଶିକ୍ଷକ ତଥା ଅଭିଭାବକ ମାନେ ଦସ୍ତଖତ ସମ୍ବଳିତ ଦାବିପତ୍ର ତାରିଣୀ ପ୍ରସାଦ ମହାନ୍ତି, ଏସାର ଗ୍ରୁପ୍, ସିରାଜୁଦ୍ଦିନ୍, ଇନ୍ଦ୍ରାଣୀ ପଟ୍ଟନାୟକ, ପଟ୍ଟନାୟକ ମିନେରାଲ ପ୍ରାଇଭେଟ ଲିମିଟେଡ୍ , ରୁଙ୍ଗଟା, ଏସେଲ ମାଇନିଂ ଓ କେଏମସି ଖଣି କର୍ତୁପକ୍ଷଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ରରେ ଦର୍ଶାଯାଇଛି ଯେ, ଖଣିଖାଦାନ ଅଂଚଳରୁ ପ୍ରତିଦିନ କୋଟି କୋଟି ଟଙ୍କାର ରାଜସ୍ୱ ଆଦାୟ କରାଯାଉଥିଲେ ମଧ୍ୟ ଖଣି କମ୍ପାନୀମାନେ ଏହି ରାସ୍ତାଘାଟର ନିର୍ମାଣ ଓ ମରାମତି କାର୍ଯ୍ୟ ଉପରେ ଦୃଷ୍ଟି ଦେଉନାହାନ୍ତି । ଖଣି ମାଲିକମାନଙ୍କର ଅବହେଳା ହେତୁ ରାଜ୍ୟରାଜପଥ ନଂ ୨ ର ଅବସ୍ଥା ଶୋଚନୀୟ ହୋଇପଡିଛି । ଯାହାଫଳରେ ଅଂଚଳବାସୀ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି କାଳିମାଟିଠାରୁ ଯୋଡା ପର୍ଯ୍ୟନ୍ତ ରାସ୍ତାଟି ଖାଲଖମାରେ ପରିପୂର୍ଣ୍ଣ ହୋଇଛି । ସ୍କୁଲ ପିଲାମାନେ ଠିକ୍ ସମୟରେ ବିଦ୍ୟାଳୟ ପହନଚି ପାରୁନାହାନ୍ତି କି, ଠିକ୍ ସମୟରେ ଘରକୁ ଫେରି ପାରୁନାହାନ୍ତି । ଯାହା ଫଳରେ ସେମାନଙ୍କର ପାଠପଢା ରେ ବ୍ୟାଘାତ ସୃଷ୍ଟି ହେଉଛି । ରାସ୍ତା ଘାଟର ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ରୋଗୀ ଆମ୍ବୁଲାନ୍ସ ମାଧ୍ୟମରେ ଡାକ୍ତରଖାନା ପହନଚି ପାରୁନାହିଁ । ଟ୍ରାଫିକ ଜାମ ରେ ଆମ୍ବୁଲାନ୍ସ ଘନ୍ଟା ଘନ୍ଟା ଧରି ଫସି ରହୁଥିବାରୁ ଗର୍ଭବତୀ ମହିଳାମାନେ ଆମ୍ବୁଲାନ୍ସ ଭିତରେ ହିଁ ପ୍ରସବ କରୁଥିବା ଲୋକମାନଙ୍କ ନଜରକୁ ଆସିଛି । ଏହି ରାସ୍ତାର ନିର୍ମାଣ ତଥା ମରାମତି କାର୍ଯ୍ୟକୁ ସାତ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ସେମାନେ ଦାବି କରିଛନ୍ତି । ଏଥିରେ ଅବହେଳା କିମ୍ବା ଅଣଦେଖା କରାଗଲେ ଅଂଚଳବାସୀ ଏକତ୍ରିତ ହୋଇ ରାଜରାସ୍ତାକୁ ଓହ୍ଲାଇ ଶାନ୍ତିପୂର୍ଣ୍ଣ ଭାବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତାରେ ଗାଡି ଚଳାଚଳକୁ ବନ୍ଦ କରିବେ ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ।