ବାମପନ୍ଥୀ ଦଳମାନଙ୍କ ଆନ୍ଦୋଳନ ପାଇଁ ପ୍ରସ୍ତୁତି

ବାଲେଶ୍ୱର,: ଦେଶର ଅର୍ଥନୈତିକ ମାନ୍ଦାବସ୍ଥା, ବେକାରୀ, ଚାଷୀ ମାରଣ ନୀତି, ଜାତୀୟ ନାଗରିକ ପଞ୍ଜିକରଣ ଓ ଅଗଣତାନ୍ତ୍ରିକ ଭାବେ ୩୭୦ ଧାରା ଉଚ୍ଛେଦ ବିରୋଧରେ ଏବଂ ସଂବିଧାନର ସୁରକ୍ଷା ଦାବିରେ ଦେଶବ୍ୟାପୀ ବାମପନ୍ଥୀମାନଙ୍କ ଆନ୍ଦୋଳନରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଟାଉନ୍ କମିଟି ତରଫରୁ ଯୋଗଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗୁରୁବାର ଦିନ ଅପରାହ୍ନରେ ସ୍ଥାନୀୟ ଉଠାଜଳସେଚନ କର୍ମଚାରୀ ଭବନର ସଭାଗୃହରେ ଟାଉନ୍ ଅଞ୍ଚଳ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆସନ୍ତା ୨୧ ତାରିଖ ଦିନ ବାଲେଶ୍ୱର ସହରରେ ପ୍ରସ୍ତାବିତ ବାମଦଳମାନଙ୍କର ଶୋଭାଯାତ୍ରା ଓ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖ ବିକ୍ଷୋଭରେ ପାର୍ଟିର ସମସ୍ତ ସଭ୍ୟ ଓ ସମର୍ଥକ ଯୋଗଦେବାକୁ ବୈଠକରେ ଆହ୍ୱାନ ଦିଆଯାଇଛି । କେନ୍ଦ୍ର ସରକାରଙ୍କର ଭୁଲ୍ ଅର୍ଥନୀତି ଯୋଗୁଁ ଆଜି ଦେଶରେ ଦରଦାମ୍ ବୃଦ୍ଧି, ବେକାରୀ, ଶ୍ରମିକ ଛଟେଇ ଓ କୃଷକମାନଙ୍କ ସମସ୍ୟା ବୃଦ୍ଧିପାଇଛି ବୋଲି ସି.ପି.ଆଇ.ର ଜିଲ୍ଲା ସହସଂପାଦକ ଭାଗବତ ପ୍ରତିହାରୀ ବୈଠକରେ ମତପ୍ରଦାନ କରିଥିଲେ । କେନ୍ଦ୍ରସରକାରଙ୍କର ସମସ୍ତ ଜନବିରୋଧି ନିଷ୍ପତ୍ତିକୁ ଓଡ଼ିଶା ସରକାର ରାଜ୍ୟର ବିକାଶ ଆଳରେ ସମର୍ଥନ ଜଣାଉଛି । ଏହି ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଦେଶ କିମ୍ବା ରାଜ୍ୟର ଜନତାଙ୍କ ଆର୍ôଥକ ଅଭିବୃଦ୍ଧି ହେଉନାହିଁ । ଏଥିଯୋଗୁଁ ଲୋକମାନଙ୍କ କ୍ରୟଶକ୍ତି ହ୍ରାସ ପାଉଛି ବୋଲି ସାଥି ପ୍ରତିହାରୀ ଉପସ୍ଥିତମାନଙ୍କୁ ଅବଗତ କରାଇଥିଲେ । ପାର୍ଟିର ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟ ତଥା ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ସଦର ଜୋନ୍ ସଂପାଦକ ଯତିନ୍ ପାତ୍ର, ଆଇନଜୀବି ନିରଞ୍ଜନ ପରିଡ଼ା, ନାରୀନେତ୍ରୀ ବନ୍ଦନା ବିଶ୍ୱାସ, ବେଣୁଧର ବାରିକ, ଶ୍ୟାମସୁନ୍ଦର ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଟାଉନ୍ କମିଟି ସଂପାଦକ ଜୟନ୍ତ ମହାନ୍ତି ବୈଠକରେ ପାର୍ଟିର କାର୍ଯ୍ୟସୂଚୀ ଓ କାମଦାମର ବିବରଣୀ ଉପସ୍ଥାପିତ କରିଥିଲେ । ଯୁବ ଚିତ୍ରଶିଳ୍ପୀ ଦେବେନ୍ଦ୍ର ଖଟୁଆଙ୍କ ଅକାଳ ବିୟୋଗରେ ଶୋକପ୍ରକାଶ କରାଯାଇଥିଲା ବାଲେଶ୍ୱରକୁ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ଜ୍ୟୋତିଯାତ୍ରାକୁ ପାର୍ଟି ତରଫରୁ ସ୍ୱାଗତ କରାଯାଇଛି । ଶଶିକାନ୍ତ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ