ମଦ୍ୟପଙ୍କ ଉତ୍ପାତ ; ପୁଣି ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠି

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ଅଧିନରେ ଥିବା ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ଏବେ ମଦ ବିରୋଧି ଆନ୍ଦୋଳନ ତେଜିବାରେ ଲାଗିଛି । ଗାଁ ଗାଁରେ ଏବେ ମଦବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ମହିଳାଗୋଷ୍ଠୀ। ଗତ କିଛିଦିନ ହେବ ଡିମିରିଗୁଡା ଓ ନୂଆପଦର ପଞ୍ଚାୟତରେ ଶତାଧିକ ମହିଳା ମଦ ବିକ୍ରି ଓ ମଦ୍ୟପଙ୍କୁ ଦମନ କରିବା ପାଇଁ ଆନ୍ଦୋଳନ କରିଥିବାବେଳେ ବର୍ତ୍ତମାନ ଫିରିଙ୍ଗିଆ  ବ୍ଲକ୍‌ର ସାଡିଙ୍ଗିଆ ଠାରେ ଏହି ମଦବିକ୍ରିକୁ ବିରୋଧ କରି ଏକ ବିରାଟ ମହିଳା ସମାବେଶ ଆୟୋଜନ କରାଯାଇଛି। ବହୁଦିନ ଧରି ସାଡିଙ୍ଗିଆ ଠାରେ ବେଆଇନ ଭାବରେ ଚୋରା ମଦ କାରବାର ଚାଲିଥିବା ବେଳେ ମଦ ପାଇଁ ବହୁ ଧନଜନ ନଷ୍ଟ ହେବା ସହ ଅଞ୍ଚଳରେ ଚୋରି, ଡକାୟତି ଓ ମଦ୍ୟପଙ୍କ ଉତ୍ପାତ ବଢ଼ି ଚାଲିଥିବା ଅଭିଯୋଗ ହୋଇଛି । ସାଡିଙ୍ଗିଆ ପଞ୍ଚାୟତ ଅଧିନରେ ଥିବା ଲଣ୍ଡାଗାଁ ମହିଳା ସଂଘ ନେତୃତ୍ବରେ ସାଡିଙ୍ଗିଆ ହାଟପଦା ଠାରେ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା । ସମାବେଶରେ ସାଡିଙ୍ଗିଆ ଓ ସୁମରିବନ୍ଧ ପଞ୍ଚାୟତ ବହୁ ମହିଳା ସାମିଲ ହୋଇଥିଲେ। ସାଡିଙ୍ଗିଆ ସରପଞ୍ଚ ନରୋତ୍ତମ କହଁର ଓ ସୁମରବନ୍ଦ ପଞ୍ଚାୟତର ସରପଞ୍ଚ ସୁବଳ କଁହର ମଧ୍ୟ ଏଠାରେ ଉପସ୍ଥିତ ଥିଲେ । ମହିଳା ସଂଘ ସଭାପତି ବୁତି ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶକୁ ସଂଘର ସମ୍ପାଦକ କାବେରି କହଁର ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଡିଙ୍ଗିଆ ପଞ୍ଚାୟତର ସମିତିସଭ୍ୟ ପେରେଟା କହଁର, ସାଡିଙ୍ଗିଆ କୁଇ ସମାଜ ସଭାପତି ସଦାଶିବ କହଁର, ସଭ୍ୟ ବିମାଧର କହଁର, ଘନ ସ୍ବାଇଁ, ବିନୋଦ କହଁର ଓ ମହିଳା ସଂଘର ସଙ୍ଗଠକ ବୈଜୟନ୍ତ କହଁର ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ମଦବିକ୍ରି କରୁଥିବା ଲୋକ ଧରାପଡିଲେ ୧୦ ହଜାର ଟଙ୍କା ଜରିମାନା ଦେବା ସହ ଆଇନ ଅନୁଯାୟୀ ଦଣ୍ଡିତ ହେବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିବା ବେଳେ ମଦ ପିଇବା ଲୋକେ ଧରା ପଡିଲେ ୫୦୦ ଟଙ୍କା ଅର୍ଥଦଣ୍ଡ ଦେବା ପାଇଁ ଏହି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ