ପୁରୁଣା ଶାଢ଼ିର ପୁନଃବ୍ୟବହାର
ବିତୁଥିବା ଦିନ ସହିତ ନୂଆ ନୂଆ ଶାଢ଼ି କିଣିବା ଭିତରେ ଅନେକ ଶାଢ଼ି ପୁରୁଣା ହୋଇ ଅଦରକାରୀ ହୋଇଯାଏ । ହେଲେ ଫିଙ୍ଗିବା ଅପେକ୍ଷା ବିଭିନ୍ନ ଉପାୟରେ ଏହାର ବ୍ୟବହାର କରାଯାଇପାରିବ । ଜାଣି ରଖନ୍ତୁ ସେ ସମ୍ପର୍କରେ ।
ପୁରୁଣା ଶାଢ଼ିରେ ସାଲ୍ୱାର ପଞ୍ଜାବୀ, ଫ୍ରକ୍, ଲଙ୍ଗ୍ ସ୍କର୍ଟ ଏବଂ ଅନ୍ୟାନ୍ୟ ନୂଆ ନୂଆ ଡିଜାଇନ୍ର ଡ୍ରେସ୍ ପ୍ରସ୍ତୁତ କରି ପିନ୍ଧିପାରିବେ । ଶାଢ଼ିକୁ କାଟି ବିଶେଷ କରି ପାଟଶାଢ଼ିକୁ ଓଢଣି ଭାବେ କୁର୍ତ୍ତି ସହିତ ବ୍ୟବହାର କଲେ ଖୁବ୍ ସୁନ୍ଦର ଏବଂ ଆକର୍ଷଣୀୟ ଲାଗିବ ।
କୌଣସି ପୁରୁଣା ଶାଢ଼ିର ବର୍ଡର ଆକର୍ଷଣୀୟ ହୋଇଥିଲେ ଏହାକୁ କାଢ଼ି ଅନ୍ୟ ଶାଢ଼ି କିମ୍ବା ପ୍ଲେନ୍ ରଙ୍ଗର କପଡ଼ାରେ ଲଗାଇ ନୂଆ ଶାଢି ଭାବେ ବ୍ୟବହାର କରିପାରିବେ ।
ଅଳ୍ପ ଖର୍ଚ୍ଚରେ ମନ ମୁତାବକ ଲେହେଙ୍ଗା ପିନ୍ଧିବାକୁ ଚାହୁଁଥିଲେ ଆପଣ ନିଜ ପାଖରେ ଥିବା କୌଣସି ଡିଜାଇନର ବର୍ଡର ୱାର୍କ ଥିବା ପୁରୁଣା ଶାଢ଼ିକୁ ବ୍ୟବହାର କରିପାରିବେ । ଏହା ଅନ୍ୟମାନଙ୍କ ଠାରୁ ଡିଫରେଣ୍ଟ ଲୁକ୍ ଦେବ ।
ଟେବୁଲ୍ କ୍ଲଥ୍ ଭାବେ ବ୍ୟବହାର କରିବା ଲାଗି ପୁରୁଣା ଶାଢ଼ି ଏକ ଭଲ ବିକଳ୍ପ । ଏହା ଦ୍ୱାରା ଗୋଟିଏ ଶାଢ଼ିରୁ ଏକାଧିକ ଟେବୁଲ କ୍ଲଥ୍ ପ୍ରସ୍ତୁତ କରିପାରିବେ । ଏହାକୁ ଧୋଇବା ମଧ୍ୟ ଖୁବ୍ ସହଜ । ସେହିପରି ଏଥିରୁ ଆପଣ ୱାଶିଂମେସିନ୍, ଫ୍ରିଜ୍, ଆଲମିରା ଆଦିର କଭର ମଧ୍ୟ ପ୍ରସ୍ତୁତ କରିପାରିବେ ।
ସୁନ୍ଦର ସୁନ୍ଦର କୁସନ୍ କଭର ପ୍ରସ୍ତୁତ କରିବା ଲାଗି ପୁରୁଣା ଶାଢ଼ିକୁ ବ୍ୟବହାର କରିପାରିବେ । ବିଶେଷ କରି ପାଟ, ମଠା ଭଳି ପାରମ୍ପରିକ ଶାଢ଼ିରେ କୁସନ୍ କଭର ପ୍ରସ୍ତୁତ କଲେ ଏହା ଘରକୁ ଏଥିନିକ୍ ଲୁକ୍ ଦେଇଥାଏ ।


