ଗ୍ରୀଷ୍ମ ପାଇଁ ନିଆରା ପ୍ରୟାସ, ଗଛ ଡାଳରେ ପକ୍ଷୀଙ୍କ ପାଇଁ ଖାଦ୍ୟପାନୀୟ ଯୋଗାଉଛନ୍ତି ଜ୍ୟୋତି

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ସାଂପ୍ରତିକ ସମୟରେ ବ୍ୟସ୍ତବହୁଳ ଜୀବନ ସହିତ ସ୍ୱାର୍ଥାନ୍ଧ ମଣିଷ ନିଜ ସୁବିଧା ଉପଭୋଗ କରିବା ଛଡା ଅନ୍ୟକାହା ପାଇଁ ଚିନ୍ତା କରିବା ଦେଖାଯାଉନାହିଁ । ହେଲେ ଆଜି ବି ସମାଜରେ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ କି ନିଜ ସ୍ୱାର୍ଥ ଅପେକ୍ଷା ଅନ୍ୟମାନଙ୍କୁ ସୁଖ ସୁବିଧା ଯୋଗାଇବା ପାଇଁ ସଦାତତ୍ପର ରହିଛନ୍ତି । ସାମାଜିକ ବିଧି ବ୍ୟବସ୍ଥାରେ ନିଜ ପରିବାର ଓ ସାମାଜିକ ଦାୟିତ୍ୱ ନିର୍ବାହକୁ ଛାଡିଦେଲେ ପଶୁପକ୍ଷୀଙ୍କ ସେବା ପାଇଁ ମଧ୍ୟ ସମର୍ପିତ ହେଉଛନ୍ତି । ଏପରିକି ନିଜ କର୍ମମୟ ଜୀବନରୁ ସମୟ ବାହାର କରି ଗଛଡାଳରେ ଖିଚିରି ମିଚିରି ହେଉଥିବା ପକ୍ଷୀଙ୍କ ପାଇଁ ନିସ୍ୱାର୍ଥପର ଭାବେ ସମସ୍ତ ସୁବିଧା ସୁଯୋଗ ଯୋଗାଉଛନ୍ତି । ଏଭଳି ଜଣେ ବିରଳ ବ୍ୟକ୍ତିତ୍ୱ ଭଣ୍ଡାରିପୋଖରୀ ବ୍ଲକ ବୟାଁବନାପୁର ଗ୍ରାମର ଯୁବ ସମାଜସେବୀ ଜ୍ୟୋତିଶଙ୍କର ପଣ୍ଡା । ହସହସ ମୁହଁ ସାଂଗକୁ ମେଳାପୀ ସ୍ୱଭାବ ତାଙ୍କୁ ସମସ୍ତଙ୍କ ନିକଟତର କରିଥିବାବେଳେ ସ୍ୱେଚ୍ଛାସେବୀ ଉମିଦ ପରିବାରର ମଧ୍ୟ ସେ ଜଣେ ସକ୍ରିୟ ସଦସ୍ୟ ଅଟନ୍ତି । ସଂଗଠନ ମାଧ୍ୟମରେ ସେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କାମ କରୁଥିବାବେଳେ ଏବେ ନିରୀହ ପକ୍ଷୀମାନଙ୍କ ହୃଦୟର କଥା ବୁଝିବା ପାଇଁ ଆଗେଇ ଆସିଛନ୍ତି । ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢିଚାଲିଥିବାବେଳେ ନିଜ ଗାଁ ମୁଣ୍ଡ ବର ଓ ଅଶ୍ୱସ୍ଥ ଗଛରେ ପକ୍ଷୀମାନଙ୍କ ପାଇଁ ନିୟମିତ ଖାଦ୍ୟ ପାନୀୟର ବ୍ୟବସ୍ଥା କରୁଛନ୍ତି ଜ୍ୟୋତିଶଙ୍କର । ନିକଟରେ ଥିବା ହାଇଲେବୁଲ କେନାଲ ଓ ଗାଁ ପାଶ୍ୱର୍ରେ ଥିବା ସମସ୍ତ ଗାଡିଆ ପୋଖରୀ ଏବେ ଶୁଖିଯାଉଥିବାବେଳେ ପକ୍ଷୀମାନଙ୍କ କ୍ଷୁଦା ଓ ତୃଷ୍ଣା ନିବାରଣ ପାଇଁ ସତେ ଯେମିତି ଜ୍ୟୋତିଶଙ୍କର ଭଗବାନ ଭାବେ ଉଭା ହୋଇଛନ୍ତି । ବରଗଛ ଡାଳରେ ଷ୍ଟିଲପାତ୍ର ବାନ୍ଧି ସେ ଦୈନନ୍ଦିନ ସେଥିରେ ଭାତ ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ରଖୁଥିବାବେଳେ ପ୍ଲାଷ୍ଟିକ ପାତ୍ର ବାନ୍ଧି ପକ୍ଷୀମାନଙ୍କ ପାଇଁ ପାଣି ଭରୁଛନ୍ତି । ଏହାଛଡା ଖାଦ୍ୟ ପାନୀୟକୁ କୌଣସି ବିଷାକ୍ତ ସରିସୃପ କାଳେ ଛୁଇଁଦେବ ସେ ଉପରେ ମଧ୍ୟ ସେ ଘଡିକୁ ଘଡି ତୀକ୍ଷ୍ଣ ନଜର ରଖୁଛନ୍ତି । ଖରାରୁ ଚଢେଇ ବସାକୁ ରକ୍ଷା କରିବା ପାଇଁ ମଧ୍ୟ ଡାଳପତ୍ର ନେଇ ସେଗୁଡିକୁ ସଜାଉଛନ୍ତି । ମୋଟାମୋଟି ଭାବେ ପକ୍ଷୀମାନଙ୍କ କିଚିରିମିଚିର ରାବ ସତେ ଯେପରି ଜ୍ୟୋତିଶଙ୍କରଙ୍କ ହୃଦୟକୁ ଆନ୍ଦୋଳିତ କରିଦେଉଛି । ଯେଉଁଥି ପାଇଁ ରାତିପାହିଲେ ଗାଁ ମୁଣ୍ଡ ବରଗଛ ଡାଳରେ ବିଭିନ୍ନ କିସମର ପକ୍ଷୀମାନଙ୍କର ଖାଦ୍ୟପାନୀୟ ବ୍ୟବସ୍ଥା କରି ନିଜ କର୍ମମୟ ଜୀବନକୁ ଫେରୁଛନ୍ତି । ତାଙ୍କର ଏତାଦୃଶ କାର୍ଯ୍ୟକୁ ଗ୍ରାମବାସୀମାନେ ସାଧୁବାଦ ଜଣାଇଥିବାବେଳେ ନିରୀହ ପକ୍ଷୀମାନଙ୍କ ପାଇଁ ସେ ସମର୍ପିତ ହୋଇ ଅନେକ ଆତ୍ମତୃପ୍ତି ପାଉଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ