ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକକୁ ଗିରଫ କଲା ପୁଲିସ
ବାରିକପୁର, (ଓ୍ବାଇଏନ୍ଏସ୍):ଭଣ୍ଡାରିପୋଖରୀ ଥାନା ରାମଚନ୍ଦ୍ରପୁର ପଞ୍ଚାୟତ ଭୂତିଆ ଗ୍ରାମରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଜଣେ ଯୁବକ ଆଜି ପୁଲିସ ଦ୍ୱାରା ଗିରଫ ହୋଇଛି । ମିଳିଥିବା ଅଭିଯୋଗ ଅନୁଯାୟୀ ସ୍ଥାନୀୟ ଗନ୍ଧର୍ବବିନ୍ଧାର ଜନୈକ ମହିଳା ରବିବାର ଦିନ ୧୦.୩୦ମି. ସମୟରେ ଗାଧୁଆ ଘରକୁ ସ୍ନାନ ଶୌଚ କରିବାକୁ ଯାଇଥିଲେ । ଏହି ସମୟରେ ପୂର୍ବରୁ ସ୍କାଏ ଲାଇଟ ଭାଙ୍ଗି ଗାଧୁଆ ଘରେ ଛକିଥିବା ଜନୈକ ଯୁବକ ମହିଳାଙ୍କୁ ଜବରଦସ୍ତ ଦୁଷ୍କର୍ମ ପାଇଁ ଟଣାଓଟରା କରିଥିଲା । ଏପରିକି ମହିଳା ଜଣକୁ ଛୁରିଦେଖାଇ ମଧ୍ୟ ଭୟଭିତ କରିଥିଲା । ପାଟିତୁଣ୍ଡ ଶୁଭା ଯିବାରୁ ମହିଳାଙ୍କ ସ୍ୱାମୀ ଘଟଣା ସ୍ଥଳରେ ପହଞ୍ଚିଥିବାବେଳେ ଯୁବକ ଜଣକ ତାଙ୍କୁ ମଧ୍ୟ ଏକ ଲୁହା ରଡରେ ଆକ୍ରମଣ କରିଥିଲା । ଏହାରି ଭିତରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଯୁବକଙ୍କୁ କାବୁ କରିଥିଲେ । ଖବର ପାଇ ଭଣ୍ଡାରିପୋଖରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକ ଜଣକୁ ଗିରଫ କରି ଥାନାକୁ ଆଣିଛି । ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ପୁଲିସ ନିକଟରେ ଲିଖିତ ଭାବେ ଅଭିଯୋଗ ହୋଇଛି ।