ଖବର ପ୍ରକାଶନ ପରେ ଚେତିଲା ପ୍ରଶାସନ : ଜବର ଦଖଲ ଉଛେଦ ସହ ଟ୍ରାଫିକ ସମସ୍ୟାରେ ସୁଧାର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗତ କିଛି ମାସ ଧରି ହିଞ୍ଜିଳିକାଟୁ ପୌରାଞ୍ଚଳ ପରିବା ବଜାର, ଲକ୍ଷ୍ମୀ ବଜାର, ଅତ୍ୟାଧୁନିକ ଆମିଷ ବଜାର ସହ ଅସ୍ଥାୟୀ ଆମିଷ ବଜାରରେ ବ୍ୟବସାୟୀମାନେ ଜବର ଦଖଲ କରି ରାସ୍ତା ଉପରେ ବ୍ୟବସାୟ କରି ଆସୁଥିଲେ। ଫଳରେ ସ୍ଥାନୀୟ ସହରରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା। ଏଭଳି ସ୍ଥିତିରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ବହୁ ସମୟରେ ଛୋଟ ବଡ ଦୂର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଥିବା ନିତିଦିନିଆ ଘଟଣା ପାଲଟିଥିଲା। ଘଟଣା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଚେଇଁ ଉଠିଛି ସ୍ଥାନୀୟ ପ୍ରଶାସନ। ମଙ୍ଗଳବାର ସକାଳେ ହିଞ୍ଜିଳିକାଟୁ ପୌର ଓ ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ଥାନୀୟ ପରିବା ବଜାର ଓ ଲକ୍ଷ୍ମୀ ବଜାର ପରିସରରେ ଜବର ଦଖଲ କରି ବେଆଇନ ଭାବେ ବ୍ୟବସାୟ କରୁଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ନିର୍ଦ୍ଧିଷ୍ଟ ପରିସୀମା ମଧ୍ୟରେ ବ୍ୟବସାୟ କରିବା ପାଇଁ ତାଗିଦ୍ କରାଯାଇଥିଲା। ପରବର୍ତ୍ତୀ ସମୟରେ ଜବର ଦଖଲ କରି ବ୍ୟବସାୟ କଲେ ସଂପୃକ୍ତ ବ୍ୟବସାୟୀଙ୍କ ବିରୁଦ୍ଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସହରର ବିଜୁ ପଟ୍ଟନାୟକ ଛକ ଠାରୁ ଆରଏମସି ଛକ ପର୍ଯ୍ୟନ୍ତ ୫୯ ନଂ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଜବର ଦଖଲ କରି ବ୍ୟବସାୟ କରୁଥିବା ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକୁ ଉଚ୍ଛେଦ କରାଯାଇଛି। ଅନୁରୂପ ଭାବେ ପ୍ରାୟ ୯୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅତ୍ୟାଧୁନିକ ଆମିଷ ବଜାରରେ ଆମିଷ ବ୍ୟବସାୟ ମାନେ ନିର୍ଦ୍ଧିଷ୍ଟ ସ୍ଥାନରେ ବ୍ୟବସାୟ ନକରି ଆମିଷ ବଜାର ସମ୍ମୁଖରେ ବ୍ୟବସାୟ ଚଲାଇ ଆସୁଥିବାରୁ ଆମିଷ ବଜାର ସମ୍ମୁଖରେ ଆବର୍ଜନା ଜମା ହୋଇ ରହୁଥିବାରୁ ପୂତ୍ତି ଗନ୍ଧମୟ ପରିସ୍ଥିତି ସୃଷ୍ଟି ହେଉଥିଲା। ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକେଲ ନାକରେ ରୁମାଲ ବାନ୍ଧି ଯାତାୟତ କରୁଥିବା ଦେଖିବାକୁ ମିଳୁଥିଲା। ବହୁ ସମୟରେ ଛେଳି, କୁକୁଡାର ଟୁକୁରା ଅଂଶ ଓ ମାଛ କାତିକୁ ଆମିଷ ବଜାର ନିକଟ କେନାଲରେ ଫୋପାଡି ଦେଇଥିଲେ। ଫଳରେ କେନାଲ ଜଳ ଅପରିଷ୍କାର ହୋଇ ପଡୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ସ୍ଥାନୀୟ ସହରର ବଇଞ୍ଚବଣିଆ, ମାଣିକ ନଗର ଛକ ସମେତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ସମ୍ମୁଖରେ ଅସ୍ଥାୟୀ ଆମିଷ ବଜାର ଗଢି ଉଠିଥିଲା। ସେଠାରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଇଥିଲା। ପ୍ରଶାସନ ପକ୍ଷରୁ ଏ ଗୁଡ଼ିକ ମଙ୍ଗଳବାର ଉଛେଦ କରାଯାଇଛି। ଉଛେଦ ସମୟରେ ହିଞ୍ଜିଳିକାଟୁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା, ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି, ଏଏସଆଇ ମନୋଜ କୁମାର ସେନାପତି, କନେଷ୍ଟବଳ ବସନ୍ତ ଉପାଧ୍ୟାୟଙ୍କ ସମେତ ପୌର ଓ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।


