ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନ କ୍ରମେ ଜାନୁୟାରୀ ୧୫ରେ ତିନି କେନ୍ଦ୍ରୀୟ କୃଷି ବିରୋଧି ଆଇନ୍ ରଦ୍ଦ ରାଜ୍ୟ ସମାବେଶ ଓ ଦିଲ୍ଲୀ ଗ୍ରସ୍ତ
ଭୁବନେଶ୍ୱର, : ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନ କ୍ରମେ ଜାନୁୟାରୀ ୧୫ରେ ତିନି କୃଷି ବିରୋଧି ଆଇନ୍ ରଦ୍ଦ ଓ ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ୍ ପରିସରକୁ ଆଣିବା ଦାବୀରେ ଭୁବନେଶ୍ୱରରେ ରାଜ୍ୟ ସମାବେଶ ଅନୁଷ୍ଠିତ ହେବ ଓ ସେହିଦିନ ହଜାରରୁ ଅଧିକ ଲୋକ ଦିଲ୍ଲୀଚଲୋ ଆନ୍ଦୋଳନରେ ସାମିଲ ହେବାକୁ ଯିବେ ବୋଲି ନବନିର୍ମାଣ କୃଷକ ସଂଗଠନର କେନ୍ଦ୍ରୀୟ ସଂଯୋଜକ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା କୋର୍ ସଦସ୍ୟ ଅକ୍ଷୟ କୁମାର ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ଭବନରେ ସାମ୍ବାଦିକମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି । କୁମାର କହିଲେ ଯେ କେନ୍ଦ୍ର ସରକାର କାହାକୁ ବିଶ୍ୱାସକୁ ନ ନେଇ କୃଷକମାନଙ୍କ ସହ ଆଲୋଚନା ନକରି ଯେଭଳି ଭାବେ କୃଷି ବିରୋଧି ତିନି କଳା ଆଇନ୍କୁ ଆଣିଛନ୍ତି, ଏହା ତମାମ ଦେଶରେ ଚାଷୀକୁଳର ସର୍ବନାଶ କରିବ । କଳାକାନୁନ୍ ଆଣିଥିବା କେନ୍ଦ୍ରୀୟ ନେତା ନୂଆ କୃଷି ଆଇନ୍ ସମ୍ପର୍କରେ ଯେଉ ଁ ସୁନେଲି ସ୍ୱପ୍ନ ଦେଖାଉଛନ୍ତି ଏହା ଅତ୍ୟନ୍ତ ଭ୍ରମାତ୍ମକ ଓ ପ୍ରମାଦପୂର୍ଣ୍ଣ । ମଣ୍ଡି ବାହାରେ ଚାଷୀ ତାର ଉତ୍ପାଦ ବିକିଲେ ତାକୁ ଅଧି ପଇସା ମିଳିବ ବୋଲି ଯେଉଁ ପ୍ରଚାର ହେଉଛି ତାହା ସମ୍ପୁର୍ଣ୍ଣ ମିଥ୍ୟା । ବିହାର ଭଳି ରାଜ୍ୟରେ ଏହା ପ୍ରମାଣିତ ହୋଇଛି । ସେଭଳି ସମ୍ପନ୍ନ ରାଜ୍ୟରେ ଚାଷୀମାନେ ଆଗରୁ ସେମାନଙ୍କର ଉତ୍ପାଦ ବିକି ଆସୁଛନ୍ତି ବାହାରେ କିନ୍ତୁ ଠିକା ଚାଷ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କ୍ଷେତ୍ରରେ ଯେଉଁ ଆଇନ୍ ଆସିଛି ଏହା ଚାଷୀ ଓ ଖାଉଟିଙ୍କ ପାଇଁ ଘାତକ ସଦୃଶ ହେବ । ବ୍ୟବସାୟୀମାନେ ମନଇଚ୍ଛା ହୋର୍ଡିଂ କରିପାରିବେ ଓ ଦରଧାର୍ଯ୍ୟ ବେଳେ ଯୁଦ୍ଧ ଓ ଆପଦ ସମୟ ଛାଡି ସେମାନଙ୍କ ଉପରେ କୌଣଷି ନିୟନ୍ତ୍ରଣ ରହିବ ନାହିଁ ବୋଲି ଯେଉଁ ଆଇନ୍ ଆସିଛି ଏହା ଦ୍ୱାରା କୋଟି କୋଟି ଖାଉଟିଙ୍କ ଖାଦ୍ୟ ସୁରକ୍ଷା ବିପନ୍ନ ହେବ । କଣ୍ଟ୍ରାକ୍ଟ ଫାର୍ମିଂ ଆଇନ୍ ଦ୍ୱାରା ଯେଭଳି କୁହାଯାଇଛି ଯେ ଜଣେ ଚାଷୀ ଖରାପ ବିହନ ପାଇ କ୍ଷତିରେ ପଡିଲେ ବି ମକଦ୍ଦମା କରିପାରିବ ନାହିଁ କିମ୍ବା ନ୍ୟାୟାଳୟକୁ ଯାଇପାରିବ ନାହିଁ । ଏହା ସୂଚାଇ ଦିଆଯାଉଛି କିଭଳି କର୍ପୋରେଟର ହାତରେ ଚାଷୀଙ୍କ ଭାଗ୍ୟକୁ ବନ୍ଧା ପକାଯାଇଛି । ତିନି ନୂଆ କୃଷ ି ଆଇନ୍ ପରିସରରେ ମଣ୍ଡି ଉଚ୍ଛେଦର ବ୍ୟବସ୍ଥା ନାହିଁ ବୋଲି ସରକାର କହୁଥିବା ବେଳେ ସର୍ବନିମ୍ନ ସହାୟକ ମୂଲ୍ୟର ଗ୍ୟାରେଣ୍ଟି ଏହି ଆଇନ୍ ପରିସରରେ ନାହିଁ । ଆମର ଦାବୀ ସର୍ବନିମ୍ନ ସହାୟକ ମୁଲ୍ୟ ଦିଆଯାଉଥିବା ୨୩ଟି ସାମଗ୍ରୀକୁ କିିଣିବା ପାଇଁ ଏସବୁ ଆଇନ୍ ପରିସରକୁ ଅଣାଯାଉ । ସେହିଭଳି ଏହିସବୁ ବିଚାର ଓ ପ୍ରଚାରକୁ ନେଇ ୧୫ରେ ବଡଧରଣ ରାଜ୍ୟ ସମାବେଶ ଭୁବନେଶ୍ୱରରେ ଆୟୋଜନ କରାଯିବ ବୋଲି କହିଛନ୍ତି । ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସାମ୍ବାଦିକ ଭବନରେ ଡକାଯାଇ ଏହି ମର୍ମରେ ପ୍ରସ୍ତାବ ଗୃହିତ ହୋଇଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ରଶ୍ମୀରଞ୍ଜନ ସ୍ୱାଇଁ, ନିମାଇଁ ରାୟ, ଓ ଉମାକାନ୍ତ ଭାରତ ଉପସ୍ଥିତ ଥିଲେ ।