ଯୋଡା ବିକାଶ ପରିଷଦର ବିକାଶକୁ ନେଇ ଆଲୋଚନା ଚକ୍ର ଓ ବନ୍ଧୁ ମିଳନ
ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡାର ଅଗ୍ରଣୀ ସଙ୍ଗଠନ ଯୋଡା ବିକାଶ ପରିଷଦ ପକ୍ଷରୁ ବୁଧବାର ଲହଣ୍ଡା ଠାରେ ଏକ ବନ୍ଧୁମିଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଡା ସହରର ସାମୂହିକ ବିକାଶ, ସହରର ଯାବତୀୟ ସମସ୍ୟା ସହିତ ଆଗାମୀ ପୌର ନିର୍ବାଚନରେ ଉତମ ପ୍ରାର୍ଥୀ ଚୟନ ଉପରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର, ଉପସଭାପତି ମନିନ୍ଦ୍ର ସୁନ୍ଦର ବାରିକ, ସମ୍ପାଦକ ସୁଶାନ୍ତ କୁମାର ବାରିକ, କଷାଧ୍ୟକ୍ଷ ପବିତ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାରେ ଖବରଦାତା ପ୍ରକାଶ କୁମାର ମହାନ୍ତି, ମାନସରଞ୍ଜନ ମହାନ୍ତି, ଶିକ୍ଷୟତ୍ରୀ ଡ. ଆଭାରାଣୀ ବଳ, ସମାଜସେବୀକା ସୁଜାତା ପଟ୍ଟନାୟକ, ସୁନୀଲ ବାସୋତିଆ ଙ୍କ ସମେତ ବରିଷ୍ଠ ନାଗରିକ ନୀଳମଣୀ ମହାନ୍ତି, ପୁରୁଷୋତମ ଦାସ, ସନ୍ତୋଷ ପଟ୍ଟନାୟକ ସହରର ସାମୂହିକ ବିକାଶ ଉପରେ ନିଜର ମତାମତ ରଖିଥିଲେ । ସହରର ବିକାଶରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ କହିଥିଲେ । ପରିଷଦର ସଭାପତି ବହିଦାର କହିଥିଲେ ଯେ, ପରିଷଦ ପକ୍ଷରୁ ଅନେକ ବିକାଶମୂଳକ କାର୍ଯ୍ୟ କରିବାପାଇଁ ଅତୀତରେ ପୋଲିସ କେସ୍ ମୁଣ୍ଡାଇବା ସହିତ ପ୍ରଶାସନର ତାତ୍ସଲ୍ୟର ଶିକାର ହୋଇଥିଲେ, ତଥାପି ବିକାଶକୁ ନିଜର ଲକ୍ଷ୍ୟ ରଖି ଯୋଡା ବିକାଶ ପରିଷଦ ସହରର ପ୍ରାୟ ୫୫ ହଜାର ଲୋକଙ୍କ ସାହାଯ୍ୟରେ ଅନ୍ଟା ଭିଡିଛି । ପରିଷଦର ସମ୍ପାଦକ ସୁଶାନ୍ତ କୁମାର ବାରିକ କହିଥିଲେ ଯେ, ରାଜନୈତିକ ଉଦ୍ଦେଶ୍ୟରୁ ଉର୍ଦ୍ଧ୍ୱରେ ରହି ଯୋଡା ବିକାଶ ପରିଷଦ ଯୋଡା ସହରର ବିକାଶ କାର୍ଯ୍ୟରେ କାର୍ଯ୍ୟରତ ଅଛି । ଏହି ଅବସରରେ ଗରିବ ଖଟିଖିଆ ଲୋକଙ୍କୁ କରୋନା ଲକ୍ଡାଉନ ସମୟରେ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇଥିବାରୁ ସମାଜସେବୀକା ସୁଜାତା ପଟ୍ଟନାୟକ, ସ୍ୱେଚ୍ଛାସେବୀ ସଙ୍ଗଠନ ୱାର୍ଲ୍ଡ ଭିଜନ ସମେତ ବହୁ ଖବରଦାତାଙ୍କୁ କରୋନା ଯୋଦ୍ଧାଭାବେ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । ଯୋଡା ବିକାଶ ପରିଷଦ ଦ୍ୱାରା ଆୟୋଜିତ ଏହି ବନ୍ଧୁମିଳନ ଉତ୍ସବରେ କଭିଡ୍ ଗାଇଡ୍ଲାଇନକୁ ପାଳନକରି ପରିଷଦର ଶତାଧିକ ମହିଳା ଓ ପୁରୁଷ ସଦସ୍ୟ ଯୋଗ ଦେଇଥିଲେ ।


