ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ରାଶି ବୃଦ୍ଧି ଦାବୀ
ଆସିକା (ୱାଇଏନ୍ଏସ୍) :ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରାଥମିକ ସ୍ତରରୁ ଏକ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଶିକ୍ଷା କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଛି । ବିଶେଷକରି ତୃତୀୟ ଓ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ବିଦ୍ୟାର୍ଥୀମାନଙ୍କ ଜ୍ଞାନ ଓ ସ୍ମରଣଶକ୍ତି ବୃଦ୍ଧି କରିବା ଲକ୍ଷ୍ୟରେ ଶିକ୍ଷା ବିଭାଗ ପକ୍ଷରୁ ଏକ ପ୍ରତିଯୋଗିତାମୂଳକ ପରୀକ୍ଷା କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇ ମେଧାବୃତ୍ତି ପ୍ରଦାନ କରାଯାଉଛି । ଏହି ବୃତ୍ତିରେ ପ୍ରତି ବ୍ଳକ ପରିସରଭୁକ୍ତ ଅଞ୍ଚଳରେ ମେଧାବୃତ୍ତି ପରୀକ୍ଷା ଦେଇଥିବା ମୋଟ ପରୀକ୍ଷା ଦେଇଥିବା ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାତ୍ର ୧୪ ଜଣଙ୍କୁ ଛାତ୍ରବୃତ୍ତି ନିମନ୍ତେ ଯୋଗ୍ୟ ବିବେଚିତ କରାଯାଉଛି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ବ୍ଳକସ୍ତରୀୟ ମେରିଟ୍ (ମେଧା) ଏବଂ ଆଉ ବାକି ୭ ଜଣଙ୍କୁ (ମେରିଟ୍-କମ୍-ପୋଭର୍ଟି) ମେଧା ଓ ଆର୍ଥିକ ଅଭାବ ଭିତ୍ତିରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ମେଧାବୃତ୍ତି ପାଇଥିବା ତୃତୀୟ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ମାସିକ ଶହେ ଟଙ୍କା ଏବଂ ପଞ୍ଚମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ମାସିକ ୨ ଶହ ଟଙ୍କା ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଥିବା ଜଣାପଡିଛି । ପ୍ରତିବର୍ଷ ମେଧାବୃତ୍ତି ପରୀକ୍ଷା ଦେବା ପାଇଁ ଆସିକା ଅଞ୍ଚଳରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଚାଲିଥିଲା ବେଳେ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀଙ୍କୁ ସହାୟତା ରାଶି କିନ୍ତୁ ସୀମିତ ରହିଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଗତ ୨୦୨୪ ମସିହାରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ମେଧାବୃତ୍ତି ପରୀକ୍ଷାରେ ତୃତୀୟ ଶ୍ରେଣୀରେ ୧୦୨ ଜଣ ଏବଂ ପଞ୍ଚମ ଶ୍ରେଣୀରେ ୧୦୦ ଜଣ ପରୀକ୍ଷା ଦେଇଥିଲା ବେଳେ ୨୦୨୫ ମସିହାରେ ତୃତୀୟ ଶ୍ରେଣୀରେ ୧୩୩ ଜଣ ଏବଂ ପଞ୍ଚମ ଶ୍ରେଣୀରେ ୧୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଆସନ୍ତା ଅକ୍ଟୋବର ମାସ ୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମେଧାବୃତ୍ତି ପରୀକ୍ଷାରେ ପଞ୍ଚମ ଶ୍ରେଣୀରେ ୧୩୬ ଜଣ ଓ ତୃତୀୟ ଶ୍ରେଣୀରେ ୧୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ବିଦ୍ୟାର୍ଥୀମାନଙ୍କ ମଧ୍ୟରୁ ମେଧାବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହେଉଥିବା ବିଦ୍ୟାର୍ଥୀମାନଙ୍କ ଶୈକ୍ଷିକ ଉତ୍କର୍ଷତାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ସରକାର କାର୍ଯ୍ୟକାରୀ କରିଥିବା ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ହୋଇଥିଲା ବେଳେ ସହାୟତା ରାଶି ପରିମାଣ ବୃଦ୍ଧି କରିବା ଦିଗରେ ଶିକ୍ଷା ବିଭାଗ ପଦକ୍ଷେପ ନେବାକୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମିଶ୍ର ଓ ଶିକ୍ଷାବିତ୍ ପ୍ରସନ୍ନ କୁମାର ତ୍ରିପାଠୀ ଅନୁରୋଧ କରିଛନ୍ତି ।


