ବ୍ୟବସାୟ ପତିଷ୍ଠାନ ଉପରେ ଜିଏସ୍ଟି ଚଢାଉ
କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡ଼ା ସହରର କାକଟ ଛକରେ ଥିବା ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଗୁରୁବାର ଜିଏସ୍ଟି ଚଢାଉ କରାଯାଇଥିବା ସୂଚନା ମିଳିଛି । ଭାରତ ସରକାରଙ୍କ ବିତ୍ତ ମନ୍ତ୍ରଣାଳୟର ଅଧିକାରୀମାନେ ୩ଟି ଗାଡିରେ ଆସି ଏହି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ କରିଥିଲେ । ଏହି ଚଢାଉ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ବ୍ୟବସାୟୀ ଜଣକ କୋଟି କୋଟି ଟଙ୍କା ଜିଏସ୍ଟି ଫାଙ୍କି ଆସୁଥିବାର ସୂଚନା ମିଳିଛି । ବ୍ୟବସାୟୀ ଜଣକ ଚଞ୍ଚକତା କରି ବ୍ୟବସାୟ ପ୍ରତିଷ୍ଠାନର ନାମ ବାରମ୍ବାର ବଦଳାଇଥିବା ମଧ୍ୟ ସୂଚନା ମିଳିଛି । ପୁରାତନ ଫାର୍ମର ନାମ ବଦଳାଇ ଟିକସ ଫାଙ୍କିବା ପାଇଁ ସେ ଉଦ୍ୟମ କରୁଥିଲେ । ଏ ନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ବିତ୍ତ ମନ୍ତ୍ରଣାଳୟର ଅଧିକାରୀମାନେ ସେହି ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଚଢାଉ କରି ବିଭିନ୍ନ ପ୍ରକାର ବ୍ୟବସାୟୀକ କାଗଜପତ୍ର ଓ କମ୍ପ୍ୟୁଟର ହାଡଡିସ୍କ ପ୍ରଭୃତି ଜବତ କରି ଭୂବନେଶ୍ୱର ଅଫିସକୁ ନେଇଯାଇଥିବା ସୂଚନା ମିଳିଛି । ଏହି ଚଢାଉକୁ ନେଇ ସହରର ଅନ୍ୟ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶି ଯାଇଥିବା ଦେଖାଯାଇଛି । ହେଲେ ଏ ସଂକ୍ରାନ୍ତରେ ସଂପୃକ୍ତ ଅଧିକାରୀମାନେ କୌଣସି ତଥ୍ୟ ଗଣମାଧ୍ୟମକୁ ଦେବାକୁ ମନା କରି ଅଧିକାରୀମାନେ ଏଡାଇ ଯାଇଥିଲେ ।


