ଇଣ୍ଡିଆନ୍ ଆଇଡଲରେ ଓଡ଼ିଆ ଝିଅ ଚେଲ୍ସୀ
ଜାତୀୟ ସ୍ତରର ସିଙ୍ଗିଙ୍ଗ୍ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲ୍-୧୧ରେ ଓଡ଼ିଆ ଝିଅ ଚେଲ୍ସୀ ବେହୁରା ଭାଗ ନେଇଛନ୍ତି । ତାଙ୍କର ସୁନ୍ଦର ଗାଇବା ଶୈଳୀର ଏକ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି । ଶେଆର ହୋଇଥିବା ଏହି ଭିଡିଓରେ ଚେଲ୍ସୀ ବଲିଉଡ୍ ଫିଲ୍ମ “ଇଶକଜାଦା’ର “ମେ ପରିଶାନ୍’ ଗୀତ ଗାଉଛନ୍ତି । ଯାହାକୁ ଶୁଣିବା ପରେ ଶୋ’ର ବିଚାରପତି ନେହା କକର୍, ବିଶାଲ ଦଦଲାନି ଓ ଅନୁ ମଲ୍ଲିକ ଖୁବ୍ ପ୍ରଶଂସା କରୁଛନ୍ତି ।
କେବଳ ଚେଲ୍ସୀଙ୍କର ଗାଇବା ଶୈଳୀ ନୁହେଁ, ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଶୁଣି ଶୋ’ରେ ସମସ୍ତେ ଭାବବିହ୍ୱଳ ହୋଇପଡ଼ିବା ଦେଖିବାକୁ ମିଳିଥିଲା । ଚେଲ୍ସୀଙ୍କୁ ୫ ବର୍ଷ ହୋଇଥିବା ବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଯାଇଥିଲା । ସେବେଠାରୁ ଦୁଇ ଝିଅଙ୍କର ଲାଳନପାଳନ କରିବା ପାଇଁ ବହୁତ ସଂଘର୍ଷ କରୁଛନ୍ତି ବୋଲି ଶୋରେ ଯୋଗଦେଇ ଚେଲ୍ସୀଙ୍କ ମା’ କହିଥିଲେ । ଏପରିକି ପିଲାଙ୍କୁ ଆଗକୁ ନେବା ପାଇଁ ସେ ତାଙ୍କର ସମସ୍ତ ଗହଣା ମଧ୍ୟ ବିକ୍ରି କରିସାରିଛନ୍ତି । ଚେଲସୀଙ୍କର ସଂଘର୍ଷର କାହାଣୀ ଶୁଣି ବିଶାଲ ଦଦଲାନୀ ତାଙ୍କୁ ପ୍ରଶଂସା କରି ଭବିଷ୍ୟତର ଷ୍ଟାର୍ ବୋଲି କହିଥିଲେ । ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିବା ଚେଲସୀ ଆଗକୁ ଦର୍ଶକଙ୍କ ମନକୁ ଛୁଇଁ ପାରିବେ ବୋଲି ଆଶା କରାଯାଉଛି । ତେବେ ଜାତୀୟ ସ୍ତରରେ ଗୀତ ଗାଇବା ଚେଲ୍ସୀଙ୍କ ପାଇଁ ନୂଆ ନୁହେଁ । ପୂର୍ବରୁ ମଧ୍ୟ ସେ ମ୍ୟୁଜିକ୍ ରିଆଲିଟି ଶୋ’, ରାଇଜିଂ ଷ୍ଟାର୍ ଓ ଇଣ୍ଡିଆନ୍ ଆଇଡଲରେ ଶିଶୁ କଳାକାର ଭାବେ ଭାଗ ନେଇସାରିଛନ୍ତି ।