ବଢୁଛି ତାତି : ଖୋଲୁନି ଜଳଛତ୍ର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ସହରରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢିବାରେ ଲାଗିଛି । ତାତି ବଢିବା ସହିତ ରାସ୍ତାରେ ଯାତ୍ରୀଙ୍କୁ ପିଇବା ପାଣି ମିଳିବା ସମସ୍ୟା ଦେଖାଦେଇଛି । ପ୍ରତିବର୍ଷ ଗ୍ରୀଷ୍ମଋତୁ ଆସିଲେ ରାସ୍ତାରେ ଯାତ୍ରୀଙ୍କ ପାଇଁ ଖୋଲା ଯାଇଥାଏ ଜଳଛତ୍ର । ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ପ୍ରତିବର୍ଷ ଗ୍ରୀଷ୍ମଋତୁରେ ସ୍ଥାନୀୟ ପୌରାଂଚଳର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଜଳଛତ୍ର ଖୋଲାଯାଇଥାଏ । ଏପରିକି ସ୍ଥାନୀୟ ପୌରାଂଚଳ ମଧ୍ୟରେ ପ୍ରାୟ ୧୫ ରୁ ଅଧିକ ସ୍ଥାନରେ ଜଳଛତ୍ର ଖୋଲାଯାଇଥାଏ । ପ୍ରଚଣ୍ଡ ଖରାରେ ପାଣି ପିଇ ଖରାଦିନରୁ ନିଜକୂୁ ରକ୍ଷା କରନ୍ତି ଯାତ୍ରୀ । ବିଡ଼ମ୍ବନାର ବିଷୟ ଚଳିତ ବର୍ଷ ଏପ୍ରିଲ ମାସରେ ହିଁ ସ୍ଥାନୀୟ ସହରର ତାପମାତ୍ରା ୪୦ ରୁ ଅଧିକ ରହି ଆସୁଥିଲେ ମଧ୍ୟ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ସହରରେ ବର୍ତମାନ ସୁଦ୍ଧା ଗୋଟିଏ ବି ଜଳଛତ୍ର ଖୋଲାଯାଇନାହିଁ । ଗୋଟିଏ ପଟେ ସହରକୁ ଉନ୍ନତି କରିବା ପାଇଁ ବହୁ ଯୋଜନା ମାନ ପ୍ରଣୟନ କରାଯାଉଥିବା ବେଳେ ଗ୍ରୀଷ୍ମଋ୍ତୁରେ ଜନସାଧାରଣ ତଥା ବହୁ ଯାତ୍ରୀଙ୍କ ପାଇଁ ପିଇବାପାଣି ଭଳି ସର୍ବନିମ୍ନ ଆବଶ୍ୟକତା ଯୋଗାଇବାରେ ତପôରତା ଦେଖାନଯିବା ସହରବାସୀଙ୍କୁ ବିସ୍ମିତ କରିଛି । ଏହାର ପରିଣାମ ଯାତ୍ରୀଙ୍କୁ ଭୋଗିବାକୁ ପଡ଼ୁଛି । ସହରର ପଥଚାରୀଙ୍କ ସକାଶେ ପିଇବା ପାଣି ନିମନ୍ତେ ସେମିତି କିଛି ବ୍ୟବସ୍ଥା ନାହିଁ । ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ସହରରେ ପାନୀୟ ଜଳ ବ୍ୟବସ୍ଥା କରିବା ଦିଗରେ ସେମିତି କିଛି ଆଖି ଦୃଷିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । କେବଳ ପୌର ପ୍ରଶାସନ ପକ୍ଷରୁ ବସ ଟର୍ମିନାଲ ପରିସରରେ ଏକ ଶୀତଳ ପାନୀୟ ଯନ୍ତ୍ର ସ୍ଥାପନ କରାଯାଇଛି । ଫଳରେ ଗ୍ରୀଷ୍ମଋତୁରେ ଦିନ ଦ୍ୱିପହରେ ସ୍ଥାନୀୟ ସହରର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ଲାଗି ବସକୁ ଅପେକ୍ଷା କରୁରଥିବା ଯାତ୍ରୀ ମାନେ ମୁନ୍ଦାଏ ପିଇବା ପାଣି ନପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାର ନଜିର ରହିଛି । ଖରାର ପ୍ରକୋପ ଦିନକୁ ଦିନ ବଢୁଥିବା ବେଳେ ଅଂଶୁଘାତର ଆଶଙ୍କା କରାଯାଉଛି । ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଏ ନେଇ ସର୍ତକତା ଅବଲମ୍ବନ ପାଇଁ ବଡ଼ ବଡ଼ ପୋଷ୍ଟର ମାରି ସଚେତନ କରାଯାଉଥିବା ବେଳେ ସହରସାରା ଜଳଛତ୍ର ଖୋଲାଯାଇନାହିଁ । ଆଗକୁ ଆହୁରି ତାତି ବଢିବାକୁ ଥିବା ବେଳେ ସହରର ପ୍ରମୁଖ ସ୍ଥାନ ମାନଙ୍କରେ ତୁରନ୍ତ ଜଳଛତ୍ର ଖୋଲିବା ପାଇଁ ସାଧାରଣରେ ଦାବୀ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ