ବାଇକ ଉପରେ ମାଡ଼ିଗଲା ମାଟି ବୋଝେଇ ହାଇୱା ଟିପର,ବାଇକ ଚାଳକ ମୃତ
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଗଞ୍ଜାମ ଜିଲ୍ଲା ର ଅତୀବ ସ୍ପର୍ଶକାତର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅଧୀନ ପାଟପୁର ଥାନା ଡେଙ୍ଗାଡି ଗାଁ ରଙ୍ଗୁଣି ଛକ ନିକଟ ରେ ଚଳନ୍ତା ବାଇକ ଉପରେ ମାଡ଼ିଗଲା ମାଟି ବୋଝେଇ ଟିପର ।ଘଟଣା ସ୍ଥଳରେ ଆଡପଡ଼ା ଗାଁ ର ବାଇକ୍ ଚାଳକ କାହ୍ନୁ ଚରଣ ଜେନା (୨୩) ଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍ ପଛରେ ବସିଥିବା କାହ୍ନୁ ଙ୍କ ସାଙ୍ଗ ଗୁରୁତର ଆହାତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଆଡ ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଅପରପକ୍ଷରେ ଉତ୍ତେଜିତ ଲୋକଙ୍କ ମାଡରେ ନିଶାସକ୍ତ ଗାଡ଼ି ଚାଳକ ଙ୍କ ମୃତ୍ୟୁ ଘଟିଛି। ଗାଡି ଚାଳକ ଜଣକ ହେଲେ ଭଞ୍ଜନଗର ନିକଟ ତାରସିଂ ଥାନା କୁପୁଟି ଗାଁ ର ବସନ୍ତ କୁମାର ବାଘ(୩୨)। ଘଟଣା ଶନିବାର ଅପରାହ୍ନ ପ୍ରାୟ ସାଢେ଼ ୩ ଟାରେ ଘଟିଥିଲା। ବିଜୁଳି ବେଗରେ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ବହୁସଂଖ୍ୟକ ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ଦିଗପହଣ୍ଡି – ଶେରଗଡ଼, ଆଡପଡ଼ା – ହିଞ୍ଜିଳି, ଜଗନ୍ନାଥପୁର – ଆସିକା ମୁଖ୍ୟରାସ୍ତା ର ୩ ଟି ଜାଗାରେ ଟାୟର ଜାଳି ରାସ୍ତା ଅବରୋଧ କରିଥିଲେ। ପାଟପୁର ଥାନା ପୋଲିସ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ବେଳେ ଉତ୍ତେଜିତ ଲୋକେ ପୋଲିସ ଅଧିକାରୀ ମାନଙ୍କୁ କଟୁ ମନ୍ତବ୍ୟ ପ୍ରଦାନ କରିବା ସହ ଦୀର୍ଘ ସମୟ ନଜର ବନ୍ଦୀ କରି ରଖିଥିଲେ। ପୋଲିସ ଟିମ୍ ଉପସ୍ଥିତିରେ କିଛି ବ୍ୟକ୍ତି ନିଶାସକ୍ତ ହାଇୱା ଚାଳକ ଙ୍କୁ ନିସ୍ତୁକ ମାଡ଼ ମାରି ଲହୁ ଲୁହାଣ କରି ପକାଇଥିଲେ। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ପୋଲିସ ଜିପ ରେ ରଖାଯାଇଥିଲା। କିନ୍ତୁ କିଛି ବ୍ୟକ୍ତି ତାଙ୍କୁ ପୋଲିସ ଗାଡିରୁ ଜବରଦସ୍ତ ଟାଣି ନେଇ ଏକ ବାଇକ୍ ରେ ବସାଇ ନିକଟସ୍ଥ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କରି ମୃତ୍ୟୁ ଘଟିଥିବା ଭାର ପ୍ରାପ୍ତ ଚିକିତ୍ସାଧିକାରୀ ଡା. ବାହନ ଦାସ କହିଛନ୍ତି। ଖବରପାଇ ଆସିକା ଏସ ଡି ପି ଓ ସୂର୍ଯ୍ୟମଣି ପ୍ରଧାନ, ପାଟପୁର ଆଇ ଆଇ ସି ଅଜୟ କୁମାର ବାରିକ, ଶେରଗଡ଼ ଆଇ ଆଇ ସି ରମେଶ ଚନ୍ଦ୍ର ଦାସ , ହିଞ୍ଜିଳି ଆଇ ଆଇ ସି ଅଭିମନ୍ୟୁ ଦାସ ସଦଳବଳେ ୩ ପ୍ଲାଟୁନ୍ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଆଡପଡ଼ା ସରପଞ୍ଚ ନୀଳମାଧବ ରାଉତ ସେଠାରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ରାତି ପ୍ରାୟ ୮ ଟାରେ ରାସ୍ତା ଅବରୋଧ ହଟିଥିଲା। ପରେ ପାଟପୁର ପୋଲିସ ଉଭୟଙ୍କ ମୃତଦେହ ଜବତ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। କୌଣସି ପ୍ରକାର ଅଘଟଣ ଆଶଙ୍କାରେ ରାମଚନ୍ଦ୍ରପୁର – ଜଗନ୍ନାଥପୁର ଛକ, ଡେଙ୍ଗାଡି – ହିଞ୍ଜିଳି ଛକ ଏବଂ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ସଶସ୍ତ୍ର ଫୋର୍ସ ମୁତୟନ କରାଯାଇଥିବା ଗଞ୍ଜାମ ଏସ .ପି ବ୍ରିଜେଶ ରୟ କହିଛନ୍ତି।