ମାଘ ପରବ ନାଗରା, ମାଦଳ ଧ୍ୱନିରେ ଦୁଲୁକିଲା ଆଦିବାସୀପଲ୍ଲୀ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଭୁବନେଶ୍ୱର ଉପକଣ୍ଠ ଛତାବର ପଞ୍ଚାୟତ କନ୍ଦଳେଇ ଆଦିବାସୀ ପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି । ମାଘ ପରବ ପାଇଁ ପୁରା ଗାଁ ଏକାଠି ହୋଇଛି । ମାଘ ପରବ ପାଳନ ଅବସରରେ ଆନନ୍ଦରେ ମସ୍ଗୁଲ ହୋଇଛନ୍ତି ଗାଁ ର ପିଲା, ବୁଢା, ଯୁବକ, ଯୁବତୀ । କୋହ୍ଲ ସମ୍ପ୍ରଦାୟର ବଡ଼ପର୍ବ କୁହାଯାଉଥିବା ମାଘ ପରବ ଭାଇଚାରା ଓ ଏକତାକୁ ଅତୁଟ ରଖିବା ପାଇଁ ଅନ୍ନବ୍ୟଞ୍ଜନ ପ୍ରସ୍ତୁତ ସହ ନାଚ, ଗୀତ ର ପରମ୍ପରାକୁ ଗ୍ରାମବାସୀମାନେ ଅନୁସରଣ କରି ଆସୁଥିବା ଗାଁର ମୁରବୀ ମଦନ ଚାତାର କହିଛନ୍ତି । ଗାଁକୁ ବିପଦମୁକ୍ତ କରିବା ପାଇଁ ଗ୍ରାମବାସୀ କନ୍ଦଳେଇ ଠାକୁରାଣୀଙ୍କ ନିକଟରେ ପୂଜା ଅର୍ଚ୍ଚନା କରିଛନ୍ତି । ଏହି ପର୍ବ ଗାଁର ସମସ୍ତ ପରିବାର ମଧ୍ୟରେ ସଂପ୍ରୀତିର ଡ଼ୋରିକୁ ମଜ୍ଭୁତ କରିଛି ବୋଲି ଯୋଗ ଦେଇଥିବା ଅତିଥିମାନେ ପ୍ରକାଶ କରିଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ନିମନ୍ତ୍ରିତ ଅତିିଥି ରୂପେ ସ୍ଥାନୀୟ ସରପଞ୍ଚ ମନସ୍ୱିନୀ ମିଶ୍ର ଡ଼େଙ୍ଗ, ପୂର୍ବତନ ସରପଞ୍ଚ ବିଷ୍ଣୁ ପ୍ରସାଦ ଡ଼େଙ୍ଗ, ଗାଁର ବିକାଶ ନେଇ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ସୁଶାନ୍ତ ସାହୁ, ସାମାଜିକ କର୍ମୀ ସଂଗ୍ରାମ କେଶରୀ ସାହୁ, ପ୍ରଦୀପ୍ତ ରଞ୍ଜନ ରାଉତ, ତ୍ରିଲୋଚନ ବେଉରା, ସ୍ଥାନୀୟ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପବିତ୍ର ମୋହନ ନାୟକ, ଶିକ୍ଷକ ସୁବାସ ଓଝା ପ୍ରମୁଖ ଯୋଗ ଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଆଦିବାସୀ ପରମ୍ପରା ଓ ସଂସ୍କୃତିର ସ୍ଥାନ ସ୍ୱତନ୍ତ୍ର ଓ ମହାନ ବୋଲି ମତପ୍ରକାଶ କରିଥିଲେ । ପରମ୍ପରା ଅନୁଯାୟୀ ଅତିଥିମାନଙ୍କ ପାଦପୂଜା ସହ ମଥାରେ ଚନ୍ଦନ, ଫୁଲ ଦେଇ ନାଗରା, ମାଦଳ ର ତାଳେ ତାଳେ ଗାଁକୁ ଗ୍ରାମବାସୀମାନେ ପାଛୋଟି ନେଇଥିଲେ । ଗ୍ରାମବାସୀଙ୍କ ଏହି ସ୍ନେହ, ଶ୍ରଦ୍ଧା କେବେ ବି ପାସୋରି ହେବ ନାହିଁ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଆଦିବାସୀମାନଙ୍କ ନୃତ୍ୟ ଓ ଗୀତ ଅତିଥିମାନଙ୍କ ହୃଦୟକୁ ବେଶ୍ ଛୁଇଁ ପାରିଥିଲା । ଏତଦ୍ସହ ଅତିଥିମାନେ ମଧ୍ୟ ଗ୍ରାମବାସୀଙ୍କ କାନ୍ଧକୁ କାନ୍ଧ ମିଶାଇ ନୃତ୍ୟର ମଜ୍ଜା ନେଇଥିଲେ । ଆଦିବାସୀମାନଙ୍କର ପ୍ରତ୍ୟେକଟି ପର୍ବ ସାମାଜିକ ଜୀବନକୁ ସଶକ୍ତ କରିଥାଏ ବୋଲି ଅତିଥିମାନେ ସୁଚାଇଥିଲେ ।


