ଗିରଫ ସ୍ୱାମୀ କରିଛନ୍ତି ତିନୋଟି ବିବାହ: ସ୍ତ୍ରୀ କଲେ ପର୍ଦାଫାଶ
ହାଟଡିହି (ଓ୍ବାଇଏନଏସ): ହାଟଡିହି ଅଞ୍ଚଳରେ ଗତ ସୋମବାର ଏକ ପାରିବାରିକ ସମସ୍ୟାରେ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ସ୍ୱାମୀ ଗିରଫ ହୋଇଛନ୍ତି l ନନ୍ଦିପଦା ଥାନାରେ କେସ ନଂ ୨୭୯/୨୦୨୬ ପଞ୍ଜିକରଣ ହୋଇଛି l କିନ୍ତୁ ଦିନକୁ ଦିନ ଏହି ଘଟଣାରେ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି l ଶୁକ୍ରବାର ସ୍ତ୍ରୀ ଥାନାରେ ପହଞ୍ଚି ବହୁ ଗୁରୁତ୍ୱପୂର୍ଣ ତଥ୍ୟ ପ୍ରଦାନ କରିବା ସହ ମତେ ଠକେଇ ବିବାହ କରିଥିବା ଏବଂ ମୋ ଅଜାଣତରେ ଆଗ ପଛ କରି ଆହୁରି ଦୁଇ ଦୁଇଟି ବିବାହ କରିଥିବା ପୋଲିସକୁ କହିଥିଲେ l ସ୍ୱାମୀ ୨୦୧୪ ରେ ଯାତ୍ରା ପାର୍ଟିରେ ଜଣେ ମହିଳାଙ୍କୁ, ୨୦୧୫ ରେ ମତେ ଏବଂ ୨୦୨୫ ରେ ଭଦ୍ରକର ଜଣେ ମହିଳାଙ୍କୁ ବିବାହ କରିଥିବା ସ୍ତ୍ରୀ ପୋଲିସକୁ କହିବା ସହ ବିବାହ ସମୟର ସମସ୍ତ କାଗଜପତ୍ର ଦେଖାଇ ଥିଲେ l ଯାହାକି ପୋଲିସ ପାଇଁ ଆଶ୍ଚର୍ଯ୍ୟର ବିଷୟ ସାଜିଛି l ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି ଯେ ମାମଲାର ସମସ୍ତ ଦିଗକୁ ଅନୁଧ୍ୟାନ କରାଯାଉଛି l ଅଭିଯୁକ୍ତ ଗିରଫ ହୋଇ ସାରିଛନ୍ତି l ସୂଚନା ଅନୁସାରେ ନନ୍ଦିପଦା ଥାନା ଅଧିନ ଅଣା ଗ୍ରାମର ଗୋବିନ୍ଦ ମଲ୍ଲିକ ଏକ ଯାତ୍ରା ପାର୍ଟିରେ କାମ କରୁଥିଲେ l ସେ ସୋସୋ ଥାନା ନାହା ଗ୍ରାମର ରଞ୍ଜିତା ରାଣୀ ବେହେରାଙ୍କୁ ବିବାହ କରିଥିବା ବେଳେ ତାଙ୍କର ଦୁଇଟି ଛୁଆ ଅଛନ୍ତି। ଗୋବିନ୍ଦ ଯାତ୍ରା ପାର୍ଟିକୁ ପଳାଇ ଥିଲେ l କିନ୍ତୁ ଯାତ୍ରା ପାର୍ଟିରୁ ଫେରିବା ପରେ ଘରକୁ ଯାଇନଥିଲେ l ଅନ୍ୟ ଏକ ଘରେ ଜଗତସିଂହପୁରରୁ ଜଣେ ବିବାହିତା ମହିଳାଙ୍କୁ ଆଣି ତା ସହିତ ରହୁଥିଲେ । ଖବର ପାଇ ପତ୍ନୀ ରଞ୍ଜିତା ନିଜର ଦୁଇ ଭାଇଙ୍କ ସହ ସ୍ୱାମୀ ରହୁଥିବା ଘରେ ପହଞ୍ଚିଥିଲେ l ସ୍ୱାମୀ ଗୋବିନ୍ଦ ଅନ୍ୟ ଜଣେ ମହିଳାଙ୍କ ସହ ରହୁଥିବା ରଞ୍ଜିତା ଦେଖିବା ପରେ ପରିସ୍ଥିତି ଅଶାନ୍ତ ହୋଇ ପଡିଥିଲା l ନନ୍ଦିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋବିନ୍ଦ ଏବଂ ଅନ୍ୟ ମାନଙ୍କୁ ଧରି ଥାନାକୁ ଆଣିଥିଲେ। ଅପର ପକ୍ଷେ ଜଗତସିଂହପୁର ର ଏହି ମହିଳାଙ୍କ ସ୍ୱାମୀ ନନ୍ଦିପଦା ଥାନାରେ ପହଞ୍ଚି ନିଜ ପତ୍ନୀଙ୍କୁ ଘରକୁ ଫେରାଇ ନେଇଥିଲେ l ରଞ୍ଜିତା ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ପଞ୍ଜିକରଣ କରି ଗୋବିନ୍ଦଙ୍କୁ ଗିରଫ କରିଥିଲା।


