ସମ୍ଭାବନା ସାରସ୍ୱତ ସାଂସ୍କୃତିକ ପରିଷଦ କାର୍ଯ୍ୟନିର୍ବାହୀ ବୈଠକ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ସମ୍ଭାବନା ସାରସ୍ୱତ ସାଂସ୍କୃତିକ ପରିଷଦ ଓଡ଼ିଶାର କାର୍ଯ୍ୟନିର୍ବାହୀ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବାହୁଡ଼ା ଯାତ୍ରା ଅବସରରେ ବେଲଗୁଣ୍ଠା ନିକଟସ୍ଥ ବିଜୟଲକ୍ଷ୍ମୀ ଶରଣପୁରସ୍ଥିତ ‘ପ୍ରୟାସ’ କାର୍ଯ୍ୟାଳୟ ପରିସରରେ ପରିଷଦର ସଭାପତି ମୃତ୍ୟୁଞ୍ଜୟ ରଥଙ୍କ ଅଧ୍ୟକ୍ଷତା ଓ ପ୍ରତିଷ୍ଠାତା ସମ୍ପାଦକ ରବୀନ୍ଦ୍ର କୁମାର ମଲ୍ଲଙ୍କ ବଳିଷ୍ଠ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ରବୀନ୍ଦ୍ର କୁମାର ମଲ୍ଲ, ମାର୍ଗଦର୍ଶକ ଜ୍ୟୋତିର୍ବିଦ ଡଃ ଅନ୍ନଦା ତ୍ରିପାଠୀ, ପିତାମ୍ବର ଦଳବେହେରା, ନିତ୍ୟାନନ୍ଦ ରାଉତ, ସମାଜସେବୀ ସୂର୍ଯ୍ୟକାନ୍ତ ନାୟକ, ସୁରେନ୍ଦ୍ର ଗୌଡ଼, ପ୍ରତାପ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ପାଣି ଓ କୃଷ୍ଣ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ବୈଠକ ପ୍ରାରମ୍ଭରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ଧୂପଦ୍ବୀପ ପ୍ରଜ୍ବଳନ କରି ସ୍ୱାଗତ ଭାଷଣ ପ୍ରଦାନ କରାଯିବା ସହ ପୂର୍ବ କାର୍ଯ୍ୟନିର୍ବାହୀ ପରିଷଦ ବୈଠକର କାର୍ଯ୍ୟବିବରଣୀକୁ ଅନୁମୋଦନ କରାଯାଇଥିଲା। ପରେ ‘ପ୍ରୟାସ’ ଶାଖା କାର୍ଯ୍ୟାଳୟର ଆନୁଷ୍ଠାନିକ ଉଦ୍ଘାଟନ ଓ ଏହାର ସୁଚାରୁ କାର୍ଯ୍ୟପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଆସନ୍ତା ୨୭ତମ ପୂଜ୍ୟପୂଜା ମହୋତ୍ସବ ଓ ରାଜ୍ୟସ୍ତରୀୟ କବି ଓ କଳାକାର ସମ୍ମିଳନୀ–୨୦୨୭ର ସଫଳ ଆୟୋଜନ ନିମନ୍ତେ ବିଭିନ୍ନ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଥିଲା। ସେହିପରି ପରିଷଦର ବାର୍ଷିକ ସାହିତ୍ୟ ପତ୍ରିକା ‘ରବିରଶ୍ମି–୨୦୨୭’ ପ୍ରକାଶନ, ଲେଖା ଓ କବିତା ଆହ୍ୱାନ, ସମ୍ପାଦକ ମଣ୍ଡଳୀ ଗଠନ ଏବଂ ପ୍ରକାଶନ ସମୟସୂଚୀ ନିର୍ଦ୍ଧାରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ନୂତନ କମିଟିକୁ ସୁଦୃଢ଼ କରିବା, ନୂତନ ସଦସ୍ୟ ସଂଗ୍ରହ, ଆର୍ଥିକ ଯୋଜନା ଓ ସମ୍ବଳ ସଂଗ୍ରହ, ୨୦୨୬–୨୭ ବର୍ଷ ପାଇଁ ସାହିତ୍ୟିକ, ସାଂସ୍କୃତିକ, ସେବା ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ରୂପରେଖା ପ୍ରସ୍ତୁତି ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ସମେତ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସହ ସହଯୋଗିତା ବୃଦ୍ଧି ସମ୍ପର୍କରେ ଫଳପ୍ରଦ ଆଲୋଚନା କରାଯାଇଥିଲା। ତତପରେ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ଚୟନ କରାଯାଇ ଶ୍ରୀ ମୃତ୍ୟୁଞ୍ଜୟ ରଥ, ସଭାପତି, ଶ୍ରୀ ଅନ୍ନଦା ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି, ଶ୍ରୀ ନିତ୍ୟାନନ୍ଦ ରାଉତ ଓ ସୁଶ୍ରୀ ମଧୁମିତା ମିଶ୍ର, ଉପ ସଭାପତି, ଶ୍ରୀ ରବୀନ୍ଦ୍ର କୁମାର ମଲ୍ଲ, ପ୍ରତିଷ୍ଠାତା ସମ୍ପାଦକ, ଶ୍ରୀ ବଂଶୀଧର ରଥ, ମୁଖ୍ୟ ସମ୍ପାଦକ, ଶ୍ରୀ ସନ୍ତୋଷ କୁମାର ପାଣି, ପରିଚାଳନା ସମ୍ପାଦକ, ଶ୍ରୀ ଲଷ୍ମୀ ନାରାୟଣ ତ୍ରିପାଠୀ, ସଂଗଠନ ସମ୍ପାଦକ, ଶ୍ରୀ ଶରତ ଚନ୍ଦ୍ର ଷଡ଼ଙ୍ଗୀ ଓ ଶ୍ରୀମତୀ ରେଣୁପ୍ରଭା ଦାଶ, ଯୁଗ୍ମ ସମ୍ପାଦକ ଭାବେ ମନୋନୀତ ହୋଇଥିବାବେଳେ ସମ୍ପାଦନା ମଣ୍ଡଳୀର ବରିଷ୍ଠ କର୍ମକର୍ତ୍ତା ଭାବେ ଡଃ ଭାଗ୍ୟଲିପି ମଲ୍ଲ, ପ୍ରଫେସର କୈଳାସ ନାଥ ସ୍ୱାଇଁ, ଡଃ ବିବେକାନନ୍ଦ ପାଣିଗ୍ରାହୀ, ଡଃ ଅନ୍ନଦା ତ୍ରିପାଠୀ ଓ ଶ୍ରୀ କୁଞ୍ଜ ବିହାରୀ ପାଢ଼ୀଙ୍କୁ ମନୋନୀତ କରାଯାଇଥିଲା ! ଅନୁଷ୍ଠାନର ମାର୍ଗଦର୍ଶକ ଭାବେ ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ, ଡଃ ଶାନ୍ତନୁ ରଥ,ଡଃ ପ୍ରତିଭା ମହାରଥୀ, ଶ୍ରୀ ମୋତିଲାଲ ପତି, ଶ୍ରୀ ପିତାମ୍ବର ଦଳବେହେରା, ଶ୍ରୀ ସରୋଜ କୃଷ୍ଣ ଷଡ଼ଙ୍ଗୀ ଓ ଶ୍ରୀ ରବୀନ୍ଦ୍ର କୁମାର ଗୌଡ଼ଙ୍କୁ ମନୋନିତ କରାଯାଇଥିଲା, ଶେଷରେ କାର୍ଯ୍ୟକାରୀ ସଭାପତି ଡଃ ଅନ୍ନଦା ତ୍ରିପାଠୀ ସମସ୍ତ କାର୍ଯ୍ୟନିର୍ବାହୀ ସଦସ୍ୟଙ୍କୁ ସଂଗଠନର ଲକ୍ଷ୍ୟ ଓ ଆଦର୍ଶକୁ ଦୃଷ୍ଟିରେ ରଖି ସମନ୍ୱିତ ଭାବେ କାର୍ଯ୍ୟ କରିବା ସହ ଆଗାମୀ କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କରିବା ପାଇଁ ଆହ୍ୱାନ ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରି ବୈଠକ ସମାପ୍ତ କରିଥିଲେ ।


