ସତ୍ୟଶ୍ରୀ ଜରାଶ୍ରମରେ ଶ୍ରୀ ଭାଗବତ ଜନ୍ମ

ଗାଙ୍ଗପୁର,(ସନ୍ତୋଷ କୁମାର ବିଶୋଇ): ଶନିବାର ତନରଡା ଗୋ-ଶାଳା ଛକ ସ୍ଥିତ ସତ୍ୟଶ୍ରୀ ଜରାଶ୍ରମ ଠାରେ ସତ୍ୟଶ୍ରୀ ସେବା ଟ୍ରଷ୍ଟ ତରଫରୁ ଶ୍ରୀ ଭାଗବତ ଜନ୍ମ ଓ ଇନ୍ଦ୍ରୋତ୍ସବ ପାଳନ କରାଯାଇଛି। ଗତ ୧ ବର୍ଷରୁ ଉର୍ଦ୍ଧ ସମୟ ଧରି ଏଠାରେ ଲାଗି ରହିଥିବା ଶ୍ରୀ ଭାଗବତ ପଠନର ଉଦଯାପନ ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ଓ ବେଲଗୁଣ୍ଠା ଠାକୁର ଶ୍ରୀ ଅନୁଗୁଳ ଚନ୍ଦ୍ର ସତ୍ ସଙ୍ଗର ଭକ୍ତଙ୍କ ମିଳିତ ଭାବେ ଭଜନ କୀର୍ତ୍ତନ ପ୍ରଭୃତି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ବେଳେ ପଣ୍ଡିତ ଜୟକୃଷ୍ଣ ମିଶ୍ରଙ୍କ ଦ୍ୱାରା ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକର୍ତ୍ତା ଭାବେ ରଞ୍ଜନ କୁମାର ମଲ୍ଲିକ ଓ ତାଙ୍କର ସହଧର୍ମିଣୀ ମମତା ଲେଙ୍କା ଅଧିଷ୍ଠିତ ହୋଇଥିଲେ । ପରେ ଶ୍ରୀ ଭାଗବତ ଓ ଇନ୍ଦ୍ରୋତ୍ସବର ତାପ୍ତର୍ଯ୍ୟ ସମ୍ପର୍କରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏଥିରେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଶିବରାମ ପଣ୍ଡା, କୃତିବାସ ବିଶ୍ୱାଳ, ଡକ୍ଟର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଉଷା ପାଢ଼ୀ, ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ, ବିପ୍ରଚରଣ ରାଉତ, ବିନୋଦ କୁମାର ପାଣିଗ୍ରାହୀ, ରବୀନ୍ଦ୍ର ନାଥ ରଥ ଓ ଶୁଳପାଣି ଶତପଥୀ ପ୍ରମୁଖ ଯୋଗ ଦେଇ ଶ୍ରୀ ଭାଗବତ ବାଣୀର ମହିମା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଶ୍ରୀ ଭାଗବତ ପଠନ ଦ୍ୱାରା ସାମାଜିକ ଶାନ୍ତି, ସଦଭାବନା, ନ୍ୟାୟ ପ୍ରତିଷ୍ଠା ଓ ଏକ ଗତିଶୀଳ ରାଷ୍ଟ୍ରର ଉଦାହରଣ ସୃଷ୍ଟି କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । କିନ୍ତୁ, ଆଜିର ଦୃତଧାବିତ ବିଶ୍ୱରେ ମଣିଷ ନିଜର ସ୍ଥିତାବସ୍ଥା ଭୁଲି ଯାଇ ଏକ ଅମଡ଼ା ପଥର ଯାତ୍ରୀ ସାଜିଛି। ଅତୀତରେ ସେହି ସ୍ଥିତପ୍ରଜ୍ଞା ଓ ସାଧୁ ବିଚାରଧାରାକୁ ପଛରେ ପକାଇ ଏକ କାଚଘର ମଧ୍ୟରେ ବ୍ୟସ୍ତ – ବିବ୍ରତ ଜୀବନ ଅତିବାହିତ କରୁଛି । ଫଳରେ ମଣିଷ ଶାନ୍ତି ପାଇବା ପରିବର୍ତ୍ତେ ଏକ କୋଳାହଳ ବିଶ୍ୱରେ ପ୍ରତ୍ୟେକ ମୁହୂର୍ତ୍ତରେ ନିଜକୁ ଲଢ଼େଇ ଜାରି ରଖି ଅଶାନ୍ତ ପରିବେଶ ମଧ୍ୟରେ ଗତି କରୁଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ତେଣୁ, ପ୍ରତ୍ୟେକ ଗ୍ରାମରେ ଅତୀତର ସେହି ଭାଗବତ ଟୁଙ୍ଗୀ ନିର୍ମାଣ କରି ଶ୍ରୀକୃଷ୍ଣ କଥାମୃତ ପାନ କରିବାକୁ ନିବେଦନ କରିଥିଲେ। ଶିକ୍ଷୟତ୍ରୀ ଦୀପ୍ତାଂସୁପ୍ରଭା ଦେବୀଙ୍କ ଭଜନ ଗାନ କରିଥିଲେ। ଏହି ଅବସରରେ ବର୍ଷ ବ୍ୟାପି ଭଗବତ୍ ପଠନ କରିଥିବା ଆଶ୍ରମର ଅନ୍ତେବାସୀ ମଞ୍ଜୁଲତା ପାଢ଼ୀ, ଇନ୍ଦୁମତୀ ପଣ୍ଡା ଓ ଡମ୍ବରୁଧର କରଙ୍କୁ ଅତିଥି ଶିବରାମ ପଣ୍ଡା, ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଓ ଉଷା ପାଢ଼ୀଙ୍କ ଦ୍ୱାରା ଔପଢନିକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ସଭାପତି ସୋମନାଥ ନାୟକ, ସମ୍ପାଦକ ରବିନାରାୟଣ ସାମନ୍ତ ବରିଷ୍ଠ ଶିକ୍ଷାବିତ୍ ପବିତ୍ର ମୋହନ ଶତପଥୀ, ସୁରେଶ ଚନ୍ଦ୍ର ମହାପାତ୍ର, ରବୀନ୍ଦ୍ରନାଥ ପାଣିଗ୍ରାହୀ, ମାଲ ଗୌଡ଼, ଅଶୋକ କୁମାର ପଣ୍ଡା ଓ କୈଳାସ ଚନ୍ଦ୍ର ପାତ୍ରଙ୍କ ସମେତ ବହୁ ସଂଖ୍ୟାରେ ଜ୍ଞାନୀ ଗୁଣୀଙ୍କ ସମାଗମ ହୋଇଥିଲା। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବ୍ୟବସ୍ଥାପକ ରବୀନ୍ଦ୍ର କୁମାର ପାତ୍ର ସଂଯୋଜନା କରିଥିବା ବେଳେ ସଦସ୍ୟ ରଞ୍ଜନ ମଲ୍ଲିକ, ବିଶ୍ବମ୍ବର ପାତ୍ର, ଅମୂଲ୍ୟ ସ୍ବାଇଁ ଓ ପବିତ୍ର ମୋହନ ଶତପଥୀ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ