କୋଭିଡ଼ ଟୀକାକରଣରେ ଅବ୍ୟବସ୍ଥା ନେଇ ଧାରଣା
ଦିଗପହଣ୍ଡି,(ୱାଇଏନ୍ଏସ୍ ): ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବରିଷ୍ଠ ନାଗରିକଙ୍କୁ କୋଭିଡ ଟୀକା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯିବାର ମାତ୍ର ତିନିଦିନ ପରେ ହଠାତ ବନ୍ଦ କରିଦିଆଯାଇଛି।ଫଳରେ ପ୍ରତିଦିନ ବହୁ ବରିଷ୍ଠ ନାଗରିକ ବିଭିନ୍ନ ଅଞ୍ଚଳରୁ ଆସି ନିରାଶରେ ଫେରୁଥିବା ଦେଖାଯାଉଛି। ବିଭାଗୀୟ ଅଧିକାରୀଙ୍କ ଏଭଳି ଦାୟିତ୍ୱହୀନ ତଥା ମନୋମୁଖି ପ୍ରତିବାଦରେ ଶୁକ୍ରବାର ଦିଗପହଣ୍ଡି ବିକାଶ ପରିଷଦର ସଭାପତି ଅଶେଷ ନାଥ ମିଶ୍ର, କାର୍ଯ୍ୟକାରୀ ସଭାପତି କୂରେଶୁ ମହାରଣା, ସାମାଜିକ କର୍ମୀ ପ୍ରଶାନ୍ତ ପୂଜାରୀ, ଟୁନା ଚୌଧୁରୀ ପ୍ରମୁଖ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିରହିଥିଲେ। ଖବରପାଇ ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ ଏବଂ ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ନାୟକ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ପରିଷଦ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ।ଦିଗପହଣ୍ଡିରେ ଟୀକା ନେବା ଲୋକଙ୍କ ସଂଖ୍ୟା କମ୍ ରହୁଥିବାରୁ ଭ୍ରାମ୍ଯମାଣ ଦଳ ମାଧ୍ୟମରେ ଟୀକାକରଣ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳକୁ ଘୁଞ୍ଚାଇ ଦିଆଯାଇଛି।ଯଦି ବହୁତ ଲୋକ ଫେରୁଛନ୍ତି ତେବେ ପୁଣିଥରେ ଦିଗପହଣ୍ଡିରେ ଟୀକାକରଣ ଆରମ୍ଭ କରାଯିବ ବୋଲି ଡା.ନାୟକ ପ୍ରକାଶ କରିଛନ୍ତି।


