ନିରୀକ୍ଷଣ ସାଥି ଯୋଜନା ସଚେତନତା ସଭା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ  ଆନୁକୂଲ୍ୟରେ ‘ନିରୀକ୍ଷଣ ସାଥି’ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ସଚେତନ କରିଥିଲେ। ପରେ ଦୁର୍ଗମ ଗ୍ରାମାଞ୍ଚଳରେ ବସବାସ କରୁଥିବା  ଗର୍ଭବତୀ ପ୍ରସୂତି ଏବଂ ଶିଶୁଙ୍କ ସକାଶେ  ମାଗଣା ଅଟୋ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଥିଲେ ।  ଦୁର୍ଗମ ପାହାଡ଼ିଆ ଅଞ୍ଚଳକୁ ପକ୍କା ରାସ୍ତା ନଥିବା ଯୋଗୁଁ ବିଭିନ୍ନ ସମୟରେ ଗର୍ଭବତୀ, ପ୍ରସୂତି ଏବଂ ରୋଗୀଙ୍କ ନିକଟରେ ଆମ୍ବୁଲାନ୍ସ ପହଞ୍ଚି ପାରେନାହିଁ । ଏପରିକି ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହା ଯାଉଥିବା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ ଏହି ଯୋଜନା ଶୁଭାରମ୍ଭ କରାଯାଇଛି। ଏହା ଦ୍ବାରା ଦୁର୍ଗମ ଅଞ୍ଚଳର ଗର୍ଭବତୀ ଓ ପ୍ରସୂତି ମହିଳା ମାନେ ମାଗଣା ଅଟୋ ଆମ୍ବୁଲାନ୍ସ  ଯୋଗେ ନିକଟସ୍ଥ ମେଡିକାଲରେ ଚିକିତ୍ସା ନିମନ୍ତେ ସୁବିଧାରେ ପହଞ୍ଚି ପାରିବେ । ଜିଲା ପ୍ରଶାସନ ର ସହାୟତା ରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଦିଗପହଣ୍ଡି ବ୍ଳକର ୯ ଟି ପଞ୍ଚାୟତର ପ୍ରାୟ ୧୯ ଟି ଅପହଞ୍ଚ ଜନଜାତି ବହୁଳ ଗ୍ରାମ ନିମନ୍ତେ ୯ ଟି ମାଗଣା ଅଟୋ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିବା  ଜଣାପଡିଛି । ଜନଜାତି ବହୁଳ ଦୁର୍ଗମ ଗାଁ ଲୋକେ ଏହି ଅଟୋ ଆମ୍ବୁଲାନ୍ସ ସେବା ନିମନ୍ତେ ସ୍ଥାନୀୟ  ସ୍ବାସ୍ଥ୍ୟକର୍ମୀ , ଆଶା କର୍ମୀ ଏବଂ ସ୍ବାସ୍ଥ୍ୟକେନ୍ଦ୍ରର ସହଯୋଗ ଲୋଡି ପାରିବେ ବୋଲି ବିଧାୟକ ସଭାରେ କହିଥିଲେ। କୈଠଖଣ୍ଡି ପଞ୍ଚାୟତ  ସରପଞ୍ଚ ମନୋରଞ୍ଜନ ଗୈାଡ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ବମୋକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ