କେନାଲ ବନ୍ଧ ମୁଖ୍ୟ ରାସ୍ତାରେ ବିପଦ ସଙ୍କୁଳ ବିଦ୍ୟୁତ ତାର: ମରାମତି କରିବାକୁ ଦାବୀ
ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବଗଦା ଶାସନ-ମଙ୍ଗଳା ପଡିଆ ଭାୟା କେନାଲ ବନ୍ଧ ମୁଖ୍ୟ ରାସ୍ତାର ମଧ୍ୟ ଭାଗରେ ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ତାର ଥିବା ବେଳେ ଏହାକୁ ତୁରନ୍ତ ମରାମତି କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ପ୍ରକାଶ ଯେ, ବଗଦା ଶାସନ-ମଙ୍ଗଳା ପଡିଆ ଭାୟା କେନାଲ ବନ୍ଧ ମୁଖ୍ୟ ରାସ୍ତା ଦେଇ ଗ୍ରାମର ଲୋକ ମାନେ ଯାତାୟତ କରୁଛନ୍ତି । କେନାଲ ବନ୍ଧର ମୁଖ୍ୟ ରାସ୍ତାର ମଧ୍ୟ ଭାଗରେ ବିଦ୍ୟୁତ୍ ଖୁଣ୍ଟରୁ ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଛି । ଯାହାକି ସାଧାରଣ ଲୋକଙ୍କ ପାଇଁ ବିପଦପୂର୍ଣ୍ଣ ହୋଇଛି । ବର୍ତ୍ତମାନ ଚାଷ କାର୍ଯ୍ୟ ଚାଲି ଥିବା ବେଳେ ଚାଷୀ ମାନେ ନିଜ ଚାଷ ଜମିକୁ ଯାତାୟତ କରିବାକୁ ଭୟ କରୁଛନ୍ତି । ଉକ୍ତ ସ୍ଥାନରେ ନୂତନ ଖୁଣ୍ଟ ବସାଇ ବିଦ୍ୟୁତ୍ ତାରକୁ ଉଚ୍ଚତାରେ ନେବାକୁ ଗ୍ରାମର ଚାଷୀ ହୃଦାନନ୍ଦ ପାଢୀ, ସୁକେଶ ତ୍ରିପାଠୀ, ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଶଙ୍କର୍ଷଣ ଜେନା, ଅନାମ ମିଶ୍ର, ରଘୁନାଥ ତ୍ରିପାଠୀ, ପଦ୍ମନାଭ ଦାସ, ମାନସ ପତି, ଉପେନ୍ଦ୍ର ମିଶ୍ରଙ୍କ ସମେତ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।


