ଅଧିଭକ୍ତାମାନଙ୍କ ପାଇଁ ପରିବାର ସ୍ୱାସ୍ଥ୍ୟବୀମା ଯୋଜନା ପ୍ରଣୟନ କରିବାକୁ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଓଡିଶା ଅଧିଭକ୍ତା ପରିଷଦ ପକ୍ଷରୁ ଦାବିପତ୍ର
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଅଧିଭକ୍ତାମାନଙ୍କ ପାଇଁ ପରିବାର ସ୍ୱାସ୍ଥ୍ୟବୀମା ଯୋଜନା ପ୍ରଣୟନ କରିବା ନିମନ୍ତେ ଓଡିଶା ଅଧିଭକ୍ତା ପରିଷଦର କେନ୍ଦ୍ରାପଡା ୟୁନିଟ ପକ୍ଷରୁ କେନ୍ଦ୍ର ଆଇନ ମନ୍ତ୍ରୀ ରବୀଶଙ୍କର ପ୍ରସାଦଙ୍କ ଉଦେଶ୍ୟରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କୋଭିଡ-୧୯ ପାଣ୍ଡାମିକ ଯୋଗୁଁ କୋର୍ଟର ସାଧାରଣ କାର୍ଯ୍ୟ ବ୍ୟାହତ ହୋଇଥିବା ବେଳେ ଏବେ ମଧ୍ୟ ତାହା ଲାଗିରହିଛି । ଓକିଲମାନେ ଏହା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି । ସାଧାରଣ ଲୋକଙ୍କ ପାଇଁ କେନ୍ଦ୍ର ସରକାର ବହୁ ଜନକଜଲ୍ୟାଣ ଯୋଜନା ପ୍ରଣୟନ କରିଥିବା ବେଳେ ଓକିଲମାନେ ସେଥିରୁ ବଂଚିତ ହୋଇଛନ୍ତି । ଓକିଲମାନଙ୍କ ପାଇଁ କୈାଣସି କେନ୍ଦ୍ରୀୟ ଯୋଜନା ନଥିବା ବେଳେ କେତେକ ରାଜ୍ୟ ସରକାର ସେମାନଙ୍କ ରାଜ୍ୟର ଓକିଲମାନଙ୍କ ପାଇଁ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି । ଓକିଲମାନେ ଭବିଷ୍ୟନିଧି ଯୋଜନା ବା ଇ.ଏସ.ଆଇ. ଭଳି ଯୋଜନାର ଅନ୍ତର୍ଭୁକ୍ତ ନୁହଁନ୍ତି । ଅଖିଳ ଭାରତୀୟ ଅଧିଭକ୍ତା ପରିଷଦର ଜାତୀୟ କନଫରେନ୍ସରେ ଭାରତୀୟ ଅଧିଭକ୍ତାମାନଙ୍କୁ ପରିବାର ସ୍ୱାସ୍ଥ୍ୟବୀମା ଯୋଜନାରେ କେନ୍ଦ୍ର ସରକାର ଅନ୍ତର୍ଭୁକ୍ତ କରିବା ପାଇଁ ଏକ ପ୍ରସ୍ତାବ ଗୃହିତ ହୋଇଥିଲା । ଏସମ୍ପର୍କରେ ଅଖିଳ ଭାରତୀୟ ଅଧିଭକ୍ତା ପରିଷଦ ଏକ ସ୍ମାରକପତ୍ର କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ଓ କେନ୍ଦ୍ର ଆଇନମନ୍ତ୍ରଣାଳୟ ପକ୍ଷରୁ ଗଠିତ ସ୍ୱତନ୍ତ୍ର କମିଟି ତାର ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ଏହି ଦାବିର କୈାଣସି ବିଚାର କରାଯାଇନାହିଁ । ତେଣୁ ଅଧିଭକ୍ତାମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ପରିବାର ସ୍ୱାସ୍ଥ୍ୟବୀମା କେନ୍ଦ୍ର ଆଇନମନ୍ତ୍ରଣାଳୟ ପକ୍ଷରୁ ପ୍ରଣୟନ କରାଯିବାକୁ ଓଡିଶା ଅଧିଭକ୍ତା ପରିଷଦର କେନ୍ଦ୍ରାପଡା ୟୁନିଟ ପକ୍ଷରୁ ସମ୍ପାଦକ ସମରକେଶରୀ ମହାପାତ୍ର, ନେହେରୁ କୁମାର ସାହୁ, ଚୈାଧୁରୀ ସୁବାଷ ଚନ୍ଦ୍ର ମିଶ୍ର, ଅନନ୍ତ ବଲ୍ଲଭ ଶତପଥୀ, ମୋତିଉଲ୍ଲା ବକ୍ସ, ଲକ୍ଷ୍ମଣ କୁମାର ସାହୁ, ପ୍ରଭାତରଞ୍ଜନ ଦାସ, ଗଣେଶ ପ୍ରସାଦ ମଲ୍ଲିକ, ଭରତଭୂଷଣ ବେହେରା, ଗୋଲଖ ପାତ୍ର, ପ୍ରଶାନ୍ତ କୁମାର ଜେନା, ଭବାନିଶଙ୍କର ବାରିକ ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।