ସରକାରୀ କର୍ମଚାରୀ ଅଭାବରୁ ଖଣି ପରିବହନରେ ଅନିୟମିତତା;ଆଇଥ୍ରିଏମ୍ଏସ୍ ବ୍ୟବସ୍ଥାକୁ ଫୁଃ
ଯୋଡା, (ସମୀର କୁମାର ଦାସ) : କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳର ଜରିବାହାଲ ନିକଟରେ ଥିବା ଏକ ଘରୋଇ ରେଳ ସାଇଡିଂରେ ଖଣିଜ ପରିବହନରେ ଅନିୟମିତତା ହୋଇଥିବା ସୂତ୍ରରୁ ଖବର ମିଳିଛି । ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି ଯେ, କୋଇଡା ଖଣି ମଣ୍ଡଳର ଏକ ଖଣିରୁ ଲୁହାପଥର ବୋଝେଇ ହୋଇ ଉକ୍ତ ଘରୋଇ ରେଳସାଇଡିଂ କୁ ପରିବହନ ହେଉଛି । ସାଧାରଣତଃ ନିୟମ ଅନୁଯାୟୀ ଖଣିରୁ ଖଣିଜ ପରିବହନ ବେଳେ ଖଣିଜ ଚୋରା କାରବାରକୁ ନିୟନ୍ତ୍ରଣ କରିବାପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଇନ୍ଟିଗ୍ରେଟେଡ୍ ମାଇନ୍ସ ମିନେରାଲ ମ୍ୟାନେଜମେନ୍ଟ ସିଷ୍ଟମ (ଆଇଥ୍ରିଏମଏସ) ର ପ୍ରଚଳନ କରାଯାଇଛି । ଏହି ସିଷ୍ଟମ ଦ୍ୱାରା ଖଣିରୁ କେତେ ଖଣିଜ ବାହାରକୁ ଗଲା ଏବଂ ପରିବହନରେ ବ୍ୟବହୃତ ଟ୍ରକ୍ ରେ କେତେ ଖଣିଜ ବୋଝେଇ ହେଲା ଏବଂ ଗନ୍ତବ୍ୟ ସ୍ଥଳର ରାସ୍ତା ପ୍ରଭୃତି ସମସ୍ତ ଯାବତୀୟ ସୂଚନା ଖଣିବିଭାଗ ଅନ୍ଲାଇନ ମାଧ୍ୟମରେ ଜାଣି ପାରୁଥିଲା । ତେବେ ଗତ ସୋମବାର ଦିନ କୋଇଡା ଖଣିମଣ୍ଡଳର ଏକ ଖଣିରୁ ଖଣିଜ ପରିବହନ ବେଳେ ନିର୍ଦ୍ଧାରିତ ରୁଟ୍ ବା ରାସ୍ତାରେ ଖଣିଜ ପରିବହନ ନହୋଇ ଏକ ଘରୋଇ ଲିଜ୍ ଅଂଚଳ ଦେଇ ଖଣିଜ ପରିବହନ ହେଉଥିଲା ଏବଂ ରେଳ ସାଇଡିଂରେ ମାଲ ଖୁଲାସ କରିବା ପୂର୍ବରୁ ଖଣି ବିଭାଗର ନିୟମ ଅନୁଯାୟୀ ଚେକ୍ ଗେଟ୍ରେ ବୋଝେଇ ହୋଇଥିବା ଟ୍ରକ ଗୁଡିକ ପ୍ରବେଶ ରେକର୍ଡ ରେ ଏନ୍ଟ୍ରି କଲାପରେ ଗନ୍ତବ୍ୟ ସ୍ଥଳକୁ ଯାଇଥାନ୍ତି । ଏହା ଦ୍ୱାରା ଖଣିରୁ କେତେ ଖଣିଜ ଆସିଲା ଏବଂ କେତେ ଖଣିଜ ରେଳ ସାଇଡିଂରେ ଖଲାସ ହେଲା ଏହା ଜଣାପଡିଥାଏ । ମାତ୍ର ସୋମବାର ହୋଇଥିବା ଖଣିଜ ପରିବହନ ବେଳେ କୌଣସି ଚେକ୍ ଗେଟ୍ରେ ଖଣିଜ ବୋଝେଇ ଟ୍ରକ ଗୁଡିକ ଏନ୍ଟ୍ରି ନକରି ଏକ ଘରୋଇ ଲିଜ୍ ଅଂଚଳ ଦେଇ ପରିବହନ ହୋଇଥିଲା । ଖଣିରୁ କେତେ ଖଣିଜ ଆସିଥିଲା ଏବଂ କେତେ ଖଣିଜ ଖଲାସ ହେଲା ଏହାର କୌଣସି ହିସାବ ନଥିବା ଜଣାପଡିଛି । ଏ ସମ୍ପର୍କରେ ଯୋଡା ଯୁଗ୍ମ ଖଣି ନିର୍ଦେଶକ ସଲିଲ କୁମାର ବେହେରାଙ୍କୁ ଜଣାଇବା ପରେ ସେ ଯୁଗ୍ମ ନିର୍ଦେଶାଳୟର ଜଣେ ଖଣି ଅଧିକାରୀ ଓ ଜଣେ ବରିଷ୍ଠ ଖଣି ନିରୀକ୍ଷକଙ୍କୁ ପଠାଇ ଏହାର ତଦନ୍ତ କରାଇଥିଲେ । ତେବେ କର୍ମଚାରୀ ଅଭାବ ବିଷୟରେ ସେ ସ୍ୱୀକାର କରିବା ସହିତ ଶୀଘ୍ର କର୍ମଚାରୀ ନିୟୋଜିତ କରାଯିବ ବୋଲି କହିଥିଲେ । ଏହିପରି କର୍ମଚାରୀ ଅଭାବରୁ ଆଇଥ୍ରିଏମଏସ ନିୟମକୁ ବ୍ୟତିକ୍ରମ କରି ଯୋଡା ଏବଂ କୋଇଡା ଖଣିମଣ୍ଡଳରେ ବେଆଇନ ଖଣିଜ ପରିବହନ କରାଯାଉଥିବା ବହୁବାର ନଜରକୁ ଆସିଲାଣି । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ହେଲେ ଏହିପରି ଖଣିଜ ପରିବହନରେ ଅନିୟମିତତା କାର୍ଯ୍ୟରେ ସମ୍ପୃକ୍ତ ଥିବା ଅନେକ ଅସାଧୁ କର୍ମଚାରୀଙ୍କର ପର୍ଦାଫାଶ ହୋଇପାରନ୍ତା ବୋଲି ସାଧାରଣରେ ଦାବି ହୋଇଛି ।


