ଓଡ଼ିଶା ରେଡ୍ ଜିତିଲା ମହିଳା ଟି-୨୦ ଟ୍ରଫି: ମାଧୁରୀ ପ୍ରତିଯୋଗିତାର ଶ୍ରେଷ୍ଠ କଳ୍ପନା, ଶ୍ରେଷ୍ଠ ଉଦୀୟମାନ ଖେଳାଳି
ଭୁବନେଶ୍ବର,(ଓ୍ବାଇଏନ୍ଏସ୍): କିଟ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଆୟୋଜିତ ଏମ୍ଜିଏମ୍ ଓଡ଼ିଶା ମହିଳା ଟ୍ବେଣ୍ଟି-୨୦ ପ୍ରତିଯୋଗିତା ସୋମବାର ଉଦ୍ଯାପିତ ହୋଇଛି। ଫାଇନାଲ୍ରେ ଅଞ୍ଜଳି ସିଂହଙ୍କ ଓଡ଼ିଶା ଭାଓଲେଟ୍କୁ ୬ ୱିକେଟ୍ ବ୍ୟବଧାନରେ ହରାଇ ମାଧୁରୀ ମେହେଟ୍ଟାଙ୍କ ଓଡ଼ିଶା ରେଡ୍ ବିଜେତା ଟ୍ରଫି ହାସଲ କରିଛି।ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିବା ଓଡ଼ିଶା ରେଡ୍ ଦଳ ଭାଓଲେଟ୍ ବ୍ୟାଟର୍ଙ୍କୁ ୧୨୪/୫ରେ ସୀମିତ ରଖିଥିଲା। ପାଳି ସାରା ବ୍ୟାଟିଂ କରିଥିବା ପ୍ରାରମ୍ଭିକ ବ୍ୟାଟର୍ ରଶ୍ମିତା ଚିନ୍ନରା (୫୨* ରନ୍, ୫୮ ବଲ୍, ୬ ଚୌକା)ଙ୍କ ବ୍ୟତୀତ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ (୨୯ ରନ୍, ୩୨ ବଲ୍, ୨ ଚୌକା) ଓ ସୁଇଟ୍ ବେଉରା (୨୩ ରନ୍, ୧୮ ବଲ୍, ୩ ଚୌକା) ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍ କରିପାରିଥିଲେ। ରେଡ୍ ପକ୍ଷରୁ ତନ୍ମୟୀ ବେହେରା (୩-୧-୯-୧), ଏସ୍ବି ଲରେନ୍ସ (୪-୦-୩୦-୧) ଏବଂ ରାଜଶ୍ରୀ ସ୍ବାଇଁ (୪-୦-୨୬-୧) ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଅଞ୍ଜଳି ଓ ତରାନ୍ନାଙ୍କ ରନ୍ ଆଉଟ୍ ଦଳକୁ ଆଗକୁ ବଢ଼ିବାକୁ ଦେଇନଥିଲା। ଜବାବରେ ଓଡ଼ିଶା ରେଡ୍ ପାଇଁ ଅଧିନାୟିକା ମାଧୁରୀ ମେହେଟ୍ଟା (୫୪ ରନ୍, ୪୦ ବଲ୍, ୭ ଚୌକା) ଆକର୍ଷଣୀୟ ଅର୍ଧଶତକ ହାସଲ କରି ମ୍ୟାଚ୍କୁ ସହଜ କରି ଦେଇଥିଲେ। ତନ୍ମୟୀ ବେହେରା (୨୧ ରନ୍, ୩୩ ବଲ୍, ୨ ଚୌକା) ଉପଯୋଗୀ ଅବଦାନ ଦେଇଥିବା ବେଳେ ସୁନିତା ମୁର୍ମୁ (୯*, ୪ ବଲ, ୧ ଛକା) ଏବଂ ରାଜଶ୍ରୀ ସ୍ବାଇଁ (୧୩*, ୧୧ ବଲ୍, ୨ ଚୌକା) ଦଳକୁ ଗୋଟିଏ ବଲ୍ ପୂର୍ବରୁ ରୋମାଞ୍ଚକ ବିଜୟ ପ୍ରଦାନ କରିଥିଲେ। ରେଡ୍ ୧୯.୫ ଓଭରରେ ୪ ୱିକେଟ୍ ହରାଇ ୧୨୬ ରନ୍ କରିଥିଲା। ସୁଶ୍ରୀ ଦିବ୍ୟଦର୍ଶିନୀ ଏବଂ କୁନି ବେହେରା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ମାଧୁରୀ ଫାଇନାଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।