ରୋଗୀ କଲ୍ୟାଣ ସମିତି ବୈଠକ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ରୋଗୀ କଲ୍ୟାଣ ସମିତି, ପରିଚାଳନା କମିଟି ଓ କାର୍ଯ୍ୟନିର୍ବାହୀ କମିଟିର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ସବିତା ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ସୋରଡ଼ା ବିଧାୟକ ନୀଳମଣି ବିଶୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ସେବାର ବିଭିନ୍ନ ଦିଗ ଉପରେ ସମୀକ୍ଷା କରିଥିଲେ। ଏହି ଅବସରରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ସାତ ଲକ୍ଷ ଟଙ୍କା ଏବଂ ଗୋବରା ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ସାତ ଲକ୍ଷ ୪୬ ହଜାର ଟଙ୍କାର ସମ୍ଭାବ୍ୟ ବଜେଟ୍ ପ୍ରସ୍ତାବନା ଗୃହୀତ ହୋଇଛି। ବୈଠକରେ ବିଡ଼ିଓ ସିଙ୍ଗାପୁରମ୍ ହରି, ତହସିଲଦାର କଳାକୃଷ୍ଣ ପ୍ରଧାନ, ନଗରପାଳ ଫିରୋଜ ସେଠୀ, ବ୍ଲକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ଗୋବରା ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡାକ୍ଟର ସ୍ମୃତିରେଣୁ ଗୌଡ଼ ଏବଂ ବ୍ଲକ୍ ପ୍ରୋଗ୍ରାମ୍ ମ୍ୟାନେଜର ଦୁର୍ଗା ପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ବିଏଏମ୍ ଦିଲ୍ଲୀପ କୁମାର ସାହୁ ଗତବର୍ଷର ଆୟ-ବ୍ୟୟ ବିବରଣୀ ପାଠ କରିଥିଲେ।ଏହି ସମୀକ୍ଷା ବୈଠକରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ଉନ୍ନୟନ, ସାର୍ବଜନୀନ ଶୌଚାଳୟ, ସୌର ପ୍ୟାନେଲ୍ ସ୍ଥାପନ,ବାଉଣ୍ଡରୀ ୱାଲ୍, ନିର୍ମାଣ, ପାନୀୟ ଜଳ ଯୋଗାଣ, ମେଡିକାଲର ଡେଣ୍ଟିଂ-ପେଣ୍ଟିଂ ଏବଂ ଗୋବରା ମେଡିକାଲ୍ କାନ୍ଥରୁ ପାଣି ଝରିବା ସମସ୍ୟାର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଏହାସହ ନୂତନ ଆମ୍ବୁଲାନ୍ସର ଆବଶ୍ୟକତା, ନୂତନ ଯନ୍ତ୍ରପାତି କ୍ରୟ ଓ ପୁରୁଣା ଯନ୍ତ୍ରପାତିର ମରାମତି ପାଇଁ ନିଷ୍ପତ୍ତି ନିଆଯାଇଛି। ସମିତି ସଦସ୍ୟ ପ୍ରହ୍ଲାଦ ଲେଙ୍କାଙ୍କ ପ୍ରସ୍ତାବକ୍ରମେ ରୋଗୀଙ୍କୁ ରାନ୍ଧା ଖାଦ୍ୟ ଯୋଗାଇଦେବା ବ୍ୟବସ୍ଥା ଚଳିତ ମାସରୁ ଆରମ୍ଭ ହୋଇଥିବା ଡାକ୍ତର ସବିତା ବେହେରା ପ୍ରକାଶ କରିଥିଲେ। ସେହିପରି ଗୋବର୍ଦ୍ଧନ ବେହେରାଙ୍କ ପ୍ରସ୍ତାବ ଅନୁଯାୟୀ, ରୋଗୀଙ୍କ ସୁବିଧା ପାଇଁ ପ୍ରତିଦିନ ଅନ୍ତତଃ ଦୁଇଜଣ ଡାକ୍ତର ଚିକିତ୍ସା ସେବା ଯୋଗାଇଦେବା ପ୍ରକ୍ରିୟାକୁ ଗୁରୁତ୍ୱର ସହ ନିଆଯାଇଛି। ଆଗାମୀ ଦିନରେ ଏହିସବୁ ଉନ୍ନୟନମୂଳକ କାର୍ଯ୍ୟ ତୁରନ୍ତ ଶେଷ କରିବା ସହ ଆବଶ୍ୟକ ଅନୁଯାୟୀ ଅର୍ଥ ଯୋଗାଇ ଦିଆଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି। କିପରି ରୋଗୀମାନଙ୍କୁ କମ୍ ସମୟ ମଧ୍ୟରେ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ, ସେ ନେଇ ଏକ ବିଶେଷ ଆଲୋଚନାସଭା ସହ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମେଡିକାଲ ପରିସରରେ ବିଧାୟକଙ୍କ ଦ୍ବାରା ବୃକ୍ଷରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ୪ ଜଣ ଅବସରପ୍ରାପ୍ତ ଆଶା କର୍ମୀଙ୍କ ସମେତ ସାନିଟାରୀ କର୍ମଚାରୀ,ସିକ୍ୟୁରିଟି ଗାର୍ଡ, ଆଟେଣ୍ଡାଣ୍ଟ ଓ ପାରାମେଡିକାଲ ଷ୍ଟାଫ୍‌ଙ୍କୁ ମିଶାଇ ମୋଟ ୧୬ ଜଣ କର୍ମଚାରୀଙ୍କୁ ମାନପତ୍ର ଦେଇ ବିଧାୟକ ଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।ଏହି ଆଲୋଚନାରେ ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ସମିତି ସଦସ୍ୟ ସନ୍ତୋଷ କୁମାର ମଲ୍ଲ,ପୀତବାସ ସାହୁ,ଲକ୍ଷ୍ମଣ ପରିଡ଼ା,ସତ୍ୟବାନ ସ୍ବାଇଁ,ରାମକୃଷ୍ଣ ଦାସ, ଆୟୁଷ ଡାକ୍ତର ବସନ୍ତ ସ୍ବାଇଁ, ସୁଶାନ୍ତ ସାହୁ ଓ ଅଚ୍ୟୁତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମୋ ସ୍ୱାସ୍ଥ୍ୟକେନ୍ଦ୍ର ମୋ ଗର୍ବ କାଯ୍ୟକ୍ରମ ମାଧ୍ୟମରେ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ତରଫରୁ ରୋଗୀମାନଙ୍କ ଇଞ୍ଜେକ୍ସନ ତଥା ଅନ୍ୟ ଯନ୍ତ୍ରପାତି ଗରମ କରିବା ଓ ଗରମ ପାଣିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ବିଦ୍ୟୁତ ଚାଳିତ ଚୁଲା ରୋଗୀ କଲ୍ୟାଣ ସମିତିକୁ ସହାୟତା ପ୍ରଦାନ କରାଯାଇଥିଲା। ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ବରେ ବରିଷ୍ଠ ସାମ୍ବାଦିକ ସୁର୍ଯ୍ୟ ନାରାୟଣ ତିପାଠୀ, ନବକିଶୋର ମହାରାଣା, ତୋଫାନ୍ କୁମାର ସାହୁ,ଶିବରାମ ଚୌଧୁରୀ ଓ ନାରାୟଣ ପଣ୍ଡା ପ୍ରମୁଖ ବିଧାୟକଙ୍କ ଗହଣରେ ଏହି ଉପହାର ପ୍ରଦାନ କରିଥିଲେ। ପ୍ରେସ୍ କ୍ଲବ୍‌ର ଏହି ମହତ୍‌ କାର୍ଯ୍ୟ ପାଇଁ ଚିକିତ୍ସାଧିକାରୀ ଡାକ୍ତର ସବିତା ବେହେରା ସାମ୍ବାଦିକମାନଙ୍କୁ ସମ୍ମାନିତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବିପିଏମ୍ ଦୁର୍ଗା ପ୍ରସାଦ ପଟ୍ଟନାୟକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ