ଜଳସମ୍ପଦ ଜାଗାରେ ବଢି ଚାଲିଛି ଜବରଦଖଲ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୩ନଂ ହାଇଲେବୁଲ କେନାଲ ବନ୍ଧ ସହିତ ଅନ୍ୟାନ୍ୟ ଶାଖା କେନାଲ ବନ୍ଦ ପାଶ୍ୱର୍ରେ ଦିନକୁ ଦିନ ଜବରଦଖଲ ବଢିବାରେ ଲାଗିଛି । ଫଳରେ ଜଳସମ୍ପଦ ବିଭାଗ ଅଧିନ ଅନେକ ନୟନଯୋରୀ ସମେତ ସଂରକ୍ଷିତ ସ୍ଥାନ ଗୁଡିକ ସଙ୍କୁଚିତ ହେବାରେ ଲାଗିଛି । ଜବରଦଖଲ ବଢିବା କାରଣରୁ ଖରିଫ ଓ ରବି ଋତୁ ସମୟରେ କେନାଲ ଜଳ ନିଷ୍କାସନରେ ବାଧା ଉପୁଜୁଥିବାବେଳେ ବନ୍ଧ ସଂପ୍ରସାରଣ କାର୍ଯ୍ୟ ମଧ୍ୟ ଅନେକ ଜାଗାରେ ହୋଇପାରୁନାହିଁ । ୩ନଂ ହାଇଲେବୁଲ କେନାଲର ବାଲିପୋଖରୀ ଛକ, ପର୍ବତୀ ଛକ, ସରପଦା, ବୟାଁବନାପୁର, ଚନ୍ଦ୍ରଭାନୁପୁର, ବଣସାହି, ନଗୁଆଁ, ବେତରା ଛକ, ଅମରଗଡିଆ ଛକ ପ୍ରଭୃତି ସ୍ଥାନ ଗୁଡିକରେ ସ୍ଥାୟୀ ଓ ଅସ୍ଥାୟୀ ଗୃହ ନିର୍ମାଣ ହେବାରେ ଲାଗିଛି । ଯେଉଁ ସ୍ଥାନରେ ଗୃହ ନିର୍ମାଣ ହେଉଛି ସେ ଗୁଡିକ ଜଳସମ୍ପଦ ବିଭାଗ ଅଧିନରେ ଥିଲେ ସୁଦ୍ଧା ଏଭଳି ବେଆଇନ ନିର୍ମାଣ ରୋକିବାରେ ବିଭାଗୀୟ ଅଧିକାରୀ ଉଦାସୀନତା ପ୍ରକାଶ କରୁଛନ୍ତି । ହାଇଲେବୁଲ କେନାଲ ସମେତ ୩,୪,୫ ଓ ୬ନଂ କେନାଲ ପାଶ୍ୱର୍ର ବିଭିନ୍ନ ସ୍ଥାନରେ ଦିନକୁ ଦିନ ଜବରଦଖଲ ବଢିବାରେ ଲାଗିଛି । ଏଭଳି ବେଆଇନ ନିର୍ମାଣ ରୋକିବାରେ ବିଭାଗୀୟ ଅଧିକାରୀ ଯଦି ଦୃଷ୍ଟି ନଦିଅନ୍ତି ତାହେଲେ କିଛିଦିନ ପରେ ଚାଷଜମି ଗୁଡିକୁ କେନାଲ ଜଳ ମାଡିବା କଷ୍ଟକର ହୋଇପଡିବ ଏଥିରେ ସନ୍ଦେହ ନାହିଁ । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ସମେତ ଜଳସମ୍ପଦ ବିଭାଗ ଯନ୍ତ୍ରୀ ମାନେ ଦୃଷ୍ଟି ଦେବାକୁ ଦାବି ହୋଇଛି ।


