ମା’ ଦଶଭୂଜାଙ୍କୁ ବିଦାୟ ଦେଲେ ସହରବାସୀ

କଟକ : ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ଭସାଣି ଯାତ୍ରାରେ ଆଜି ସହରବାସୀ ଅଶ୍ରୁଳ ବିଦାୟ ଦେଇଛନ୍ତି ମା’ ଦଶଭୂଜାଙ୍କୁ । ପୁଣି ଆସନ୍ତା ବର୍ଷରେ ମା’ଙ୍କ ଆଗମନର ଅପେକ୍ଷା ରଖି ସହରବାସୀ ଶୋଭାଯାତ୍ରାରେ ଯାଇ ମୃଣ୍ମୟ ମୂର୍ତ୍ତିକୁ କାଠଯୋଡିର ଦେବୀଗଡାରେ ବିସର୍ଜନ କରିଛନ୍ତି । ସୁନା ଆଉ ଚାନ୍ଦିର ଚମକ ପାଇଁ ବିଶ୍ୱପ୍ରସିଦ୍ଧ କଟକ ଅଞ୍ଚଳରେ ଚଳିତ ବର୍ଷ ୧୬୭ଟି ମଣ୍ଡପରେ ପୂଜା ଆୟୋଜନ ହୋଇଥିବାବେଳେ ପାରଂପରିକ ଭାବେ ଗତକାଲି ରାତିରୁ ଆରମ୍ଭ ହୋଇଯାଇଛି ଭସାଣି ପର୍ବ । ଗତକାଲି ରାତିରେ ମୋଟ ୧୧ଟି ମେଢ ଶୋଭାଯାତ୍ରାରେ ଯାଇ ଦେବୀଗଡାରେ ବିସର୍ଜନ ହୋଇଥିଲେ । ଡଗରପଡ଼ାର ବୈଶ୍ୟ ତିଲିଜାତୀୟ ସମିତି, ଆଲାମଚାନ୍ଦ ବଜାର ଚୂନଭାଟି ଗଳି, ପ୍ରକାଶ ନାଥ ଲେନ୍ କାଠଗଡ଼ା ସାହି, ସୂତାହାଟ ବଙ୍ଗାଳି ସାହି ମେଢ, ବକ୍ସିବଜାର ବାରପଥର ମହାଦେବ ମେଢ, ନୂଆ ରାଉସାପାଟଣା, ବାଖରାବାଦ, ପୁରୁଣା ରାଉସାପାଟଣା, ମେହେନ୍ଦିପୀର, ମାଛୁଆ ବଜାର, ବେପାରି ସାହିର ମେଢ ଗୁଡ଼ିକ ପର୍ଯ୍ୟାୟକ୍ରମେ ଗତକାଲି ରାତିରେ ବିସର୍ଜିତ ହୋଇଥିଲେ ।
କିନ୍ତୁ ଆଜି ସକାଳୁ ଆରମ୍ଭ ହୋଇଥିଲା ଧୂମାଧାମରେ ଭସାଣି ଶୋଭାଯାତ୍ରା । ସହରର ବିଭିନ୍ନ ପୂଜା ମଣ୍ଡପର ମେଢ ଗୁଡ଼ିକ ପରକୁ ପର ଶୋଭାଯାତ୍ରାରେ ସାମିଲ ହୋଇ କାଠଯୋଡିର ଦେବୀଗଡା ଅଭିମୁଖେ ବାହାରିଥିଲେ । ସହରର ବିଭିନ୍ନ ସ୍ଥାନରେ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ମେଢ ଗୁଡିକୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଆଜି ସକାଳ ୯ଟାରେ ପ୍ରଥମେ ବାସୁଳି ସାହି ମହାଦେବ ପୂଜା କମିଟିର ମେଢ ଦେବୀଗଡାରେ ବିସର୍ଜନ କରାଯାଇଥିଲା । ପରକୁ ପର ସିଡିଏ ସେକ୍ଟର-୯ ପୂଜା କମିଟି, ବଙ୍ଗାଳି ସାହି, ଦରଘା ବଜାର, କାଜୀବଜାର ପୂଜା କମିଟିର ମେଢ ଗୁଡ଼ିକ ଦେବୀଗଡ଼ା ଗଡିଥିଲେ । ବିସର୍ଜନ ପାଇଁ ସିଏମ୍‌ସି ପକ୍ଷରୁ ଦେବୀଗଡ଼ାଠାରେ ତିନୋଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ସହରରେ ସୁରକ୍ଷା ବ୍ୟବସ୍ଥା ପାଇଁ ୫୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । କମିସନର ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଅଖିଳେଶ୍ୱର ସିଂହ ପ୍ରମୁଖ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ୫ଟି ସ୍ଥାନରେ ଅସ୍ଥାୟୀ କେନ୍ଦ୍ର ଖୋଲାଯାଇଛି । ଚାନ୍ଦିନୀଚୌକ ଶିଶୁଭବନ ନିକଟ, ଖାନନଗର, ଚୌଧୁରୀବଜାର ସିଏମ୍‌ସି ଅଫିସ ପାଖ, କଲେଜ ଛକ, ଦେବୀଗଡ଼ାରେ ଏହି କେନ୍ଦ୍ର ଗୁଡ଼ିକ ଖୋଲା ଯାଇଥିବାବେଳେ ଦେବୀଗଡ଼ାଠାରେ ଦୁଇଟି ୟୁନିଟ୍ ସଜାଗ ଅଛନ୍ତି । ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେବା ଭଳି ସମସ୍ତ ଉପକରଣ ବୋଟ୍‌, ଲାଇଫ୍ ଜାକେଟ୍ ପ୍ରସ୍ତୁତ ରହିଛି । ପାଖାପାଖି ୫୦ଜଣ ଅଗ୍ନିଶମ କର୍ମଚାରୀ ଏହି କେନ୍ଦ୍ରମାନଙ୍କରେ ନିୟୋଜିତ ଅଛନ୍ତି । ଆଜି ଦିନରେ ଦୁଇ ତିନି ଥର ବର୍ଷା ଭସାଣି ଶୋଭାଯାତ୍ରାରେ ବାଧକ ହୋଇଥିଲେ ବି ଭୋର ସୁଦ୍ଧା ୮୦ଟି ମେଢ ଦେବୀଗଡା ଗଡିବେ ବୋଲି ଆକଳନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ