ସିରମ୍ ଇନ୍ଷ୍ଟିଚ୍ୟୁଟ୍ ବିରୋଧରେ ଆଗତ ‘କୋଭିସିଲ୍ଡ୍’ ସଂକ୍ରାନ୍ତ ଟ୍ରେଡ୍ମାର୍କ ଉଲ୍ଲଙ୍ଘନ ଆବେଦନକୁ ଖାରଜ କଲେ ପୁଣେ କୋର୍ଟ
ନୂଆଦିଲ୍ଲୀ : ଟିକା ନିର୍ମାତା ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ‘କୋଭିସିଲ୍ଡ୍’କୁ ‘ବ୍ରାଣ୍ଡ୍ନେମ୍’ ଭାବେ ବ୍ୟବହାର କରି ‘ଟ୍ରେଡ୍ମାର୍କ’ ଉଲ୍ଲଂଘନ କରୁଛି ବୋଲି ଆଗତ ଅଭିଯୋଗକୁ ସ୍ଥାନୀୟ ଅଦାଲତ ଖାରଜ କରିଛନ୍ତି। ଏକଥା ଶନିବାର ଦିନ ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ କହିଛି।ଏସ୍ଏସ୍ଆଇ’ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ବ୍ରିଟିସ୍-ସ୍ୱିଡିସ୍ କମ୍ପାନି ଆଷ୍ଟ୍ରାଜେନିକାଦ୍ୱାରା ମିଳିତ ଭାବେ ବିକଶିତ ‘କୋଭିସିଲ୍ଡ୍’ ନାମକ କରୋନାଭାଇରସ୍ ଟିକା ଉତ୍ପାଦନ କରୁଛି। ଭାରତ ସରକାର ‘ଏସ୍ଏସ୍ଆଇ’ ୧୧ ନିୟୁତ ଡୋଜ୍ ‘କୋଭିସିଲ୍ଡ୍’ ଖରିଦ କରିଛନ୍ତି। ଏହି ମାମଲାରେ ସ୍ଥାନୀୟ ଅଦାଲତ ଦେଇଥିବା ରାୟ ତୁରନ୍ତ ମିଳି ନ ଥିଲେ ମଧ୍ୟ ଅଭିଯୋଗକାରୀ ‘କ୍ୟୁଟିସ୍-ବାୟୋଟେକ୍’ର ଓକିଲ କହିଛନ୍ତି ଯେ, ଏ ସଂକ୍ରାନ୍ତରେ ହାଇକୋର୍ଟରେ ମାମଲା ରୁଜୁ କରାଯିବ।ଜାନୁଆରି ୪ ତାରିଖରେ ଔଷଧ କମ୍ପାନି ‘କ୍ୟୁଟିସ୍-ବାୟୋଟେକ୍’ ସିଭିଲ୍ କୋର୍ଟରେ ଅଦାଲତରେ ଆବେଦନ କରିଥିଲେ ଯେ, ସେ ପୂର୍ବରୁ ‘କୋଭିସିଲ୍ଡ୍’ ବ୍ରାଣ୍ଡ୍ନେମ୍ ବ୍ୟବହାର କରିଛନ୍ତି। ତେଣୁ, ‘ଏସ୍ଏସ୍ଆଇ’କୁ ଉକ୍ତ ବ୍ରାଣ୍ଡ୍ନେମ୍ ବ୍ୟବହାର କରିବାରୁ ବିରତ ହେଉ। ‘ଏସ୍ଏସ୍ଆଇ’ ଅଦାଲତଙ୍କୁ ଜଣାଇଥିଲେ କି, ଦୁଇ କମ୍ପାନି ଅଲଗା ଶ୍ରେଣୀର ଉତ୍ପାଦ ପରିଚାଳନା କରୁଛନ୍ତି। ତେଣୁ ‘ଟ୍ରେଡ୍ମାର୍କ’ କ୍ଷେତ୍ରରେ ବିଭ୍ରାନ୍ତ ହେବାର କୌଣସି ସମ୍ଭାବନା ନାହିଁ। ଅଦାଲତ ବିପକ୍ଷ କମ୍ପାନିର ଆବେଦନ ଖାରଜ କରିଥିବା କଥା ‘ଏସ୍ଏସ୍ଆଇ’ର ଓକିଲ ହିତେଶ ଜୈନ୍ କହିଛନ୍ତି। ‘କ୍ୟୁଟିସ୍-ବାୟୋଟେକ୍’ର ଓକିଲ ଆଦିତ୍ୟ ସୋନି କହିଛନ୍ତି ଯେ, ଅଦାଲତଙ୍କ ଆଦେଶନାମା ଏ ପର୍ଯ୍ୟନ୍ତ ମିଳିନାହିଁ। କିନ୍ତୁ, ଅଦାଲତରେ ଅପରେଟିଭ୍ ଅର୍ଡର୍ ପଢ଼ି ଶୁଣାଇ ଦିଆଯାଇଛି। ଆମେ ଏହି ରାୟ ବିରୋଧରେ ହାଇକୋର୍ଟରେ ମାମଲା କରିବୁ।