ସେଲୁନ ଦୋକାନ ଜଳିଗଲା ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବପତ୍ର ଭସ୍ମୀଭୂତ
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ପୁଞ୍ଜି କଁୟା ଛକ ନିକଟରେ ରହିଥିବା ଏକ ସେଲୁନ ଦୋକାନ ରେ ଆକସ୍ମିକ ଅଗ୍ନିକାଣ୍ଡ ଯୋଗୁଁ ସେଲୁ ନ ଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଗୁରୁବାର ସକାଳ ପ୍ରାୟ ସାଢେ଼ ୭ ଟାରେ ଦୋକାନୀ ତାଙ୍କ କ୍ୟାବିନ ଖୋଲି ନିକଟସ୍ଥ ପୋଖରୀ କୁ ଶୌଚ ପାଇଁ ଯାଇଥିବା ବେଳେ ଭୟାବହ ଅଗ୍ନିକାଣ୍ଡ ଘଟି ଦୋକାନ ସମେତ ବହୁ ଅତ୍ୟାବଶ୍ୟକ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ଖବରନୁଯାୟୀ , ଗୁରୁବାର ସକାଳୁ ଦିଗପହଣ୍ଡି ଗ୍ରାମ ଚିକିଟିଆ ସାହିର ରବିନ୍ଦ୍ର ଡାକୁଆ ସବୁଦିନ ଭଳି ଗୁରୁବାର ସକାଳ ୭ ଟାରେ ଦୋକାନ ଖୋଲିବା ପରେ ଦୋକାନ ପୂଜା ସାରି ବାହାରକୁ ଯାଇଥିଲେ । ତେବେ କୈାଣସି କାରଣରୁ ଦୋକାନ ଗୃହ ଭିତରୁ ହଠାତ ନିଆଁ ବାହାରିଥିଲା । ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି କ୍ଷଣକ ମଧ୍ୟରେ ନିଆଁ ସମ୍ପୂର୍ଣ୍ଣ ଦୋକାନକୁ ଜାଳି ପୋଡି ପାଉଁଶ କରି ଦେଇଥିଲା । ସ୍ଥାନୀୟ ଲୋକେ ନିକଟସ୍ଥ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଦିଗପହଣ୍ଡି ଅଗ୍ନିଶମ ବିଭାଗ ମୁଖ୍ୟ ଆଗ୍ନିକ ରାଜେନ୍ଦ୍ର ନାରାୟଣ ଦାସ ନେତୃତ୍ୱରେ ଅନ୍ୟାନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇପାରିଥିଲେ । ତେବେ କ୍ଷୟକ୍ଷତିର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ଦିଗପହଣ୍ଡି ରାଜସ୍ବ ନିରୀକ୍ଷିକ ଅକ୍ଷୟ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରାଙ୍କୁ ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ତେବେ ରବିନ୍ଦ୍ର ଜଣେ ନିହାତି ଗରିବ ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦିଗପହଣ୍ଡି ବିକାଶ ପରିଷଦର ସଭାପତି ଅଶେଷ ନାଥ ମିଶ୍ର ସ୍ଥାନୀୟ ଏନ୍ ଏ ସି ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ଙ୍କ ସହ ସାକ୍ଷାତ କରି ଅନୁରୋଧ କରିଥିଲେ। ସେ ଏନ୍ ଏ ସି କାର୍ଯ୍ୟାଳୟ ପକ୍ଷରୁ ଜରୁରୀ କାଳୀନ ସାହାଯ୍ୟ ସ୍ୱରୂପ ୧୫ ଶହ ଟଙ୍କା ପ୍ରଦାନ କରିଥିବା ଜଣାପଡିଛି।