ଟୁକନ ପାଇ ସୁଦ୍ଧା ଧାନବିକ୍ରୟରୁ ବଞ୍ଚିତ ଚାଷୀ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଖରିଫ ଧାନ ବିକ୍ରୟ ବ୍ୟବସ୍ଥା ବାବଦୀୟ ବିବାଦ ଥମିବାର ନାଁ ଧରୁନି । ଗତ ସପ୍ତାହରେ ସରସଦା ସମିତିରେ ଧାନବିକ୍ରୟକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଥିବାବେଳେ ଏବେ ଅନେକ ସମିତିରେ ଟୁକନ ପାଇ ଚାଷୀମାନେ ଧାନ ବିକିପାରୁନଥିବା ଅଭିଯୋଗ ହୋଇଛି । ମିଳିଥିବା ଅଭିଯୋଗ ଅନୁଯାୟୀ ବାଲିପୋଖରୀ ସେବା ସମବାୟ ସମିତି ଅଧିନ କିଛି ଚାଷୀଙ୍କୁ ୧୧/୧/୨୧ ଠାରୁ ୨୯/୧/୨୧ ମଧ୍ୟରେ ଧାନ ବିକ୍ରୟ ପାଇଁ ସୂଚନା ଦିଆଯାଇଥିଲା । ଏନେଇ ଚାଷୀମାନେ ସମିତିରୁ ମଧ୍ୟ ଟୁକନ ପ୍ରାପ୍ତ ହୋଇଥିଲେ । ପରିତାପର ବିଷୟ ଧାନ ବିକ୍ରୟ ପାଇଁ ଟୁକନ ପ୍ରାପ୍ତ ଚାଷୀମାନଙ୍କ ମଧ୍ୟରୁ ଶତକଡା ୩୦ଭାଗ ଚାଷୀ ଏଯାଏଁ ଧାନବିକ୍ରି କରିପାରିଛନ୍ତି । ବାକି ୭୦ଭାଗ ଚାଷୀ ଏଥିରୁ ବଞ୍ଚିତ ହୋଇଥିବାରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି । ମଣ୍ଡି ଦାୟିତ୍ୱରେ ଥିବା ଅଧିକାରୀଙ୍କ କହିବାକଥା ହେଲା ଧାନକ୍ରୟ ପାଇଁ ଯୋଗାଣ ବିଭାଗ ପକ୍ଷରୁ ଯେତିକି ଟାର୍ଗେଟ ଆସୁଛି ସେହି ଅନୁସାରେ ଚାଷୀମାନଙ୍କ ଠାରୁ ମିଲର ଧାନ ନେଉଛନ୍ତି । ଏହାଛଡା ସପ୍ତାହରେ ୩ଗୋଟି ବାରରେ ଧାନ କିଣାଯାଉଥିବାରୁ ଟାର୍ଗେଟ ଅନୁଯାୟୀ ସମସ୍ତ ଚାଷୀ ଧାନ ଦେଇପାରୁନାହାଁନ୍ତି । ସୁତରାଂ ଏହିଭଳି ଧାନକ୍ରୟ ବ୍ୟବସ୍ଥା ଚାଲିଲେ ପଞ୍ଜିକୃତ ସମସ୍ତ ଚାଷୀଙ୍କୁ ଧାନ ବିକ୍ରୟ ପାଇଁ ଜୁନ ଜୁଲାଇ ଯାଏଁ ଲାଗିଯିବ । ଏପଟେ ଖରିଫ ଧାନକ୍ରୟ ସମୟସୀମା ସରକାର ମାର୍ଚ୍ଚ ୨୧ଯାଏଁ ରଖିଥିବାବେଳେ ଯୋଗାଣ ବିଭାଗର ଟାର୍ଗେଟ ଆଧାରରେ ଅନେକ ଚାଷୀ ଧାନ ନିକ୍ରୟରୁ ବଞ୍ଚିତ ହେଉଛନ୍ତି । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଶସ୍ୟ ବିକ୍ରୟ କରିବାର ନୈରାଶ୍ୟ ଦେଖାଦେଇଛି । ଏନେଇ ସମିତି ଅଧିନ ଚାଷୀ ଅକ୍ଷୟ ତ୍ରିପାଠୀ, ଗଗନ ବିହାରୀ ସେଠୀ, ଜଗନ୍ନାଥ ପୃଷ୍ଟି, ନୃସିଂହ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ସାହୁ, ସୁଧାକର ସାହୁ, ଶ୍ୟାମସୁନ୍ଦର ସେଠୀ , ପଞ୍ଚାନନ ସେନାପତି, ରବିନ୍ଦ୍ର କୁମାର ସାହୁ,ନୀଳମଣି ସାହୁ ପ୍ରମୁଖ ଆଜି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଧାନକ୍ରୟ ବାବଦୀୟ ଅବ୍ୟବସ୍ଥା ଉପରେ ଯଦି ପ୍ରଶାସନ ଦୃଷ୍ଟି ନଦିଏ ତାହେଲେ ଆଗାମୀ ଦିନରେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି ।


